--:--:--
-- ---
Srishti News

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦଶମ ଶ୍ରେଣୀ ଛାତ୍ର ମୃତ

Ganjam (ଗଞ୍ଜାମ)ଦୁର୍ଗା ମାଧବ ମହାରଣାAugust 30, 202639 views
ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦଶମ ଶ୍ରେଣୀ ଛାତ୍ର ମୃତ
ପାତ୍ରପୁର : ୩୦/୮: ଅସାବଧାନତା ଯୋଗୁଁ ଚାଲିଗଲା ଏକ ନିଷ୍ପାପ ଛାତ୍ରର ଜୀବନ। ବିଦ୍ୟୁତ୍ ଆଘାତ ଲାଗି ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ଅକାଳ ବିୟୋଗ ଘଟିଛି। ମୃତ ଛାତ୍ର ଜଣକ ହେଲେ ଜରଡ଼ା ଥାନା ଅନ୍ତର୍ଗତ ଭୈରବପୁର ଗ୍ରାମର ସୁଶାନ୍ତ ପ୍ରଧାନଙ୍କ ଷୋହଳ ବର୍ଷୀୟ ପୁଅ ଚନ୍ଦନ ପ୍ରଧାନ। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ, ଚନ୍ଦନ କେଳୁଆ ନିକଟସ୍ଥ ନାରାୟଣପୁରସ୍ଥିତ ନିଜ ମାଉସୀଙ୍କ ଘରେ ରହି ନୂଆପେଣ୍ଠ ହାଇସ୍କୁଲରେ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ। ରବିବାର କୌଣସି ଏକ କାର୍ଯ୍ୟରେ ସେ ମାଉସୀ ଘର ଛାତ ଉପରକୁ ଯାଇଥିଲେ। ସେଠାରେ ଅସାବଧାନତାବଶତଃ ତାଙ୍କ ହାତ ନିକଟ ଦେଇ ଯାଇଥିବା ଏଗାର କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲା। ଫଳରେ ସେ ଗୁରୁତର ଭାବେ ବିଦ୍ୟୁତ୍ ଆଘାତର ଶିକାର ହୋଇଥିଲେ। ପରିବାର ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଜରଡ଼ା ଥାନା ପୋଲିସ୍ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଛି। ଏ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।