ଧାନ ବିକ୍ରି ପଞ୍ଜିକରଣ ସମୟ ବୃଦ୍ଧି ଦାବି ବରଗଡ଼ ଜିଲ୍ଲାପାଳଙ୍କୁ ସଂଯୁକ୍ତ କୃଷକ ସଂଗଠନର ଦାବିପତ୍ର
Bargarh (ବରଗଡ଼)(ସତ୍ୟ ସୁରୁଜାଲ)August 29, 202624 views

ବରଗଡ଼, ୨୯/୦୮: ଚଳିତ ଖରିଫ ଋତୁରେ ଧାନ ବିକ୍ରି ପାଇଁ ଚାଷୀଙ୍କ ପଞ୍ଜିକରଣରେ ଦେଖାଦେଇଥିବା ବିଭିନ୍ନ ସମସ୍ୟାର ସମାଧାନ ସହ ପଞ୍ଜିକରଣ ସମୟସୀମା ବୃଦ୍ଧି କରିବାକୁ ଦାବି କରିଛି ସଂଯୁକ୍ତ କୃଷକ ସଂଗଠନ, ବରଗଡ଼। ଏନେଇ ସଂଗଠନ ପକ୍ଷରୁ ବରଗଡ଼ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଧାନ ବିକ୍ରି ପାଇଁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଚାଲିଥିବା ବେଳେ ବିଭିନ୍ନ ସ୍ଥାନରେ ଚାଷୀମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପଞ୍ଜିକରଣ ସମ୍ପର୍କିତ ସମସ୍ୟା ଯୋଗୁଁ ଅନେକ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକୃତ ହୋଇପାରିନାହାନ୍ତି।
ସଂଗଠନର ତଥ୍ୟ ଅନୁଯାୟୀ, ରାଜ୍ୟରେ ୧୫,୫୮,୩୩୪ ଜଣ ଚାଷୀ ପଞ୍ଜିକୃତ ହୋଇଥିବା ବେଳେ ବରଗଡ଼ ଜିଲ୍ଲାରେ ୧,୫୧,୧୯୮ ଜଣ ଚାଷୀ ପଞ୍ଜିକୃତ ହୋଇଛନ୍ତି। ତେବେ ଆହୁରି ଅନେକ ଚାଷୀ ପଞ୍ଜିକରଣ କରିପାରିନଥିବାରୁ ସେମାନଙ୍କ ପାଇଁ ପଞ୍ଜିକରଣ ସମୟ ଅତି କମରେ ୧୫ ଦିନ ବୃଦ୍ଧି କରିବାକୁ ସଂଗଠନ ଦାବି କରିଛି।
ବର୍ଷା ଯୋଗୁଁ ଚାଷୀ ହନ୍ତସନ୍ତ
ଲଗାଣ ବର୍ଷା ଯୋଗୁଁ ମଣ୍ଡି, ଚାଷଜମି ଓ ଗ୍ରାମାଞ୍ଚଳରେ ଯାତାୟାତ ସମସ୍ୟା ଦେଖାଦେଇଥିବାରୁ ଅନେକ ଚାଷୀ ସମୟ ମଧ୍ୟରେ ପଞ୍ଜିକରଣ କରିପାରିନଥିବା ଦାବିପତ୍ରରେ ଦର୍ଶାଯାଇଛି। ଏଥିସହ ପଞ୍ଜିକରଣ ପ୍ରକ୍ରିୟାରେ ଦେଖାଦେଉଥିବା ବୈଷୟିକ ଓ ଅନ୍ୟାନ୍ୟ ସମସ୍ୟାର ତୁରନ୍ତ ସମାଧାନ ପାଇଁ ମଧ୍ୟ ଦାବି କରାଯାଇଛି।
ଚାଷୀଙ୍କ ଧାନ ବିକ୍ରିରେ ଯେପରି କୌଣସି ବାଧା ସୃଷ୍ଟି ନହୁଏ ଏବଂ ସମସ୍ତ ପଞ୍ଜିକୃତ ଚାଷୀ ସୁବିଧାରେ ଧାନ ବିକ୍ରି କରିପାରିବେ, ସେଥିପାଇଁ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନେବାକୁ ସଂଗଠନ ଅନୁରୋଧ କରିଛି।
ଅତି କମରେ ୧୫ ଦିନ ପଞ୍ଜିକରଣ ସମୟ ବୃଦ୍ଧି କରି ଚାଷୀଙ୍କ ସମସ୍ୟାର ସମାଧାନ କରାଯାଉ — ଏହି ଦାବି ରଖିଛି ସଂଯୁକ୍ତ କୃଷକ ସଂଗଠନ।

