--:--:--
-- ---
Srishti News

ଗୋମାତା ଜନ୍ମ ଦେଲା ଅଦ୍ଭୁତ ଛୁଆ, ତିନୋଟି କାନ ଦେଖିବାକୁ ଲୋକଙ୍କ ଭିଡ଼

Bhadrak (ଭଦ୍ରକ)ରିପୋର୍ଟ :ଶିଶିର କୁମାର ସ୍ୱାଇଁAugust 31, 202659 views
ଗୋମାତା ଜନ୍ମ ଦେଲା ଅଦ୍ଭୁତ ଛୁଆ, ତିନୋଟି କାନ ଦେଖିବାକୁ ଲୋକଙ୍କ ଭିଡ଼
ଭଦ୍ରକ, ଧାମନଗର: ଭଦ୍ରକ ଜିଲ୍ଲା ଧାମନଗର ବିଜ୍ଞାପିତ ଅଞ୍ଚଳର ୩ ନମ୍ବର ୱାର୍ଡ ଅନ୍ତର୍ଗତ ଜୟନଗର ଗ୍ରାମରେ ଏକ ଅଦ୍ଭୁତ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଗ୍ରାମର ଦୋଳଗୋବିନ୍ଦ ଜେନା ଦୀର୍ଘଦିନ ଧରି ଏକ ଗାଈ ପାଳି ଆସୁଥିଲେ। ପରିବାର ଲୋକମାନେ ମଧ୍ୟ ଗାଈଟିକୁ ନିଜ ପରିବାରର ଜଣେ ସଦସ୍ୟ ଭଳି ଅତ୍ୟନ୍ତ ସ୍ନେହ ଓ ଯତ୍ନରେ ରଖିଥିଲେ। ତେବେ ଆଜି ଗାଈଟି ଏକ ଛୁଆ ଜନ୍ମ ଦେବା ପରେ ପରିବାର ଲୋକଙ୍କ ଖୁସିର ସୀମା ରହିନଥିଲା। ମାତ୍ର ଛୁଆଟିକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ। କାରଣ ନବଜାତ ଛୁଆଟିର ତିନୋଟି କାନ ଥିବା ଦେଖିବାକୁ ମିଳିଛି। ଏହି ଅସାଧାରଣ ଦୃଶ୍ୟର ଖବର ଧୀରେ ଧୀରେ ଆଖପାଖ ଅଞ୍ଚଳରେ ପ୍ରଚାର ହେବା ପରେ ଜୟନଗର ଗ୍ରାମରେ ଲୋକଙ୍କ ଭିଡ଼ ଜମିବା ଆରମ୍ଭ ହୋଇଛି। ବହୁ ଲୋକ ନବଜାତ ଛୁଆଟିକୁ ଦେଖିବା ପାଇଁ ଦୋଳଗୋବିନ୍ଦ ଜେନାଙ୍କ ଘରେ ପହଞ୍ଚୁଛନ୍ତି। ଗାଈଟି ସୁସ୍ଥ ଭାବେ ଛୁଆ ଜନ୍ମ ଦେଇଥିବାରୁ ପରିବାର ଲୋକେ ଖୁସି ଥିବା ବେଳେ ତିନୋଟି କାନ ଥିବା ଏହି ଅଦ୍ଭୁତ ଛୁଆଟି ଏବେ ସମଗ୍ର ଅଞ୍ଚଳରେ ଆକର୍ଷଣର କେନ୍ଦ୍ର ପାଲଟିଛି। ଘଟଣାଟିକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ମଧ୍ୟ ବେଶ୍‌ କୌତୂହଳ ସୃଷ୍ଟି ହୋଇଛି। ପରିବାର ଲୋକଙ୍କ କହିବା ଅନୁଯାୟୀ, ସେମାନେ ଗାଈଟିକୁ ଦୀର୍ଘଦିନ ଧରି ନିଜ ପରିବାରର ଛୁଆ ଭଳି ଭଲପାଇ ଆସୁଥିଲେ। ତେଣୁ ଏହି ନବଜାତ ଛୁଆଟିକୁ ମଧ୍ୟ ସେମାନେ ସେହିପରି ଯତ୍ନ ଓ ସ୍ନେହରେ ରଖିବେ ବୋଲି କହିଛନ୍ତି। ତେବେ ଏପରି ଜନ୍ମଗତ ଭିନ୍ନତାର କାରଣ କ’ଣ, ତାହା ଜାଣିବା ପାଇଁ ପଶୁ ଚିକିତ୍ସକଙ୍କ ପରାମର୍ଶ ନିଆଯିବା ଆବଶ୍ୟକ। ଘଟଣାଟି ଏବେ ଧାମନଗର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।