ଚିକିଟି ମହାବିଦ୍ୟାଳୟରେ ଉଦ୍ୟାନ କୃଷି ସଚେତନତା କାର୍ଯ୍ୟକ୍ରମ: ଉଜ୍ଜ୍ୱଳ ଭବିଷ୍ୟତ ଓ ପୁଷ୍ଟି ନିରାପତ୍ତା ଉପରେ ଆଲୋଚନା
Ganjam (ଗଞ୍ଜାମ)ଦୁର୍ଗା ମାଧବ ମହାରଣାSeptember 5, 202622 views

ଚିକିଟି ,ତା ୫/୯: ସ୍ଥାନୀୟ ଚିକିଟି ମହାବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ପ୍ରେରଣାଦାୟୀ ବକ୍ତୃତା କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଅଭିମନ୍ୟୁ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ବକ୍ତା ଶ୍ରୀ ଆଲୋକ କୁମାର ବେହେରା, ସହକାରୀ ଉଦ୍ୟାନ କୃଷି ଅଧିକାରୀ ଯୋଗଦେଇ ଆଧୁନିକ ଯୁଗରେ ଉଦ୍ୟାନ କୃଷିର ଗୁରୁତ୍ୱ, ସାମଗ୍ରିକ ବିକାଶ ତଥା ଯୁବପିଢ଼ିଙ୍କ ପାଇଁ ଏହାର ଆବଶ୍ୟକତା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।
ବକ୍ତବ୍ୟରେ ମୁଖ୍ୟତଃ ତିନୋଟି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋକପାତ କରାଯାଇଥିଲା:
ଉଦ୍ୟାନ କୃଷିର ଉପାଦେୟତା: ପାରମ୍ପରିକ ଚାଷ ତୁଳନାରେ ଉଦ୍ୟାନ କୃଷି କିଭଳି କୃଷକଙ୍କ ଆୟ ବୃଦ୍ଧି ସହ ପରିବେଶ ସନ୍ତୁଳନ ରକ୍ଷା କରିପାରିବ, ସେ ବିଷୟରେ ଛାତ୍ରଛାତ୍ରୀଙ୍କୁ ବୁଝାଯାଇଥିଲା।
ଖାଦ୍ୟ ଓ ପୁଷ୍ଟି ନିରାପତ୍ତା: ଶରୀର ପାଇଁ ଆବଶ୍ୟକ ଭିଟାମିନ୍ ଏବଂ ଖଣିଜ ଲବଣ ଯୋଗାଇବାରେ ଫଳ, ପନିପରିବା ତଥା ଔଷଧୀୟ ବୃକ୍ଷର ଭୂମିକା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। କୁପୋଷଣ ଦୂର କରି ସୁସ୍ଥ ସମାଜ ଗଠନରେ ଏହି କ୍ଷେତ୍ରର ଅବଦାନ ଅପରିହାର୍ଯ୍ୟ।
ନିଯୁକ୍ତି ଓ ବୃତ୍ତିଗତ ସୁଯୋଗ: ଉଦ୍ୟାନ କୃଷି ଏବେ କେବଳ ଚାଷ ମଧ୍ୟରେ ସୀମିତ ନୁହେଁ। ଏଥିରେ କୃଷି-ଉଦ୍ୟୋଗ, ଖାଦ୍ୟ ପ୍ରକ୍ରିୟାକରଣ, ଫୁଲ ଚାଷ, ଲ୍ୟାଣ୍ଡସ୍କେପିଂ, ଗବେଷଣା ଏବଂ ସରକାରୀ ଓ ବେସରକାରୀ କ୍ଷେତ୍ରରେ ଅସଂଖ୍ୟ ନିଯୁକ୍ତି ସୁଯୋଗ ରହିଛି।
ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ତାରା ସାର୍, ପବିତ୍ର ସାର୍, ପ୍ରଶାନ୍ତ ସାର୍ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଏବଂ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ। ଏହି ପ୍ରେରଣାଦାୟୀ ଅଧିବେଶନ ଛାତ୍ରଛାତ୍ରୀମାନଙ୍କୁ କୃଷି କ୍ଷେତ୍ରରେ ନୂତନ ଉଦ୍ୟୋଗୀ ହେବା ପାଇଁ ଯଥେଷ୍ଟ ଉତ୍ସାହିତ କରିଥିଲା।
ସଭା ଶେଷରେ ପ୍ରାଣୀବିଜ୍ଞାନ ବିଭାଗର ଅଧ୍ୟାପକ ଶ୍ରୀ କାହ୍ନୁ ଚରଣ ଜେନା ମହାବିଦ୍ୟାଳୟ ତରଫରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
