--:--:--
-- ---
Srishti News

ଜୁନାଗଡ଼–କୁରୁଗୁଡ଼ା ରାସ୍ତାରେ ଅନିୟନ୍ତ୍ରିତ ଟ୍ରକ୍ ଯାତାୟାତ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ, ଶୀଘ୍ର ଟେଣ୍ଡର ଓ କାର୍ଯ୍ୟାରମ୍ଭ ଦାବି

Kalahandi (କଳାହାଣ୍ଡି)ରିପୋର୍ଟ: ଦେବରାଜ ବାଣୁଆ, ଜୁନାଗଡ଼September 9, 2026154 views
ଜୁନାଗଡ଼–କୁରୁଗୁଡ଼ା ରାସ୍ତାରେ ଅନିୟନ୍ତ୍ରିତ ଟ୍ରକ୍ ଯାତାୟାତ  ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ, ଶୀଘ୍ର ଟେଣ୍ଡର ଓ କାର୍ଯ୍ୟାରମ୍ଭ ଦାବି
ଜୁନାଗଡ଼ (କଳାହାଣ୍ଡି): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜୁନାଗଡ଼ ସହରରୁ କୁରୁଗୁଡ଼ାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ରାସ୍ତାରେ ଦିନରାତି ଭାରୀ ଟ୍ରକ୍ ଚଳାଚଳ କରୁଥିବାରୁ ଜନସାଧାରଣଙ୍କ ମଧ୍ୟରେ ଦୁର୍ଘଟଣା ଆଶଙ୍କା ବଢ଼ିଛି। ଏହି ରାସ୍ତା ପାର୍ଶ୍ୱରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ପ୍ରିୟଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟ, ମିଶନ ସ୍କୁଲ, ତହସିଲ କାର୍ଯ୍ୟାଳୟ, ରେଳ ଷ୍ଟେସନ ସମେତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ପଣ୍ୟାଗାର ଏବଂ ବେସରକାରୀ ସିମେଣ୍ଟ ଓ ସାର ଗୋଦାମ ରହିଛି। ଫଳରେ ଏହି ରାସ୍ତାରେ ପ୍ରତିଦିନ ଶହ ଶହ ଛାତ୍ରଛାତ୍ରୀ, ରେଳଯାତ୍ରୀ ଓ ସାଧାରଣ ଲୋକେ ଯାତାୟାତ କରିଥାନ୍ତି। ସଂକୀର୍ଣ୍ଣ ରାସ୍ତାରେ ଭାରୀ ଟ୍ରକ୍‌ର ଅନିୟନ୍ତ୍ରିତ ଯାତାୟାତ ଯୋଗୁଁ ଛାତ୍ରଛାତ୍ରୀ ଓ ସାଧାରଣ ଯାତ୍ରୀମାନେ ଅନେକ ସମୟରେ ଅସୁବିଧାରେ ପଡ଼ୁଛନ୍ତି। ଏଥିସହ ରାସ୍ତାରେ ଦୁର୍ଘଟଣାର ନିରନ୍ତର ବିପଦ ମଧ୍ୟ ଲାଗିରହିଛି। ଗତ କିଛି ଦିନ ତଳେ ଏହି ରାସ୍ତାରେ ଘଟିଥିବା ଏକ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ମଧ୍ୟ ଜଣାପଡ଼ିଛି। ଏହି ସମସ୍ୟାକୁ ନେଇ ସମାଜସେବୀ ଦେବରାଜ ବାଣୁଆ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗ ପରେ ଉକ୍ତ ରାସ୍ତା ସମ୍ପର୍କରେ ତଦନ୍ତ କରାଯାଇଥିବା ବେଳେ ୨୦୨୫–୨୬ ଆର୍ଥିକ ବର୍ଷରେ ଏହି ରାସ୍ତାକୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରାଯାଇଥିବା ସୂଚନା ମିଳିଛି ବୋଲି ସେ ପ୍ରକାଶ କରିଛନ୍ତି। ରାସ୍ତାରେ ଭାରୀ ଯାନବାହନ ଚଳାଚଳ ଓ ଜନସାଧାରଣଙ୍କ ଜୀବନ ପ୍ରତି ରହିଥିବା ବିପଦକୁ ଦୃଷ୍ଟିରେ ରଖି ମଞ୍ଜୁର ହୋଇଥିବା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର କାର୍ଯ୍ୟକୁ ଆଉ ବିଳମ୍ବ ନକରି ଶୀଘ୍ର ଟେଣ୍ଡର ପ୍ରକ୍ରିୟା ସମ୍ପନ୍ନ କରି ରାସ୍ତା ନିର୍ମାଣ କାମ ଆରମ୍ଭ କରିବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି।