ନିଜସ୍ୱ ପାଣ୍ଠି ସଂଗ୍ରହରେ ହିନ୍ଦୋଳ ଏନ୍ ଏ ସି ରାଜ୍ୟରେ ଶ୍ରେଷ୍ଠ
Dhenkanal (ଢେଙ୍କାନାଳ)ରିପୋର୍ଟ ସୁଶାନ୍ତ କୁମାର ପୋଥାଳ ସ୍ୱତନ୍ତ୍ର ପ୍ରତିନିଧି ଢେ଼ଙ୍କାନାଳAugust 31, 202616 views

ଢ଼େଙ୍କାନାଳ ୩୧ .୮ -
ରାଜ୍ୟ ସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ନିଜସ୍ୱ ପାଣ୍ଠି ସଂଗ୍ରହ କ୍ଷେତ୍ରରେ ରାଜ୍ୟରେ ଶ୍ରେଷ୍ଠ ବିବେଚିତ ହୋଇ ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦ ସମ୍ମାନିତ ହୋଇଛି।
ଭୁବନେଶ୍ୱରଠାରେ ଆୟୋଜିତ ସ୍ୱାୟତ୍ତ ଶାସନ ଦିବସ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ହିନ୍ଦୋଳ ଏନ୍ ଏ ସି ଅଧ୍ୟକ୍ଷ ଶ୍ରୀ କେଶବ ଚନ୍ଦ୍ର ପ୍ରଧାନ ଓ ନିର୍ବାହୀ ଅଧିକାରୀ ଶ୍ରୀ ରାଜୀବ ଲୋଚନ ବେହେରାଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ। ଏଥିସହିତ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏନ୍ ଏ ସି କୁ ୨ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ମିଳିଛି।
ଏହି ସଫଳତା ପଛରେ ମୁଖ୍ୟତଃ ହୋଲ୍ଡିଂ ଟ୍ୟାକ୍ସର ବକେୟା ଅର୍ଥ ଆଦାୟକୁ ପ୍ରାଧାନ୍ୟ ଦିଆଯାଇଥିବା ନେଇ ଏନ୍ ଏ ସି ପକ୍ଷରୁ କୁହାଯାଇଛି। ବକେୟା ଅର୍ଥ ଆଦାୟ ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଆଦାୟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଥିଲା। ହିନ୍ଦୋଳ ଏନ୍ ଏ ସି ର ଜନସାଧାରଣ ମଧ୍ୟ ସହଯୋଗ କରି ବକେୟା ଅର୍ଥ ପୈଠ କରିଥିଲେ।
ଏଥିସହିତ ଏନ୍ ଏ ସି ଅଧୀନରେ ନିଲାମ ହୋଇନଥିବା ବିଭିନ୍ନ ସୈରାତକୁ ନିଲାମ କରାଯାଇ ଅନ୍ୟାନ୍ୟ ଉତ୍ସରୁ ରାଜସ୍ୱ ସଂଗ୍ରହକୁ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ଏହି କ୍ରମରେ ୪୪ଟି ଟେଣ୍ଡର ପ୍ରକ୍ରିୟା କରାଯାଇ ନିଜସ୍ୱ ପାଣ୍ଠି ସଂଗ୍ରହ ବୃଦ୍ଧି କରାଯାଇଥିଲା।
ମିଳିଥିବା ୨ କୋଟି ଟଙ୍କାର ପ୍ରୋତ୍ସାହନ ରାଶିକୁ ମଧ୍ୟ ଭବିଷ୍ୟତରେ ଏନ୍ ଏ ସି ର ନିଜସ୍ୱ ପାଣ୍ଠିକୁ ଆହୁରି ସୁଦୃଢ଼ କରିବା ଦିଗରେ ବିନିଯୋଗ କରାଯିବ ବୋଲି ଶ୍ରୀ ବେହେରା କହିଛନ୍ତି।
ଏଥିସହିତ ଦୋକାନ ଗୃହ, ଭେଣ୍ଡିଂ ଜୋନ୍ ଆଦି ନିର୍ମାଣ କରାଯାଇ ସେଗୁଡ଼ିକରୁ ନିୟମିତ ରାଜସ୍ୱ ଆଦାୟ ମାଧ୍ୟମରେ ଏନ୍ ଏ ସି ର ଆର୍ଥିକ ସ୍ୱାବଲମ୍ବନକୁ ଆହୁରି ମଜବୁତ କରିବାର ଯୋଜନା ରହିଛି।
