--:--:--
-- ---
Srishti News

ବଜ୍ରପାତରେ ମହିଳାଙ୍କ ମୃତ୍ୟୁ ଧାନ ଜମିରେ ଘାସ ବାଛୁଥିବା ବେଳେ ଅଘଟଣ

Rourkela (ରାଉରକେଲା)Report: Ganapati DasSeptember 9, 202615 views
ବଜ୍ରପାତରେ ମହିଳାଙ୍କ ମୃତ୍ୟୁ  ଧାନ ଜମିରେ ଘାସ ବାଛୁଥିବା ବେଳେ ଅଘଟଣ
ନୂଆଗାଁ, ୯/୯: ସୁନ୍ଦରଗଡ଼ ଜିଲ୍ଲା ସୀମାନ୍ତ ନୂଆଗାଁ ବ୍ଲକ ଅନ୍ତର୍ଗତ ଲିମଡ଼ା ଗ୍ରାମରେ ବଜ୍ରପାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ହେଲେ ଲିମଡ଼ା ଗ୍ରାମର ସିଂହ ବସ୍ତିର ଏତୁଆ ସିଂହଙ୍କ ପତ୍ନୀ ସନିଆର ସିଂହ (୫୪)। ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନ ପ୍ରାୟ ୩ଟା ସମୟରେ ସନିଆର ସିଂହ ନିଜ ଧାନ ଜମିରେ ଘାସ ବାଛୁଥିଲେ। ଏହି ସମୟରେ ହଠାତ୍ ଝଡ଼ତୋଫାନ ସହ ବର୍ଷା ଆରମ୍ଭ ହୋଇଥିଲା। ବିଜୁଳି ଓ ଘଡ଼ଘଡ଼ି ମଧ୍ୟରେ ହଠାତ୍ ତାଙ୍କ ଉପରେ ବଜ୍ରପାତ ହେବାରୁ ସେ ଘଟଣାସ୍ଥଳରେ ଅଚେତ ହୋଇ ଚାଷ ଜମିରେ ପଡ଼ିଯାଇଥିଲେ। ସନ୍ଧ୍ୟା ସୁଦ୍ଧା ସେ ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ। ତେବେ ତାଙ୍କର କୌଣସି ସନ୍ଧାନ ମିଳିନଥିଲା। ଆଜି ସକାଳେ କିଛି ଗ୍ରାମବାସୀ ଚାଷ ଜମିକୁ ଯାଇଥିବା ବେଳେ ସନିଆର ସିଂହଙ୍କୁ ଜମିରେ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ଏନେଇ ତୁରନ୍ତ ପୋଲିସକୁ ସୂଚନା ଦିଆଯାଇଥିଲା। ହାତୀବାରୀ ଥାନା ଅଧିକାରୀ ଗୀତାଞ୍ଜଳି ମିର୍ଦ୍ଧାଙ୍କ ନିର୍ଦ୍ଦେଶକ୍ରମେ ନୂଆଗାଁ ଫାଣ୍ଡି ଅଧିକାରୀ ପ୍ରଫୁଲ୍ଲ କୁମାର ସେଠୀ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ମୃତକଙ୍କ ସ୍ୱାମୀ ଏତୁଆ ସିଂହଙ୍କ ଲିଖିତ ଅଭିଯୋଗ ପରେ ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବ୍ୟବଚ୍ଛେଦ ପରେ ଶବକୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ ଚାଲିଥିବା ନୂଆଗାଁ ଫାଣ୍ଡି ଅଧିକାରୀ ପ୍ରଫୁଲ୍ଲ କୁମାର ସେଠୀ ସୂଚନା ଦେଇଛନ୍ତି। ମୃତକ: ସନିଆର ସିଂହ (୫୪), ସ୍ୱାମୀ– ଏତୁଆ ସିଂହ, ଗ୍ରାମ– ଲିମଡ଼ା, ହାତୀବାରୀ, ସୁନ୍ଦରଗଡ଼।