--:--:--
-- ---
Srishti News

ଭଦ୍ରକ ଜିଲ୍ଲାରେ ଅଭାବନୀୟ ଘଟଣା: ବିଷାକ୍ତ ସାପ କାମୁଡ଼ାରେ ସ୍ୱାମୀ-ସ୍ତ୍ରୀ ମୃତ

Bhadrak (ଭଦ୍ରକ)ରିପୋର୍ଟ :ଶିଶିର କୁମାର ସ୍ୱାଇଁSeptember 5, 202689 views
ଭଦ୍ରକ ଜିଲ୍ଲାରେ ଅଭାବନୀୟ ଘଟଣା: ବିଷାକ୍ତ ସାପ କାମୁଡ଼ାରେ ସ୍ୱାମୀ-ସ୍ତ୍ରୀ ମୃତ
ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅନ୍ତର୍ଗତ ଈଶ୍ୱରପୁର ଗାଁରେ ଘଟିଛି ଏକ ଅତ୍ୟନ୍ତ ଦୁଃଖଦ ଓ ଅଭାବନୀୟ ଘଟଣା। ବିଷାକ୍ତ ସାପ କାମୁଡ଼ାରେ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଘରେ ଶୋଇଥିବା ସମୟରେ ପ୍ରଥମେ ସ୍ତ୍ରୀ ପ୍ରମିଳାଙ୍କୁ ସାପ କାମୁଡ଼ିଥିଲା। ସାପ କାମୁଡ଼ିବା ପରେ ତାଙ୍କର ମୁଣ୍ଡ ବୁଲାଇବା ସହ ଆଖିକୁ ଠିକ୍‌ ଭାବେ ଦେଖାଯାଇନଥିଲା। ପରିବାର ଲୋକେ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ପ୍ରମିଳାଙ୍କୁ ମୃତ ଘୋଷଣା କରିଥିଲେ। ପରେ ପ୍ରମିଳାଙ୍କ ଶବକୁ ପୋତି ଦିଆଯାଇଥିଲା। ତେବେ ପରଦିନ ସ୍ୱାମୀ ପରମାନନ୍ଦଙ୍କର ମଧ୍ୟ ସମାନ ଭାବେ ମୁଣ୍ଡ ବୁଲାଇବା ସହ ଆଖିକୁ ଦେଖାଯାଇନଥିଲା। ତାଙ୍କୁ ତୁରନ୍ତ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ପରମାନନ୍ଦଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ପରମାନନ୍ଦଙ୍କ ଶବ ବ୍ୟବଚ୍ଛେଦ ପରେ ସାପ କାମୁଡ଼ା ଯୋଗୁଁ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା। ଏହାପରେ ପୂର୍ବରୁ ପୋତି ଦିଆଯାଇଥିବା ପ୍ରମିଳାଙ୍କ ଶବକୁ ମଧ୍ୟ ମାଟି ଖୋଳି ବାହାର କରାଯାଇଥିଲା। ପରେ ତାଙ୍କ ଶବକୁ ଡାକ୍ତରଖାନା ନିଆଯାଇ ବ୍ୟବଚ୍ଛେଦ କରାଯାଇଥିଲା। ବ୍ୟବଚ୍ଛେଦ ପରେ ତାଙ୍କର ମୃତ୍ୟୁ ମଧ୍ୟ ସାପ କାମୁଡ଼ା ଯୋଗୁଁ ହୋଇଥିବା ଡାକ୍ତରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା। ଏହି ଅତ୍ୟନ୍ତ ଦୁଃଖଦ ଘଟଣା ପରେ ଈଶ୍ୱରପୁର ଗାଁ ସମେତ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଏକାସାଙ୍ଗରେ ସ୍ୱାମୀ-ସ୍ତ୍ରୀଙ୍କୁ ହରାଇ ପରିବାର ଲୋକେ ଗଭୀର ଶୋକରେ ରହିଛନ୍ତି।