ନୂଆପଡ଼ା ଏନ୍ଏସିକୁ ରାଜ୍ୟସ୍ତରୀୟ ସମ୍ମାନ; ମିଳିଲା ୨ କୋଟିର ପୁରସ୍କାର
Nuapada (ନୂଆପଡ଼ା)ବିଜୟ ବରିହାAugust 31, 202612 views

ନୂଆପଡ଼ା, ୩୧/୦୮ : ନିଜସ୍ୱ ରାଜସ୍ୱ ସଂଗ୍ରହ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରି ନୂଆପଡ଼ା ଜିଲ୍ଲାର ସଫଳତା ତାଲିକାରେ ଆଉ ଏକ ଗୌରବମୟ ଅଧ୍ୟାୟ ଯୋଡ଼ିଛି ନୂଆପଡ଼ା ଏନ୍ଏସି। ଉତ୍କୃଷ୍ଟ ରାଜସ୍ୱ ସଂଗ୍ରହ ପାଇଁ ନୂଆପଡ଼ା ଏନ୍ଏସିକୁ ‘ବେଷ୍ଟ ପରଫର୍ମିଂ ଅର୍ବାନ୍ ଲୋକାଲ୍ ବଡି (ULB)’ ଭାବେ ସମ୍ମାନିତ କରାଯାଇଥିବା ବେଳେ ଏଥିପାଇଁ ୨ କୋଟି ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଛି।
ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ପ୍ରଯୁକ୍ତି ବିଶ୍ୱବିଦ୍ୟାଳୟ (OUAT)ର କୃଷି ଶିକ୍ଷା ସଦନଠାରେ ସୋମବାର ଆୟୋଜିତ ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆପଡ଼ା ଏନ୍ଏସି ପକ୍ଷରୁ ଅଧ୍ୟକ୍ଷ ମହମ୍ମଦ ଆଦମ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ଦୀପ କୁମାର ଚନ୍ଦ୍ରାକରଙ୍କୁ ଏହି ସମ୍ମାନ ଓ ପୁରସ୍କାର ପ୍ରଦାନ କରିଥିଲେ।
‘ଗ୍ରୋଥ୍ ଇନ୍ କଲେକ୍ସନ୍ ଅଫ୍ ଓଏସ୍ଆର୍’ ବର୍ଗରେ ରାଜ୍ୟର ୧୫ଟି ସହରାଞ୍ଚଳ ସଂସ୍ଥାକୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ULB ଭାବେ ଚୟନ କରାଯାଇଥିବା ବେଳେ ନୂଆପଡ଼ା ଏନ୍ଏସି ଏହି ଗୌରବମୟ ତାଲିକାରେ ସ୍ଥାନ ପାଇଛି। ନିଜସ୍ୱ ରାଜସ୍ୱ ସଂଗ୍ରହ ବଢ଼ାଇବା ଦିଗରେ ଏନ୍ଏସି ପକ୍ଷରୁ ବିଶେଷକରି ବକେୟା ହୋଲ୍ଡିଂ ଟ୍ୟାକ୍ସ ଆଦାୟ ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଅଧିକାରୀ ଓ କର୍ମଚାରୀଙ୍କ ନିଷ୍ଠା, ସମନ୍ୱିତ ପ୍ରୟାସ ଏବଂ ରାଜସ୍ୱ ଆଦାୟ ପ୍ରକ୍ରିୟାକୁ ଅଧିକ ସକ୍ରିୟ କରିବା ଫଳରେ ଏନ୍ଏସିର ନିଜସ୍ୱ ରାଜସ୍ୱ ସଂଗ୍ରହରେ ଉଲ୍ଲେଖନୀୟ ବୃଦ୍ଧି ଘଟିଥିଲା। ଏହି ସାମୂହିକ ପ୍ରୟାସକୁ ରାଜ୍ୟସ୍ତରରେ ସ୍ୱୀକୃତି ମିଳିବା ନୂଆପଡ଼ା ଏନ୍ଏସି ପାଇଁ ଏକ ବଡ଼ ସଫଳତା ବୋଲି ମତ ପ୍ରକାଶ ପାଇଛି।
ଏହି ସମ୍ମାନ ନୂଆପଡ଼ା ଏନ୍ଏସିର ରାଜସ୍ୱ ପରିଚାଳନାରେ ନୂଆ ଉତ୍ସାହ ସୃଷ୍ଟି କରିବା ସହ ଆଗାମୀ ଦିନରେ ସହରର ବିକାଶମୂଳକ କାର୍ଯ୍ୟକୁ ଅଧିକ ଗତି ଦେବ ବୋଲି ଆଶା କରାଯାଉଛି ।
