--:--:--
-- ---
Srishti News

ରାସ୍ତା କଡ଼ରେ ପନିପରିବା ହାଟ, ଯାତାୟାତରେ ହଇରାଣ ସାଲିଆସାହିବାସୀ

Bhubaneswar (ଭୁବନେଶ୍ୱର)ରିପୋର୍ଟ : ସୁକାନ୍ତ ପ୍ରଧାନSeptember 4, 202629 views
ରାସ୍ତା କଡ଼ରେ ପନିପରିବା ହାଟ, ଯାତାୟାତରେ ହଇରାଣ ସାଲିଆସାହିବାସୀ
ଭୁବନେଶ୍ୱର, ସାଲିଆସାହି: ପନିପରିବା ବିକ୍ରି ପାଇଁ ନିର୍ଦ୍ଦିଷ୍ଟ ହାଟ କିମ୍ବା ବେଣ୍ଡିଂ ଜୋନ୍‌ର ଅଭାବ ଯୋଗୁଁ ସାଲିଆସାହି ଅଞ୍ଚଳରେ ରାସ୍ତା କଡ଼ରେ ବସୁଛନ୍ତି ପନିପରିବା ବ୍ୟବସାୟୀ। ଫଳରେ ଛୋଟ ରାସ୍ତାଟିରେ ଯାତାୟାତ କରୁଥିବା ଲୋକଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଛବିରେ ଦେଖାଯାଉଛି, ରାସ୍ତାର ଉଭୟ ପାର୍ଶ୍ୱରେ ବ୍ୟବସାୟୀମାନେ ପନିପରିବା ଓ ଅନ୍ୟାନ୍ୟ ସାମଗ୍ରୀ ରଖି ବସିଛନ୍ତି। ଏହାଦ୍ୱାରା ରାସ୍ତାର ଉପଲବ୍ଧ ଜାଗା କମିଯାଉଥିବାରୁ ପଥଚାରୀ ଓ ଦୁଇଚକିଆ ଯାନ ଚଳାଚଳରେ ଅସୁବିଧା ହେଉଛି। ସହରରେ ବ୍ୟବସାୟୀଙ୍କ ପାଇଁ ବେଣ୍ଡିଂ ଜୋନ୍ ବ୍ୟବସ୍ଥା ଥିବା କଥା ବିଏମ୍‌ସି ନିଜ ୱେବସାଇଟ୍‌ରେ ଉଲ୍ଲେଖ କରିଛି। ଏପରିକି ସାଲିଆସାହି ସମ୍ବନ୍ଧିତ ଜୟଦେବ ବିହାର ସାଲିଆସାହି ଅଞ୍ଚଳରେ ଏକ ବେଣ୍ଡିଂ ଜୋନ୍ ତାଲିକାଭୁକ୍ତ ହୋଇଛି। ତେବେ ସ୍ଥାନୀୟ ବ୍ୟବସାୟୀମାନଙ୍କୁ ପନିପରିବା ବିକ୍ରି ପାଇଁ ଉପଯୁକ୍ତ ସ୍ଥାନ ମିଳୁନଥିବା ଅଭିଯୋଗ ଉଠିଛି। ବିଡିଏ ଓ ବିଏମ୍‌ସି ପକ୍ଷରୁ ଉପଯୁକ୍ତ ଜାଗା ଚିହ୍ନଟ କରି ହାଟ ବ୍ୟବସ୍ଥା କରାଯାଉ, ଯାହାଦ୍ୱାରା ବ୍ୟବସାୟୀଙ୍କ ଜୀବିକା ସୁରକ୍ଷିତ ରହିବା ସହ ରାସ୍ତା ମଧ୍ୟ ଯାତାୟାତ ପାଇଁ ସୁବିଧାଜନକ ହେବ—ଏଭଳି ଦାବି ଉଠୁଛି। ପ୍ରଶ୍ନ ହେଉଛି—ବ୍ୟବସାୟୀଙ୍କ ପାଇଁ ସ୍ଥାୟୀ ହାଟ କେବେ ହେବ? ଆଉ ରାସ୍ତା କଡ଼ରେ ହାଟ ଯୋଗୁଁ ହେଉଥିବା ଯାତାୟାତ ସମସ୍ୟାର ସମାଧାନ କେବେ?