ଖୁଣ୍ଟିଆରେ ମହିମାଧର୍ମାବଳମ୍ୱିଙ୍କ ଶ୍ରାବଣ ପୂର୍ଣ୍ଣିମା ପାଳନ ତଥା ନବାନ୍ନ ଭକ୍ଷଣ ଅନୁଷ୍ଠିତ
Kalahandi (କଳାହାଣ୍ଡି)ରୁପେନ୍ଦ୍ର ସୁନାନୀ:August 29, 2026284 views

କଳାହାଣ୍ଡି, କୋକସରା ୨୯/୦୮: ରୁପେନ୍ଦ୍ର ସୁନାନୀ: ଅଲେଖ ମହିମା ଧର୍ମ ହେଉଛି ବିଶ୍ଵ ପ୍ରସିଦ୍ଧ ଶ୍ରେଷ୍ଠ ଧର୍ମ। ମହିମା ଧର୍ମର ନୀତି ନିୟମ, ପୂଜା ପଦ୍ଧତି ସ୍ଵତନ୍ତ୍ର। ଅଲେଖ ମହିମା ଧର୍ମରେ ନବାନ୍ନ ଭକ୍ଷଣ ନୂଆଖାଇ ବା ନୂଆ ଖାଇବା ପରମ୍ପରା ଏକ ବିଶେଷ ଆଧ୍ୟାତ୍ମିକ ଏବଂ ପାରମ୍ପରିକ ମହତ୍ତ୍ୱ ବହନ କରେ। ମହିମା ଧର୍ମାବଲମ୍ବୀମାନେ ଅଲେଖ ପରଂବ୍ରହ୍ମଙ୍କୁ ସମସ୍ତ ସୃଷ୍ଟିର କର୍ତ୍ତା ଭାବେ ବିଶ୍ୱାସ କରନ୍ତି, ତେଣୁ ବର୍ଷର ନୂତନ ଶସ୍ୟ ବା ଅନ୍ନକୁ ପ୍ରଥମେ ପ୍ରଭୁଙ୍କୁ ସମର୍ପଣ କରି ନବାନ୍ନ ଭକ୍ଷଣ କରିଥାନ୍ତି।ମହିମା ଧର୍ମରେ କୌଣସି ମୂର୍ତ୍ତି ପୂଜା କରାଯାଏ ନାହିଁ। ସେଥିପାଇଁ ନୂଆ ଧାନରୁ ପ୍ରସ୍ତୁତ ଚୁଡ଼ା, କ୍ଷୀରି ବା ଅନ୍ନକୁ ଶୂନ୍ୟରେ ବା ବ୍ରହ୍ମଙ୍କ ଉଦ୍ଦେଶ୍ୟରେ ମନେ ମନେ ସମର୍ପଣ କରି ଭୋଗ ଭାବରେ ଅର୍ପଣ କରି ନବାନ୍ନ ଭକ୍ଷଣ କରାଯାଇଥାଏ।ଆଜି କଳାହାଣ୍ଡି ଜିଲ୍ଲା,କୋକସରା ବ୍ଲକ, ଖୁଣ୍ଟିଆ ଗ୍ରାମରେ ମହିମାଧର୍ମାବଳମ୍ବିଙ୍କ ଶ୍ରାବଣ ପୂର୍ଣ୍ଣିମା ପାଳନ ତଥା ନବାନ୍ନ ଭକ୍ଷଣ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ଖୁଣ୍ଟିଆ ଏବଂ ମିର୍ଜାପୁର ଗ୍ରାମର ସମସ୍ତ ଭକ୍ତ ମାନେ ଶ୍ରାବଣ ପୂର୍ଣ୍ଣିମା ପାଳନ ସହିତ ନବାର୍ଣ୍ଣ ଭକ୍ଷଣ କରିଥିଲେ।ସନ୍ଧ୍ୟାରେ ଯାଜ୍ଞିକ ଭାବେ ପୂଜ୍ୟ ସାଧୂ ହରଦାସ ବାବା ସହ ବିରଞ୍ଚି ନାରାୟଣ ବାବା ଅଖଣ୍ଡ ଧୂନି ପ୍ରଜ୍ବଳନ ସହିତ ଯଜ୍ଞ କାର୍ଯ୍ୟ ପରିଚାଳନା କରିଥିଲେ।ପରେ ଉପସ୍ଥିତ ସମସ୍ତ ସାଧୂ ଭକ୍ତ ମାନେ ପ୍ରଥମେ ଜଗତ କଲ୍ୟାଣ, ଦେଶ ରାଜ୍ୟ, ତଥା ସମସ୍ତ ପ୍ରାଣୀ ଜଗତର ମଙ୍ଗଳ ପ୍ରାର୍ଥନା କରି ଅଲେଖ ନାମ ଉଚ୍ଚାରଣ କରି ମୁଡ଼ିଆ ଦର୍ଶନ ସହିତ ଅହୋରାତ୍ର ପ୍ରଭୁଙ୍କ ନାମ ସ୍ମରଣ,ଭଜନ କୀର୍ତନ କରିଥିଲେ।ପରେ ସକାଳେ ବ୍ରହ୍ମ ମୁହୂର୍ତରେ ପଣା ପାଣି ଅର୍ପଣ ସହ ସମସ୍ତ ସାଧୂ ଭକ୍ତ ମାନେ ମିଳିତ ଭାବେ ନବାର୍ଣ୍ଣ ଭକ୍ଷଣ କରିଥିଲେ। ଆଜିର ଏହି ନବାନ୍ନ ଭକ୍ଷଣ କାର୍ଯ୍ୟକ୍ରମରେ ଦମନ ଭକ୍ତ, ଦକ୍ଷ ଭକ୍ତ, ବରୁଣ ଭକ୍ତ, ଲକ୍ଷ୍ମଣ ଭକ୍ତ, ପ୍ରଦୀପ ଭକ୍ତ, ଖିତିଞ୍ଜୟ ଭକ୍ତ, ଦୟାନନ୍ଦ ଭକ୍ତ, ମଧୁ ଭକ୍ତ, ବଂଶୀଧର ଭକ୍ତ, ରୁପେନ୍ଦ୍ର ଭକ୍ତ, କେଦାର ଭକ୍ତ, ଭାରତ ଭକ୍ତ, ଭକ୍ତ ଚରଣ ଭକ୍ତ, ନରସିଂହ ଭକ୍ତ ସମେତ ସମସ୍ତ ଖୁଣ୍ଟିଆ ଏବଂ ମିର୍ଜାପୁର ର ଭକ୍ତ ବୃନ୍ଦ ସାମିଲ୍ ରହିଥିଲେ।
