ବାଲିପାଟପୁର ବାଣପଡ଼ିଆରେ ଗହ୍ମା ଡିଆଁ ପର୍ବ ଅନୁଷ୍ଠିତ
Khordha (ଖୋର୍ଦ୍ଧା)ରିପୋର୍ଟ : ଯଦୁମଣି ବେହେରା, ଟାଙ୍ଗୀ, ଖୋର୍ଦ୍ଧାAugust 29, 202682 views

ଟାଙ୍ଗୀ, ଖୋର୍ଦ୍ଧା: ଓଡ଼ିଶାର ପାରମ୍ପରିକ ପର୍ବପର୍ବାଣି ମଧ୍ୟରେ ଗହ୍ମା ପୂର୍ଣ୍ଣିମାର ସ୍ୱତନ୍ତ୍ର ମହତ୍ତ୍ୱ ରହିଛି। ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ବାଲିପାଟପୁର ବାଣପଡ଼ିଆଠାରେ ଗହ୍ମା ପୂର୍ଣ୍ଣିମା ପାଳନ ଅବସରରେ ପାରମ୍ପରିକ ‘ଗହ୍ମା ଡିଆଁ’ ପର୍ବ ଉତ୍ସାହ ଓ ଆନନ୍ଦର ସହ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ଆୟୋଜିତ ସଭାରେ ସମାଜସେବୀ ଗୋଲଖ ବିହାରୀ ପଟ୍ଟନାୟକ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ଚିଲିକା କେନ୍ଦ୍ରୀୟ ମତ୍ସ୍ୟ ସମବାୟ ସମିତି, ବାଲୁଗାଁର ନିର୍ଦ୍ଦେଶକ ଦିଲୀପ କୁମାର ବେହେରା ଯୋଗଦେଇଥିବା ବେଳେ ବାଲିପାଟପୁର ମୂଳକର ସଭାପତି ରବୀନ୍ଦ୍ର କୁମାର ସାମନ୍ତରାୟ, ସାମ୍ବାଦିକ ବିକ୍ରମ କେଶରୀ ସାହୁ, ସରୋଜ କୁମାର ପାଇକରାୟ ଏବଂ ଭୂଷଣ୍ଡପୁର ଫାଣ୍ଡି ଅଧିକାରୀ ରଞ୍ଜିତ କୁମାର ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଗହ୍ମା ଡିଆଁ ପର୍ବର ପରମ୍ପରା ଓ ମହତ୍ତ୍ୱ ସମ୍ପର୍କରେ ମତବ୍ୟକ୍ତ କରିଥିଲେ।
ପରେ ଆୟୋଜିତ ଗହ୍ମା ଡିଆଁ ପ୍ରତିଯୋଗିତାରେ ୨୫ରୁ ଅଧିକ ଯୁବକ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତା ଶେଷରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଯୁବକମାନଙ୍କୁ ଆୟୋଜକ କମିଟି ପକ୍ଷରୁ ପୁରସ୍କୃତ କରାଯାଇଥିଲା।
ଆୟୋଜକ କମିଟିର ବରିଷ୍ଠ କର୍ମକର୍ତ୍ତା ବିରଞ୍ଚି ପ୍ରଧାନ ଓ ସାମ୍ବାଦିକ ରଞ୍ଜନ କୁମାର ସାହୁ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଗହ୍ମା ଡିଆଁ ପର୍ବ ଦେଖିବା ପାଇଁ ବାଣପଡ଼ିଆରେ ପ୍ରବଳ ଜନସମାଗମ ହୋଇଥିଲା। ଦର୍ଶକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସ୍ଥାନୀୟ ପୁଲିସ ପକ୍ଷରୁ ଆଇନଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା।
