ଭଟଲି-ଅମ୍ବାଭୋନା ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା: ଦୁଇ ମୃତ, ପିକ୍ଅପ୍ ଚାଳକ ଗିରଫ
Bargarh (ବରଗଡ଼)ସତ୍ୟ ସୁରୁଜଳSeptember 4, 202627 views

ବରଗଡ଼: ଭଟଲିରୁ ଅମ୍ବାଭୋନା ଆଡ଼କୁ ଯାଇଥିବା ରାଜ୍ୟ ରାଜପଥର ମେଣ୍ଢାପାଲି ନିକଟରେ ଶୁକ୍ରବାର ଦିନ ପ୍ରାୟ ୧୧ଟା ୫୦ ମିନିଟ୍ ସମୟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ପିକ୍ଅପ୍ ଭ୍ୟାନ୍ (OD-15-AD-7892) ଓ ହିରୋ HF ଡିଲକ୍ସ ମୋଟରସାଇକେଲ୍ (OD-17-9989) ମଧ୍ୟରେ ଭୟାବହ ଧକ୍କା ହେବାରୁ ଘଟଣାସ୍ଥଳରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି।
ମୃତକମାନେ ହେଲେ ଟୁକୁର୍ଲା ଗ୍ରାମର ସୁନୀଲ ମହାନନ୍ଦ ଏବଂ ଲଖନପୁର ଗ୍ରାମର କାଳିଆ ପ୍ରଧାନ। ଉଭୟେ ଲଖନପୁର ପଟୁ ଫେରୁଥିବା ସମୟରେ ମେଣ୍ଢାପାଲି ନିକଟରେ ବରଗଡ଼ ପଟୁ ଦ୍ରୁତଗତିରେ ଆସୁଥିବା ପିକ୍ଅପ୍ ସହ ତାଙ୍କ ବାଇକ୍ର ଧକ୍କା ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣା ପରେ ପିକ୍ଅପ୍ଟି ଘଟଣାସ୍ଥଳରୁ ଫେରାର ହେଉଥିବା ବେଳେ ଅମ୍ବାଭୋନା ପୋଲିସ ଏହାକୁ ଜବତ କରିବା ସହ ଚାଳକଙ୍କୁ ଗିରଫ କରିଥିବା ସୂଚନା ମିଳିଛି।
ଘଟଣାସ୍ଥଳରେ ଭଟଲି ପୋଲିସ ପହଞ୍ଚି ଦୁଇ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ଭଟଲି ପୋଲିସ ଏକ ଦୁର୍ଘଟଣାଜନିତ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାରେ ଦୁଇଟି ପରିବାର ଉପରେ ଶୋକର ଛାୟା ଖେଳିଯାଇଛି। ବିଶେଷକରି ସୁନୀଲଙ୍କ ପରିବାରରେ ଛୋଟ ଛୋଟ ପୁଅ ଓ ଝିଅ ଥିବା ଜଣାପଡ଼ିଥିବାରୁ ଘଟଣାଟି ଅଞ୍ଚଳବାସୀଙ୍କୁ ମର୍ମାହତ କରିଛି।
