--:--:--
-- ---
Srishti News

ବେଲଟୁକୁରି ସରସ୍ୱତୀ ବିଦ୍ୟାମନ୍ଦିରରେ ଗୁରୁଦିବସ ପାଳିତ ଗୁରୁଙ୍କ ମାର୍ଗଦର୍ଶନ ହିଁ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତର ମୂଳଦୁଆ

Nuapada (ନୂଆପଡ଼ା)ରିପୋର୍ଟ : ବିଜୟ ବରିହାSeptember 6, 202682 views
ବେଲଟୁକୁରି ସରସ୍ୱତୀ ବିଦ୍ୟାମନ୍ଦିରରେ ଗୁରୁଦିବସ ପାଳିତ ଗୁରୁଙ୍କ ମାର୍ଗଦର୍ଶନ ହିଁ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତର ମୂଳଦୁଆ
ବେଲଟୁକୁରି: ଗୁରୁ-ଶିଷ୍ୟ ପରମ୍ପରା ଭାରତୀୟ ସଂସ୍କୃତିର ଏକ ଅମୂଲ୍ୟ ପରମ୍ପରା। ଗୁରୁଙ୍କ ପ୍ରତି ସମ୍ମାନ, କୃତଜ୍ଞତା ଓ ଭକ୍ତି ପ୍ରକାଶ କରିବା ଉଦ୍ଦେଶ୍ୟରେ ବେଲଟୁକୁରି ସରସ୍ୱତୀ ବିଦ୍ୟାମନ୍ଦିର ପରିସରରେ ପବିତ୍ର ଗୁରୁଦିବସ ଉତ୍ସାହ ଓ ଭକ୍ତିମୟ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟରେ ଏକ ସ୍ୱତନ୍ତ୍ର ସଭାର ଆୟୋଜନ କରାଯାଇଥିଲା। ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମଟି ସୁନ୍ଦର ଭାବେ ଆୟୋଜିତ ହୋଇଥିଲା। ଗୁରୁଦିବସର ମହତ୍ତ୍ୱ, ଗୁରୁଙ୍କ ଭୂମିକା ଏବଂ ଛାତ୍ରଛାତ୍ରୀଙ୍କ ଜୀବନ ଗଠନରେ ଶିକ୍ଷକଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ କ୍ଷମାନିଧି ଚନ୍ଦ୍ରକାର ଯୋଗଦେଇ ଗୁରୁଙ୍କ ଆଦର୍ଶ ଓ ଶିକ୍ଷାର ମହତ୍ତ୍ୱ ଉପରେ ନିଜର ମୂଲ୍ୟବାନ ମତବ୍ୟକ୍ତ କରିଥିଲେ। ସେ ଛାତ୍ରଛାତ୍ରୀମାନେ ନିଜ ଜୀବନରେ ଶୃଙ୍ଖଳା, ନିଷ୍ଠା, ସତ୍ୟବାଦିତା ଓ ପରିଶ୍ରମକୁ ଆପଣାଇବା ସହ ଗୁରୁଜନଙ୍କ ପ୍ରତି ସର୍ବଦା ସମ୍ମାନ ରଖିବାକୁ ଆହ୍ୱାନ କରିଥିଲେ। ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ପୁଷ୍କର ମାଝୀ ଯୋଗଦେଇ ଗୁରୁଙ୍କ ଶିକ୍ଷା କେବଳ ପାଠପଢ଼ା ମଧ୍ୟରେ ସୀମିତ ନୁହେଁ, ବରଂ ଜଣେ ଛାତ୍ରଙ୍କ ଚରିତ୍ର ଓ ଭବିଷ୍ୟତ ଗଠନରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ ବୋଲି କହିଥିଲେ। ସେହିପରି ମୁଖ୍ୟ ବକ୍ତା ଶ୍ରୀ ଦେବରାଜ ସାହୁ (ସିଆରସି) ନିଜ ବକ୍ତବ୍ୟରେ ଗୁରୁଦିବସର ଐତିହାସିକ ଓ ସାମାଜିକ ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ ଜ୍ଞାନ ଦେବା ସହ ସେମାନଙ୍କୁ ଜଣେ ଭଲ ମଣିଷ ଭାବେ ଗଢ଼ି ତୋଳିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥାନ୍ତି ବୋଲି ସେ ମତପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ଶ୍ରୀ ଦୁଷ୍ୟନ୍ତ ଚନ୍ଦ୍ରକାର, ଯୁଗ୍ମ ସମ୍ପାଦକ ଶ୍ରୀ ଉମେଶ ଚକ୍ରଧରୀ ଓ କୋଷାଧ୍ୟକ୍ଷ ଶ୍ରୀ କୁଶଲେଶ୍ୱର ମାଝୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନେ ଗୁରୁଜନଙ୍କ ପ୍ରତି ନିଜର ସମ୍ମାନ ଓ କୃତଜ୍ଞତା ଜଣାଇଥିଲେ। ବିଦ୍ୟାଳୟରେ ଗୁରୁଦିବସ ପାଳନ ଦ୍ୱାରା ଛାତ୍ରଛାତ୍ରୀଙ୍କ ମନରେ ଗୁରୁଙ୍କ ପ୍ରତି ଆଦର, ସମ୍ମାନ ଓ ଶିକ୍ଷା ପ୍ରତି ଆଗ୍ରହ ବୃଦ୍ଧି ପାଇବା ସହ ଏହି ଦିନଟି ସମସ୍ତଙ୍କ ପାଇଁ ଏକ ସ୍ମରଣୀୟ ଦିନ ହୋଇଥିଲା।