ବେଙ୍ଗାଲୁରୁ ଜାତୀୟସ୍ତରୀୟ ହେକାଥନରେ କଳାହାଣ୍ଡିର ଅଙ୍କିତା
Kalahandi (କଳାହାଣ୍ଡି)ରିତେଶ କୁମାର ମୁଣ୍ଡAugust 29, 202657 views

“ହେକାଥନ—ହେକ୍ ଟୁ ଦ ଫ୍ୟୁଚର” ଆଲୋଚନାଚକ୍ରରେ ଜବାହର ଉଚ୍ଚ ବିଦ୍ୟାଳୟର ଦଶମ ଛାତ୍ରୀଙ୍କ ପ୍ରତିନିଧିତ୍ୱ
କୋକସରା, ୨୯/୮: କଳାହାଣ୍ଡିର ଗ୍ରାମାଞ୍ଚଳରୁ ଜାତୀୟସ୍ତରରେ ନିଜ ପ୍ରତିଭାର ପରିଚୟ ଦେବାକୁ ଯାଉଛନ୍ତି କୋକସରା ଜବାହର ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ ଅଙ୍କିତା ପଟ୍ଟନାୟକ। ଆସନ୍ତା ୨୯ ଓ ୩୦ ତାରିଖ ଦୁଇଦିନ ଧରି ବେଙ୍ଗାଲୁରୁଠାରେ ଆୟୋଜିତ ହେବାକୁ ଥିବା “ହେକାଥନ—ହେକ୍ ଟୁ ଦ ଫ୍ୟୁଚର” ଆଲୋଚନାଚକ୍ରରେ କଳାହାଣ୍ଡି ଜିଲ୍ଲାରୁ ସେ ପ୍ରତିନିଧିତ୍ୱ କରିବେ।
ଏହି ଗୌରବମୟ ସଫଳତା ପାଇଁ ବିଦ୍ୟାଳୟ ପକ୍ଷରୁ ଅଙ୍କିତାଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଯାଇଛି। ବିଦ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ତୁଳସୀରାମ ଚଳାନଙ୍କ ସମେତ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଅଙ୍କିତାଙ୍କୁ ଜାତୀୟସ୍ତରରେ ଉତ୍ତମ ପ୍ରଦର୍ଶନ କରିବାକୁ ଉତ୍ସାହିତ କରିଥିଲେ।
ସୂଚନା ଅନୁସାରେ, ଗତ ମେ ମାସରେ ଭୁବନେଶ୍ୱରସ୍ଥିତ ଆଇଆଇଟି ପରିସରରେ ଆୟୋଜିତ “କ୍ୱେଷ୍ଟ ଆଲାଏନ୍ସ ହେକାଥନ—ହେକ୍ ଟୁ ଦ ଫ୍ୟୁଚର” କାର୍ଯ୍ୟକ୍ରମରେ ଅଙ୍କିତା କଳାହାଣ୍ଡି ଜିଲ୍ଲାରୁ ଅଂଶଗ୍ରହଣ କରିଥିଲେ। ସେଠାରେ ତାଙ୍କର ପ୍ରତିଭା ଓ ପ୍ରଦର୍ଶନକୁ ବିଚାର କରାଯାଇ ଜାତୀୟସ୍ତରୀୟ ପର୍ଯ୍ୟାୟ ପାଇଁ ଯୋଗ୍ୟ ବିବେଚିତ କରାଯାଇଥିଲା।
ଜାତୀୟସ୍ତରୀୟ ଆଲୋଚନାଚକ୍ରରେ ଅଂଶଗ୍ରହଣ ପାଇଁ ଅଙ୍କିତା ବୁଧବାର ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରିଛନ୍ତି। ଜଣେ ଛାତ୍ରୀ ଭାବେ ନିଜ ଦକ୍ଷତାର ପରିଚୟ ଦେଇ ଜିଲ୍ଲାରୁ ଜାତୀୟ ମଞ୍ଚ ପର୍ଯ୍ୟନ୍ତ ପହଞ୍ଚିବା ଘଟଣା ଅଞ୍ଚଳବାସୀଙ୍କ ପାଇଁ ଗର୍ବର ବିଷୟ ପାଲଟିଛି।
ଅଙ୍କିତାଙ୍କ ଏହି ସଫଳତାକୁ ନେଇ କୋକସରା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ଶିକ୍ଷକ, ଅଭିଭାବକ ଓ ସ୍ଥାନୀୟ ଲୋକେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଜାତୀୟସ୍ତରୀୟ ମଞ୍ଚରେ ସେ ଉତ୍କୃଷ୍ଟ ପ୍ରଦର୍ଶନ କରି କଳାହାଣ୍ଡି ଜିଲ୍ଲା ତଥା ନିଜ ଅଞ୍ଚଳର ଗୌରବ ବଢ଼ାନ୍ତୁ ବୋଲି ଆଶା ପ୍ରକାଶ କରିଛନ୍ତି।
