ଦୁଇ ଯୁବ ସାମ୍ବାଦିକଙ୍କୁ ଆକ୍ରମଣ ଅଭିଯୋଗ ଘଟଣା: ମୁଖ୍ୟ ଅଭିଯୁକ୍ତ ଦନେଇ ଖଟୁଆ ଗିରଫ, ଜେଲ ଗଲେ
Bhubaneswar (ଭୁବନେଶ୍ୱର)ସୁକାନ୍ତ ପ୍ରଧାନAugust 29, 202618 views

ଯାଜପୁର, ୨୯/୦୮: ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ଅଞ୍ଚଳରେ ଦୁଇ ଜଣ ଯୁବ ସାମ୍ବାଦିକଙ୍କୁ ଆକ୍ରମଣ ଅଭିଯୋଗ ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଦନେଇ ଖଟୁଆଙ୍କୁ ଗିରଫ କରିଛି। ଗିରଫ ପରେ ତାଙ୍କୁ ଅଦାଲତରେ ହାଜର କରାଯିବା ପରେ ଜେଲ ପଠାଯାଇଥିବା ଜଣାପଡ଼ିଛି।
ଦୁଇ ସାମ୍ବାଦିକଙ୍କୁ ଆକ୍ରମଣ, ଗାଳିଗୁଲଜ ଓ ଧମକ ଦିଆଯାଇଥିବା ନେଇ କୋରେଇ ଥାନାରେ ଅଭିଯୋଗ ହୋଇଥିଲା। ଘଟଣା ପରେ ସାମ୍ବାଦିକ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ସହ ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ ଆଇନଗତ ପଦକ୍ଷେପ ନେବାକୁ ଦାବି ହୋଇଥିଲା।
ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ (ODMM) ପକ୍ଷରୁ ମଧ୍ୟ ଘଟଣାକୁ ଗୁରୁତ୍ୱର ସହ ନିଆଯାଇ ଦୋଷୀଙ୍କ ବିରୋଧରେ ଦୃଢ଼ ଆଇନଗତ ପଦକ୍ଷେପ ପାଇଁ ଦାବି କରାଯାଇଥିଲା। ସାମ୍ବାଦିକମାନଙ୍କ ଏକତା ଓ ଦାବି ପରେ ପୋଲିସ ତଦନ୍ତକୁ ତ୍ୱରାନ୍ୱିତ କରି ଅଭିଯୁକ୍ତ ଦନେଇ ଖଟୁଆଙ୍କୁ ଗିରଫ କରିଥିବା କୁହାଯାଇଛି।
ଘଟଣାର ସମ୍ପୂର୍ଣ୍ଣ ପୃଷ୍ଠଭୂମି ଓ ଆକ୍ରମଣର କାରଣ ସମ୍ପର୍କରେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ସାମ୍ବାଦିକମାନଙ୍କ ସୁରକ୍ଷା ଓ ନିର୍ଭୟ ଭାବେ ସାମ୍ବାଦିକତା କରିବାର ପରିବେଶ ସୁନିଶ୍ଚିତ କରିବାକୁ ସାମ୍ବାଦିକ ମହଲରୁ ଦାବି ହୋଇଛି।
