--:--:--
-- ---
Srishti News

ଗୁଡାରିର ମୁଖ୍ୟ ରାସ୍ତାର ଦୁରବସ୍ଥା: ବର୍ଷା ହେଲେ ରାସ୍ତାରେ କୃତ୍ରିମ ବନ୍ଧ, ଯାତାୟାତ ବାଧାପ୍ରାପ୍ତ

Rayagada (ରାୟଗଡ଼ା)ନିରଞ୍ଜନ ପୂଜାରୀAugust 29, 202677 views
ଗୁଡାରିର ମୁଖ୍ୟ ରାସ୍ତାର ଦୁରବସ୍ଥା: ବର୍ଷା ହେଲେ ରାସ୍ତାରେ କୃତ୍ରିମ ବନ୍ଧ, ଯାତାୟାତ ବାଧାପ୍ରାପ୍ତ
ଗୁଡାରି: ଗୁମୁଡା-ଗୁଡାରି ସଂଯୋଗୀ ରାସ୍ତା ନିର୍ମାଣ ହୋଇଥିଲେ ମଧ୍ୟ ଏହାର ଅନେକ ସ୍ଥାନରେ ଦୁରବସ୍ଥା ଯୋଗୁଁ ଲୋକେ ଆଶାନୁରୂପ ସୁବିଧା ପାଇପାରୁନାହାନ୍ତି। ବିଶେଷକରି ଖାଲଗୁମୁଡା ନିକଟର ପ୍ରାୟ ୩ କିଲୋମିଟର ରାସ୍ତା ଏବଂ ନାଇରାଗୁଡା ଅଞ୍ଚଳରେ ରାସ୍ତା ମଝିରେ ଥିବା ବଡ଼ ବଡ଼ ଖାଲ ଯାତାୟାତ ପାଇଁ ସମସ୍ୟା ସୃଷ୍ଟି କରୁଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ସାମାନ୍ୟ ବର୍ଷା ହେଲେ ମଧ୍ୟ ରାସ୍ତାର ଖାଲଗୁଡ଼ିକରେ ପାଣି ଜମି ଯାଉଛି। ଫଳରେ ରାସ୍ତା ଉପରେ କୃତ୍ରିମ ବନ୍ଧ ଭଳି ପରିସ୍ଥିତି ସୃଷ୍ଟି ହେଉଛି। ଏହି ରାସ୍ତା ଦେଇ ନିତିଦିନ ବଡ଼ ବସ୍‌ ଓ ମାଲବାହୀ ଯାନ ଚଳାଚଳ କରୁଥିବାରୁ ଦୁର୍ଘଟଣାର ଆଶଙ୍କା ମଧ୍ୟ ରହୁଛି। ଏହାସହ ଗୁଡାରିର ମୁଖ୍ୟ ରାସ୍ତା ଭାବେ ପରିଚିତ ବଂଶଧାରା ନଦୀ ପାଲୋ ନିକଟରୁ ଶିରିଗୁଡା ଛକ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ମଧ୍ୟ ଚିନ୍ତାଜନକ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ପ୍ରତିଦିନ ଏହି ରାସ୍ତା ଦେଇ ତିନିଟି ପଞ୍ଚାୟତର ଲୋକେ ଯାତାୟାତ କରୁଥିବାରୁ ରାସ୍ତାର ଦୁରବସ୍ଥା ଯୋଗୁଁ ସେମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସ୍ଥାନୀୟ ବାସିନ୍ଦା ନିରଞ୍ଜନ ପୂଜାରୀଙ୍କ କହିବାନୁଯାୟୀ, ଗୁଡାରିର ମୁଖ୍ୟ ରାସ୍ତାର ଦୁରବସ୍ଥା ନେଇ ଦୀର୍ଘଦିନ ଧରି ଅଭିଯୋଗ ହୋଇଆସୁଛି। ଜିଲ୍ଲା ପ୍ରଶାସନ ଓ ଲୋକପ୍ରତିନିଧିମାନେ ଏହି ରାସ୍ତା ଦେଇ ଯାତାୟାତ କରୁଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହେଉନଥିବାରୁ ସାଧାରଣରେ ଅସନ୍ତୋଷ ବଢ଼ୁଛି। ଗତ ୨୪ ବର୍ଷର ଶାସନ କାଳରେ ମଧ୍ୟ ଗୁଡାରିବାସୀଙ୍କ ରାସ୍ତା ସମସ୍ୟାର ସମାଧାନ ହୋଇନଥିବା ଅଭିଯୋଗ ହୋଇଥିବାବେଳେ, ବର୍ତ୍ତମାନର ସରକାର ମଧ୍ୟ ଏହି ସମସ୍ୟା ପ୍ରତି ଅଣଦେଖା କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଗୁଡାରି ଏନ୍‌ଏସିକୁ ବିଭିନ୍ନ କ୍ଷେତ୍ରରେ ପୁରସ୍କାର ମିଳୁଥିବା ବେଳେ ସହରର ମୁଖ୍ୟ ରାସ୍ତାର ଏଭଳି ଦୁରବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି। “ଗୁଡାରିବାସୀ କଣ ଭୋଟ ଦେଉନାହାନ୍ତି? ଟିକସ ଦେଉନାହାନ୍ତି କି?” ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ତୁରନ୍ତ ରାସ୍ତାର ଖାଲଖମା ସମତଳ କରିବା ସହ ନିଷ୍କାସନ ବ୍ୟବସ୍ଥା ସୁଧାରି ସ୍ଥାୟୀ ଭାବେ ରାସ୍ତା ମରାମତି କରିବାକୁ ଗୁଡାରିବାସୀ ଦାବି କରିଛନ୍ତି। ଏନେଇ ଜିଲ୍ଲା ପ୍ରଶାସନ ଓ ସମ୍ପୃକ୍ତ ବିଭାଗ କେବେ ପଦକ୍ଷେପ ନେବେ, ତାହାକୁ ଅପେକ୍ଷା କରିଛନ୍ତି ସ୍ଥାନୀୟ ଲୋକେ।