ଜରାଜୀର୍ଣ୍ଣ ପ୍ରାଣୀ ସମ୍ପଦ କେନ୍ଦ୍ର, ମୁଣ୍ଡ ଉପରେ ଝୁଲୁଛି ବିପଦ ଛାତରୁ ଖସୁଛି ସିମେଣ୍ଟ ଅତଡ଼ା, ତଳକୁ ଓହ୍ଲାଇଛି ଲୁହା ରଡ୍; ପ୍ରଶାସନର ତୁରନ୍ତ ହସ୍ତକ୍ଷେପ ଦାବି
Kalahandi (କଳାହାଣ୍ଡି)ରିତେଶ କୁମାର ମୁଣ୍ଡSeptember 10, 202628 views

କୋକସରା: ୧୦/୦୯ — ଦୀର୍ଘଦିନ ଧରି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି ଗମ୍ଭାରୀଗୁଡା ପ୍ରାଣୀ ସମ୍ପଦ କେନ୍ଦ୍ର। କେନ୍ଦ୍ରର ଛାତ ଓ କୋଠାର ଅବସ୍ଥା ଏବେ ବିପଦସଙ୍କୁଳ ହୋଇପଡ଼ିଥିବାରୁ ଯେକୌଣସି ସମୟରେ ଅଘଟଣ ଘଟିବା ଆଶଙ୍କା ଦେଖାଦେଇଛି। ହେଲେ ଏହାପ୍ରତି ପ୍ରଶାସନର ଦୃଷ୍ଟି ପଡ଼ୁନଥିବା ନେଇ ସ୍ଥାନୀୟ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅଧୀନ ଗମ୍ଭାରୀଗୁଡା ମୁଖ୍ୟ ଡିଗ୍ରୀ ଛକରେ ରହିଛି ଏହି ପ୍ରାଣୀ ସମ୍ପଦ କେନ୍ଦ୍ର। ବିଭିନ୍ନ କାର୍ଯ୍ୟରେ ପ୍ରତିଦିନ ଏଠାକୁ ଲୋକଙ୍କ ଯାତାୟାତ ଲାଗି ରହିଥାଏ। କିନ୍ତୁ କେନ୍ଦ୍ରର ଭୌତିକ ଅବସ୍ଥା ଏବେ ଚିନ୍ତାଜନକ ହୋଇପଡ଼ିଛି।
କେନ୍ଦ୍ରର ଛାତରୁ ଧୀରେ ଧୀରେ ସିମେଣ୍ଟ ଅତଡ଼ା ଖସୁଥିବା ବେଳେ ଛାତରେ ବ୍ୟବହୃତ ଲୁହା ରଡ୍ଗୁଡ଼ିକ ମଧ୍ୟ ଦୁର୍ବଳ ହୋଇ ତଳକୁ ଓହ୍ଲାଇ ଆସିଛି। ଅନେକ ସ୍ଥାନରେ ଛାତର ସିମେଣ୍ଟ ଖସିଯାଇ ଭିତର ଗଠନ ସ୍ପଷ୍ଟ ଦେଖାଯାଉଛି। ଏଭଳି ବିପଦପୂର୍ଣ୍ଣ ପରିବେଶରେ କର୍ମଚାରୀ ଓ ସାଧାରଣ ଲୋକଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି।
ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଦୀର୍ଘଦିନ ହେଲା କୋଠାର ମରାମତି କିମ୍ବା ପୁନରୁଦ୍ଧାର କରାଯାଇନଥିବାରୁ ଏହାର ସ୍ଥିତି ଦିନକୁ ଦିନ ଅଧିକ ଦୁର୍ବଳ ହେଉଛି। କେତେବେଳେ ଛାତ ଭୁଶୁଡ଼ି ପଡ଼ିବ, ତାହା କହିହେବ ନାହିଁ। ତେଣୁ ବଡ଼ ଅଘଟଣ ଘଟିବା ପୂର୍ବରୁ ପ୍ରଶାସନ ଏହି କୋଠାର ସ୍ଥିତି ଯାଞ୍ଚ କରି ଆବଶ୍ୟକ ପଦକ୍ଷେପ ନେବା ଜରୁରୀ ବୋଲି ମତ ପ୍ରକାଶ ପାଇଛି।
ଏନେଇ ପ୍ରାଣୀ ସମ୍ପଦ କର୍ମଚାରୀଙ୍କୁ ପଚାରିବାରୁ, ବର୍ତ୍ତମାନ ପିଇଓ କ୍ୱାର୍ଟରକୁ ଅସ୍ଥାୟୀ ଭାବେ ପ୍ରାଣୀ ସମ୍ପଦ କେନ୍ଦ୍ର ସ୍ଥାନାନ୍ତର କରାଯାଇଥିବା ସେମାନେ ସୂଚନା ଦେଇଥିଲେ।
ତେବେ ପୁରୁଣା କୋଠାର ଭବିଷ୍ୟତ ନେଇ ପ୍ରଶ୍ନ ଉଠିଛି। ପ୍ରଶାସନ ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରି କୋଠାର ସୁରକ୍ଷା ଯାଞ୍ଚ କରିବା ସହ ଆବଶ୍ୟକ ମରାମତି କିମ୍ବା ନୂତନ ଗୃହ ନିର୍ମାଣ ପାଇଁ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
