ହୋ ଭାଷାକୁ ସ୍ୱୀକୃତି ଦାବିରେ ଗଣଧାରଣା ତିରିଂରୁ ପଦଯାତ୍ରା କରି ଭୁବନେଶ୍ୱରରେ ପହଞ୍ଚିଲେ ହୋ ଭାଷୀ ଆଦିବାସୀ
Bhubaneswar (ଭୁବନେଶ୍ୱର)ଲକ୍ଷ୍ମୀଧର ମୁର୍ମୁSeptember 3, 202621 views

ଭୁବନେଶ୍ୱର: “ହୋ ଭାଷା ଜିନ୍ଦାବାଦ୍… ହୋ ଭାଷା ଅଧିକାର ଆମକୁ ମିଳିବ ହିଁ ମିଳିବ”—ଏଭଳି ସ୍ଲୋଗାନରେ ଗୁଞ୍ଜରିତ ହେଉଛି ରାଜଧାନୀ ଭୁବନେଶ୍ୱରର ଗାନ୍ଧୀ ମାର୍ଗ। ହୋ ଭାଷାକୁ ସରକାରୀ ସ୍ୱୀକୃତି ପ୍ରଦାନ ସହ ଶିକ୍ଷା କ୍ଷେତ୍ରରେ ଏହାର ବ୍ୟବହାର ଦାବିରେ ଆନ୍ଦୋଳନକାରୀମାନେ ଗଣଧାରଣାରେ ବସିଛନ୍ତି।
ମୟୂରଭଞ୍ଜ ଜିଲ୍ଲାର ତିରିଂରୁ ପଦଯାତ୍ରା କରି ଭୁବନେଶ୍ୱରରେ ପହଞ୍ଚିଛନ୍ତି ବହୁ ହୋ ଭାଷୀ ଆଦିବାସୀ। ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବା ସହ ହୋ ଭାଷାକୁ ଆବଶ୍ୟକ ସ୍ୱୀକୃତି ଦେବାକୁ ସେମାନେ ଦାବି କରିଛନ୍ତି।
ଆନ୍ଦୋଳନକାରୀଙ୍କ କହିବା ଅନୁଯାୟୀ, ଭାଷା ବଞ୍ଚିଲେ ସମାଜ ବଞ୍ଚିବ, ସମାଜ ବଞ୍ଚିଲେ ପରମ୍ପରା ଓ ସଂସ୍କୃତି ବଞ୍ଚିବ। ଏହା ସହିତ ଜଡ଼ିତ ରହିଛି ଏକ ସମ୍ପ୍ରଦାୟର ନିଜସ୍ୱ ପରିଚୟ। ହୋ ସମାଜର ନିଜସ୍ୱ ଭାଷା ସହ ସ୍ୱତନ୍ତ୍ର ଲିପି ‘ୱାରାଙ୍ଗ ଚିତି’ ମଧ୍ୟ ରହିଛି।
ଆନ୍ଦୋଳନକାରୀଙ୍କ ଦାବି ଅନୁସାରେ, ଓଡ଼ିଶାରେ ବହୁ ସଂଖ୍ୟକ ଲୋକ ହୋ ଭାଷା ବ୍ୟବହାର କରୁଛନ୍ତି। ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱର ଭଳି ଜିଲ୍ଲାରେ ହୋ ଭାଷୀ ଲୋକମାନେ ନିଜ ଭାଷାରେ ପଢ଼ିବା ଓ ଲେଖିବା କରୁଛନ୍ତି।
ତେବେ ମାତୃଭାଷାରେ ପ୍ରାଥମିକ ଶିକ୍ଷାର ସୁଯୋଗ ଅଭାବରୁ ଅନେକ ହୋ ଭାଷୀ ଶିଶୁଙ୍କୁ ଓଡ଼ିଆ ଭାଷାରେ ପଢ଼ାପଢ଼ି କରିବା ସମୟରେ ଅସୁବିଧା ହେଉଥିବା ଆନ୍ଦୋଳନକାରୀମାନେ କହିଛନ୍ତି। ପ୍ରାଥମିକ ସ୍ତରରୁ ହୋ ଭାଷାରେ ଶିକ୍ଷା ଦିଆଗଲେ ପିଲାମାନଙ୍କ ପାଇଁ ଶିକ୍ଷା ଗ୍ରହଣ ଅଧିକ ସହଜ ହେବ ବୋଲି ସେମାନଙ୍କ ମତ।
ହୋ ଭାଷାରେ ଶିକ୍ଷାଦାନ ପାଇଁ ସରକାରଙ୍କ ପକ୍ଷରୁ ବହୁଭାଷୀ ଶିକ୍ଷା କାର୍ଯ୍ୟକ୍ରମ ମାଧ୍ୟମରେ ପୂର୍ବରୁ ପ୍ରୟାସ ହୋଇଥିବା ଏବଂ ଶିକ୍ଷକ ନିଯୁକ୍ତି ମଧ୍ୟ ହୋଇଥିବା ଆନ୍ଦୋଳନକାରୀମାନେ କହିଛନ୍ତି। କିନ୍ତୁ ଭାଷାକୁ ଆବଶ୍ୟକ ସ୍ୱୀକୃତି ନମିଳିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଛାତ୍ର ନେତା କ୍ଷୀରୋଦ କୁମାର ହେମ୍ବ୍ରମ କହିଛନ୍ତି, “ଆମ ହୋ ଭାଷାକୁ ସ୍ୱୀକୃତି ଦିଆଯାଉ। ନଚେତ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ।”
ଅନ୍ୟପକ୍ଷରେ, ଆନ୍ଦୋଳନକାରୀଙ୍କ ଦାବି ଅନୁସାରେ, ସମଗ୍ର ଭାରତରେ ଲକ୍ଷ ଲକ୍ଷ ଲୋକ ହୋ ଭାଷା ବ୍ୟବହାର କରୁଛନ୍ତି। ବିଭିନ୍ନ ସାମାଜିକ ସଂଗଠନ ଓ ବେସରକାରୀ ସଂସ୍ଥା ମାଧ୍ୟମରେ ଭାଷାର ପ୍ରଚାର ଓ ପ୍ରସାର ଜାରି ରହିଛି।
ହୋ ଭାଷାକୁ ସ୍ୱୀକୃତି ଦାବିରେ ଓଡ଼ିଶା ସମେତ ଦିଲ୍ଲୀରେ ମଧ୍ୟ ବିଭିନ୍ନ ସମୟରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ହୋଇଥିବା ଆନ୍ଦୋଳନକାରୀମାନେ କହିଛନ୍ତି। ଭାଷାଟି ସ୍ୱୀକୃତି ପାଇଁ ଆବଶ୍ୟକ ମାନଦଣ୍ଡ ପୂରଣ କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ସରକାରୀ ସ୍ୱୀକୃତି ମିଳିନଥିବା ସେମାନଙ୍କ ଅଭିଯୋଗ।
ସମାଜସେବୀ ଦମାଇ ରିମିଲସିଂ ଗୁଇପାଇ କହିଛନ୍ତି, “ଆମର ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆମେ ଆମରଣ ଅନଶନରେ ବସି ରହିବୁ।”
ବର୍ତ୍ତମାନ ଗାନ୍ଧୀ ମାର୍ଗ ଆନ୍ଦୋଳନସ୍ଥଳରେ ବହୁ ହୋ ଭାଷୀ ଯୁବକ, ସମାଜସେବୀ, ବୁଦ୍ଧିଜୀବୀ ଓ ସମର୍ଥକ ଉପସ୍ଥିତ ରହି ଆନ୍ଦୋଳନକୁ ସମର୍ଥନ ଜଣାଉଛନ୍ତି। ହୋ ଭାଷାକୁ ସ୍ୱୀକୃତି ଦାବିରେ ଚାଲିଥିବା ଏହି ଆନ୍ଦୋଳନ ଆଗାମୀ ଦିନରେ କେଉଁ ରୂପ ନେଉଛି, ଏବେ ତାହା ଉପରେ ନଜର ରହିଛି।
