ପରିତ୍ୟକ୍ତ ଅବସ୍ଥାରେ ପୂର୍ଣ୍ଣଚନ୍ଦ୍ର କ୍ଲବ୍, ପୁନରୁଦ୍ଧାରକୁ ନେଇ ଉଠିଲା ପ୍ରଶ୍ନ: ଐତିହ୍ୟବହନ କରୁଥିବା ଖଲ୍ଲିକୋଟରେ ଅବହେଳାର ଅଭିଯୋଗ
Ganjam (ଗଞ୍ଜାମ)ଶିବରାମ ଜେନା, ସ୍ୱତନ୍ତ୍ର ପ୍ରତିନିଧିSeptember 16, 202649 views

ଖଲ୍ଲିକୋଟ: ୧୬/୦୯
ଐତିହ୍ୟ ଓ ରାଜବଂଶର ଗୌରବମୟ ଇତିହାସକୁ ନେଇ ପରିଚିତ ଖଲ୍ଲିକୋଟ ଆଜି ଅନେକ ସ୍ଥାନରେ ଅବହେଳାର ଚିତ୍ର ବହନ କରୁଥିବା ଅଭିଯୋଗ ହେଉଛି। ଏହାର ଏକ ଉଦାହରଣ ଭାବେ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର ନିକଟରେ, ଦକ୍ଷିଣ ପାର୍ଶ୍ୱରେ ଏବଂ ୱାର୍ଡ ନଂ-୩ର କାଉନସିଲର ଶ୍ରୀମତୀ ସୁଜାତା ସାମନ୍ତଙ୍କ ଘର ସମ୍ମୁଖରେ ଥିବା ପୂର୍ଣ୍ଣଚନ୍ଦ୍ର କ୍ଲବ୍ ଏବେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଥିବା ଦେଖିବାକୁ ମିଳୁଛି।
ସ୍ଥାନୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପୂର୍ଣ୍ଣଚନ୍ଦ୍ର କ୍ଲବ୍ ପାଇଁ ଆବଶ୍ୟକ ଜମି ସ୍ୱର୍ଗତା ରାଣୀ ସାହେବା ଶ୍ରୀମତୀ ଭି. ସୂଜ୍ଞାନୀ କୁମାରୀ ଦେଓଙ୍କ ପକ୍ଷରୁ ଏନ୍ଏସିକୁ ପ୍ରଦାନ କରାଯାଇଥିବା କୁହାଯାଉଛି। କ୍ଲବ୍ର ପୁନରୁଦ୍ଧାର ଓ ବିକାଶ ନେଇ ଆଶା ରହିଥିଲେ ମଧ୍ୟ ବର୍ତ୍ତମାନ ଏହା ଜରାଜୀର୍ଣ୍ଣ ଅବସ୍ଥାରେ ଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ଏନ୍ଏସିରେ ବିଜେଡି ଚେୟାରମ୍ୟାନ୍ ଶ୍ରୀ ନୀରଞ୍ଜନ ବେହେରାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଥିବା ସତ୍ତ୍ୱେ ପୂର୍ଣ୍ଣଚନ୍ଦ୍ର କ୍ଲବ୍ର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇନଥିବା ଅଭିଯୋଗ ହେଉଛି।
ତେବେ ଏଠାରେ ମୁଖ୍ୟ ପ୍ରଶ୍ନ ଉଠୁଛି—ପୂର୍ଣ୍ଣଚନ୍ଦ୍ର କ୍ଲବ୍ର ଜମି ପ୍ରକୃତରେ ଏନ୍ଏସିକୁ ହସ୍ତାନ୍ତର ହୋଇଛି କି? ଯଦି ହସ୍ତାନ୍ତର ହୋଇଛି, ତେବେ ଏହାର ପୁନରୁଦ୍ଧାର କାର୍ଯ୍ୟ କାହିଁକି ଅଟକି ରହିଛି? ଏହାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଏବେ ଆଲୋଚନା ଜୋର ଧରିଛି।
ସନ୍ଧ୍ୟା ସମୟରେ ପରିତ୍ୟକ୍ତ କ୍ଲବ୍ ପରିସରରେ ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପ ହେଉଥିବା ନେଇ ମଧ୍ୟ କେତେକ ସ୍ଥାନୀୟ ବ୍ୟକ୍ତି ଅଭିଯୋଗ କରିଛନ୍ତି। ଏପରି ପରିବେଶ ଯୋଗୁଁ ଅଞ୍ଚଳବାସୀ, ବିଶେଷକରି ମହିଳା ଓ ବୃଦ୍ଧମାନେ ଅସୁବିଧାର ସମ୍ମୁଖୀନ ହେଉଥିବା କୁହାଯାଉଛି।
ଐତିହ୍ୟବହନ କରୁଥିବା ଏହି କ୍ଲବ୍ର ପୁନରୁଦ୍ଧାର ସହ ପରିସରକୁ ସଫାସୁତରା କରି ଆଲୋକୀକରଣ ଓ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏନେଇ ଖଲ୍ଲିକୋଟ ଏନ୍ଏସି ପ୍ରଶାସନ କେବେ ପଦକ୍ଷେପ ନେଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର।
