--:--:--
-- ---
Srishti News

ସଡ଼କ ଦୁର୍ଘଟଣାରେ ଗୋଟିଏ ଗାଁରୁ ଚାଲିଗଲେ ଦୁଇ ଯୁବକ, କାନ୍ଧ ବୋବାଳିରେ ଫାଟି ପଡ଼ୁଛି ମେଡିକାଲ୍

Bhadrak (ଭଦ୍ରକ)ରିପୋର୍ଟ :ଶିଶିର କୁମାର ସ୍ୱାଇଁSeptember 13, 202631 views
ସଡ଼କ ଦୁର୍ଘଟଣାରେ ଗୋଟିଏ ଗାଁରୁ ଚାଲିଗଲେ ଦୁଇ ଯୁବକ, କାନ୍ଧ ବୋବାଳିରେ ଫାଟି ପଡ଼ୁଛି ମେଡିକାଲ୍
ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଗୋଟିଏ ଗାଁର ଦୁଇ ଯୁବକଙ୍କ ଜୀବନ ଚାଲିଯାଇଥିବା ବେଳେ ଆଉ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଦୁଇ ଯୁବକଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ପରିବାର ଓ ସମ୍ପର୍କୀୟଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ଡାକ୍ତରଖାନା ପରିସରରେ ପରିବାର ଲୋକଙ୍କ କାନ୍ଦଣା ଓ ବୋବାଳିରେ ପରିବେଶ ଭାରାକ୍ରାନ୍ତ ହୋଇପଡ଼ିଛି। ସୂଚନା ଅନୁସାରେ, ଶନିବାର ମଧ୍ୟାହ୍ନ ସମୟରେ ତିନି ଜଣ ଯୁବକ ଏକ ବାଇକ୍‌ରେ ଯାଉଥିଲେ। ବାସୁଦେବପୁର ଅଞ୍ଚଳର ମାତାଜୀ ମଠ ନିକଟରେ ପହଞ୍ଚିବା ସମୟରେ କୌଣସି କାରଣରୁ ବାଇକ୍‌ଟି ନିୟନ୍ତ୍ରଣ ହରାଇ ରାସ୍ତା ମଝିରେ ଥିବା ଡିଭାଇଡରରେ ଜୋରଦାର ଭାବେ ପିଟି ହୋଇଥିଲା। ଦୁର୍ଘଟଣାର ତୀବ୍ରତା ଏତେ ଅଧିକ ଥିଲା ଯେ, ବାଇକ୍‌ରେ ଥିବା ତିନି ଯୁବକ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ହିଁ ଦୁଇ ଯୁବକ ଗୁରୁତର ଆହତ ହୋଇଥିଲେ। ଆଖି ପିଛୁଳାକେ ଘଟିଥିବା ଏହି ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ। ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ଗାଡ଼ିରେ ଆହତ ଯୁବକମାନଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ପରୀକ୍ଷା କରି ଦୁଇ ଯୁବକଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପଟେ, ଦୁର୍ଘଟଣାରେ ଆହତ ହୋଇଥିବା ତୃତୀୟ ଯୁବକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ତାଙ୍କୁ ଡାକ୍ତରମାନେ ଚିକିତ୍ସା ଯୋଗାଇ ଦେଉଛନ୍ତି। ଆବଶ୍ୟକ ହେଲେ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇପାରେ। ଦୁଇ ଯୁବକଙ୍କ ମୃଆତ୍ମୀୟସ୍ୱଜନଙ୍କ କାନ୍ଦଣାରେ ମେଡିକାଲ୍ ପରିସର ଫାଟି ପଡ଼ୁଥିଲା। ଗୋଟିଏ ଗାଁର ଦୁଇ ଯୁବକଙ୍କ ଅକାଳ ମୃତ୍ୟୁ ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ଘଟଣା ପରେ ପୋଲିସ ଦୁର୍ଘଟଣାର କାରଣ ନେଇ ତଦନ୍ତ ଆରମ୍ଭ କରିଛି। ବାଇକ୍‌ଟି କିପରି ନିୟନ୍ତ୍ରଣ ହରାଇ ଡିଭାଇଡରରେ ପିଟି ହେଲା, ଏହାର ପ୍ରକୃତ କାରଣ କ’ଣ ଥିଲା ଏବଂ ଘଟଣା ସମୟରେ ବାଇକ୍‌ର ଗତି କେତେ ଥିଲା, ସେନେଇ ପୋଲିସ ତଦନ୍ତ କରୁଛି। ତେବେ ଅଳ୍ପ ବୟସରେ ଦୁଇ ଯୁବକଙ୍କ ଏଭଳି ଅକାଳ ମୃତ୍ୟୁ ପରିବାର ପାଇଁ ଏକ ବଡ଼ ଦୁଃଖ ଆଣିଦେଇଛି। ଏହି ଘଟଣା ପୁଣିଥରେ ସଡ଼କରେ ଯାତାୟାତ ସମୟରେ ସତର୍କତା, ନିୟମ ପାଳନ ଓ ସୁରକ୍ଷିତ ଗାଡ଼ି ଚାଳନାର ଗୁରୁତ୍ୱକୁ ସାମ୍ନାକୁ ଆଣିଛି।