ଟାଙ୍ଗୀରେ ନିର୍ମାଣାଧୀନ ଧନ୍ଦାମୂଳକ ସରକାରୀ ଉଚ୍ଚତମ ବିଦ୍ୟାଳୟକୁ ବିରୋଧ ଅଭିଯୋଗ : କାମ ବନ୍ଦ ହେବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ
Khordha (ଖୋର୍ଦ୍ଧା)ରିପୋର୍ଟ :ଯଦୁମଣି ବେହେରା, ଟାଙ୍ଗୀ. ଖୋର୍ଦ୍ଧାSeptember 9, 202661 views

ଟାଙ୍ଗୀ, ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଏନ୍ଏସି ଅଞ୍ଚଳର ଟାଙ୍ଗୀ କଲେଜ ନିକଟରେ ନିର୍ମାଣ ହେବାକୁ ଥିବା ଧନ୍ଦାମୂଳକ ସରକାରୀ ଉଚ୍ଚତମ ବିଦ୍ୟାଳୟକୁ ନେଇ ଏବେ ବିବାଦ ଦେଖାଦେଇଛି। ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ସହ ଧନ୍ଦାମୂଳକ ତାଲିମ ପ୍ରଦାନ କରିବା ଲକ୍ଷ୍ୟରେ ଏହି ଶିକ୍ଷାନୁଷ୍ଠାନ ନିର୍ମାଣ କରାଯାଉଛି।
ଏହି ବିଦ୍ୟାଳୟରେ +୨ କଳା ଓ ବିଜ୍ଞାନ ଶିକ୍ଷା ସହ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଧନ୍ଦାମୂଳକ ତାଲିମ ଦିଆଯିବ। ପ୍ରତିବର୍ଷ କଳା ଓ ବିଜ୍ଞାନ ବିଭାଗରେ ମୋଟ ୧୨୮ ଜଣ ଛାତ୍ରଛାତ୍ରୀ ଧନ୍ଦାମୂଳକ ଶିକ୍ଷା ପାଇବାର ସୁଯୋଗ ପାଇବେ। ଟାଙ୍ଗୀ ଅଞ୍ଚଳ ସମେତ ନୟାଗଡ଼ ଜିଲ୍ଲାର ଛାତ୍ରଛାତ୍ରୀ ମଧ୍ୟ ଏଠାରେ ଶିକ୍ଷା ଗ୍ରହଣ କରିପାରିବେ। ଏହାଦ୍ୱାରା ଯୁବପିଢ଼ିଙ୍କ ଦକ୍ଷତା ବିକାଶ ସହ ଭବିଷ୍ୟତରେ ରୋଜଗାର ସୁଯୋଗ ବୃଦ୍ଧି ପାଇବ ବୋଲି ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି।
ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଦୁଇ କୋଟିରୁ ଅଧିକ ଟଙ୍କା ମଞ୍ଜୁର ହୋଇଥିବା ଜଣାପଡ଼ିଛି। ଅର୍ଥ ମଞ୍ଜୁର ହେବା ପରେ ଠିକାଦାରଙ୍କ ପକ୍ଷରୁ ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ କରାଯାଇଥିଲା।
ସୂଚନା ଅନୁଯାୟୀ, ଏହି ବିଦ୍ୟାଳୟ ନିର୍ମାଣ ପାଇଁ ଟାଙ୍ଗୀ ଗ୍ରାମପଞ୍ଚାୟତ ପକ୍ଷରୁ ତତ୍କାଳୀନ ସରପଞ୍ଚ ଶ୍ରୀ କିଶୋର କୁମାର ବେହେରାଙ୍କ ଉଦ୍ୟମରେ ଗତ ୧୫ ଅଗଷ୍ଟ ୨୦୨୪ରେ ପଲ୍ଲୀସଭାରେ ଗ୍ରାମବାସୀଙ୍କ ସହଯୋଗରେ ଜମି ଯୋଗାଇ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ବର୍ତ୍ତମାନର ବିଧାୟକ ଶ୍ରୀ ପ୍ରଶାନ୍ତ ଜଗଦେବ ସ୍ଥାନୀୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ନଡ଼ିଆ ବାଡ଼େଇ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଥିଲେ।
ତେବେ ଅଞ୍ଚଳର ବିକାଶ ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଜଡ଼ିତ ଏହି ପ୍ରକଳ୍ପକୁ କେତେକ ବ୍ୟକ୍ତି ନିଜସ୍ୱ ସ୍ୱାର୍ଥ ସାଧନ ଉଦ୍ଦେଶ୍ୟରେ ବିରୋଧ କରୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏହାର ପରିଣାମରେ ବର୍ତ୍ତମାନ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଥିବା ଜଣାପଡ଼ିଛି।
ଘଟଣା ସମ୍ପର୍କରେ ଟାଙ୍ଗୀ ବନ ବିଭାଗର ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲା। ତେବେ ସେ ଘଟଣା ଉପରେ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ଦେବାକୁ ମନା କରିଥିଲେ। ତାଙ୍କ କହିବା ଅନୁଯାୟୀ, ଅଞ୍ଚଳର ଜଣେ ବ୍ୟକ୍ତି ବାରମ୍ବାର ଫୋନ୍ କରି ବିଭିନ୍ନ ପ୍ରକାରର ଧମକ ଦେଉଥିବାରୁ ବନ ବିଭାଗ ପକ୍ଷରୁ ସେଠାକୁ ଯାଇ ନିର୍ମାଣ କାର୍ଯ୍ୟ ବନ୍ଦ କରାଯାଇଥିଲା।
ଏଭଳି ସ୍ଥିତିରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଓ ଅଞ୍ଚଳର ବିକାଶକୁ ଦୃଷ୍ଟିରେ ରଖି ପ୍ରଶାସନ ଘଟଣାର ନିରପେକ୍ଷ ତଦନ୍ତ କରି ନିର୍ମାଣ କାର୍ଯ୍ୟ ଶୀଘ୍ର ପୁନଃଆରମ୍ଭ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
