--:--:--
-- ---
Srishti News

ଦଣ୍ଡପାଟରେ ପୁଣି ଆଉ ଜଣେ ଦାଦନ ଶ୍ରମିକଙ୍କ ମୃତ ଦେହ ଗାଁ କୁ ଫେରିଛି

Kalahandi (କଳାହାଣ୍ଡି)ରୁପେନ୍ଦ୍ର ସୁନାନୀSeptember 3, 2026168 views
ଦଣ୍ଡପାଟରେ ପୁଣି ଆଉ ଜଣେ ଦାଦନ ଶ୍ରମିକଙ୍କ ମୃତ ଦେହ ଗାଁ କୁ ଫେରିଛି
କଳାହାଣ୍ଡି,କୋକସରା ୦୩/୦୯:ଦାଦନ ସମସ୍ୟା ଓ ମୃତ୍ୟୁ ସହ ଅତି ଆପଣାର ହୋଇଯାଇଛି ଦଣ୍ଡପାଟ ଅଞ୍ଚଳ। ଏହି ଅଞ୍ଚଳରୁ କେତେ ଯେ ମାଟିର ମଣିଷ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ମୃତ୍ୟୁ ବରଣ କଲେଣି ତାହାର ହିସାବ ନାହିଁ।ସରକାର୍ ଯେତେ ବି ଯୋଜନା କଲେ ବି ଦାଦନ ସମସ୍ୟାର ସ୍ଥାୟୀ ସମାଧାନ ହୋଇ ପାରିଲା ନାହିଁ। ଦାଦନ ଓ ମୃତ୍ୟୁ ସମସ୍ୟା ଧିରେ ଧିରେ ବଢି ଚାଲିଛି ସିନା କମିବାର ନାଁ ଧରୁ ନାହିଁ। ପୁଣି ଦାଦନ ଖଟିବାକୁ ଯାଇ ଆଉ ଜଣେ ରୋଜଗାରିଆ ପୁଅଙ୍କ ମୃତ ଦେହ ଗୁରୁବାର ହାଇଦ୍ରାବାଦରୁ ଗାଁ କୁ ଫେରିଛି । ସୂଚନା ଅନୁସାରେ ଧର୍ମଗଡ଼ ବ୍ଲକ ପର୍ଲା ପଞ୍ଚାୟତ ଅନ୍ତର୍ଗତ ଲଛିପୁର ଗ୍ରାମର ଜୟରାମ ସୁନାନୀ କିଛି ମାସ ତଳେ ନିଜ ଭାଇଙ୍କ ସହ କାମ କରିବାକୁ ହାଇଦ୍ରାବାଦ ଯାଇଥିଲେ। ସେଠାରେ ଜଣେ ଠିକାଦାରଙ୍କ ଅଧୀନରେ ରହି କାମ କରୁଥିଲେ। ମଙ୍ଗଳବାର କାମରୁ ଫେରିବା ପରେ ହଠାତ୍ ସେ ଅସୁସ୍ଥ ହୋଇପଡ଼ିଥିଲେ। ସାଥୀ ଶ୍ରମିକମାନେ ତାଙ୍କୁ ତୁରନ୍ତ ନିକଟସ୍ଥ ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ। ଜରୁରୀ ଚିକିତ୍ସା ପାଇଁ ପ୍ରାୟ ୨ ଲକ୍ଷ ଟଙ୍କା ଆବଶ୍ୟକ ବୋଲି ହସ୍ପିଟାଲ ପକ୍ଷରୁ କୁହାଯିବା ପରେ ଟଙ୍କା ଅଭାବରୁ ଜୟରାମଙ୍କୁ ସରକାରୀ ଗାନ୍ଧୀ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା।ଗୁରୁବାର ଜୟରାମଙ୍କ ମୃତଦେହ ଲଛିପୁରସ୍ଥିତ ନିଜ ଜନ୍ମ ମାଟିରେ ପହଞ୍ଚିବା ପରେ ପରିବାର, ଗାଁ ତଥା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା। ବର୍ତ୍ତମାନ ଜୟରାମଙ୍କ ପରିବାରରେ ଗର୍ଭବତୀ ସ୍ତ୍ରୀ ଓ ୧୨ ବର୍ଷର ଜଣେ ପୁଅ ରହିଛନ୍ତି। ସ୍ୱାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ଚିନ୍ତାରେ ପଡ଼ି ଯାଇଛନ୍ତି। ଅତ୍ୟନ୍ତ ଗରିବ ପରିବାର ହୋଇଥିବାରୁ ଜୟରାମଙ୍କ ମୃତ୍ୟୁ ପରେ ସ୍ତ୍ରୀ ଉପରେ ପରିବାରର ବୋଝ ଆହୁରି ବଢ଼ିଯାଇଛି।ଏଭଳି ଦୁଃଖଦ ପରିସ୍ଥିତିରେ ମୃତକଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା, ପରିବାର ସୁରକ୍ଷା ଯୋଜନାରେ ସହାୟତା, ବିଧବା ଭତ୍ତା ଓ ଆବାସ ଯୋଜନାରେ ଘର ଯୋଗାଇଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି।