ଭଦ୍ରକରେ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ସମାରୋହ
Bhadrak (ଭଦ୍ରକ)ରିପୋର୍ଟ ଶିଶିର କୁମାର ସ୍ୱାଇଁAugust 28, 20268 views

ଭଦ୍ରକ, ମହିଳାଙ୍କ ଆର୍ଥିକ ସଶକ୍ତିକରଣ ଓ ସ୍ୱାବଲମ୍ବନ ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ଅବସରରେ ଭଦ୍ରକ ସହୀଦ ସ୍ମୃତି ଭବନଠାରେ ଜିଲ୍ଲାସ୍ତରୀୟ ସମାରୋହ ଅନୁଷ୍ଠିତ ହୋଇଛି।
ଭଦ୍ରକ ଜିଲ୍ଲାରେ ପଞ୍ଚମ କିସ୍ତି ପାଇଁ ୪,୪୮,୩୯୬ ଜଣ ଆବେଦନ କରିଥିବାବେଳେ ଆନୁମାନିକ ୪,୦୨,୦୭୩ ଜଣ ଯୋଗ୍ୟ ହିତାଧିକାରୀ ଏହି କିସ୍ତି ପାଇବେ। ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଡିବିଟି ମାଧ୍ୟମରେ ସିଧାସଳଖ ଅର୍ଥରାଶି ହସ୍ତାନ୍ତର କରାଯାଉଛି।
ସୁଭଦ୍ରା’ ଯୋଜନାରେ ଯୋଗ୍ୟ ମହିଳା ହିତାଧିକାରୀଙ୍କୁ ପ୍ରତିବର୍ଷ ଦୁଇଟି କିସ୍ତିରେ ମୋଟ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ମିଳୁଛି। ରାକ୍ଷୀ ପୂର୍ଣ୍ଣିମା ଓ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଉଛି।
ସମାରୋହରେ ମୁଖ୍ୟ ଅତିଥି ଭାବେ ସାଂସଦ ଶ୍ରୀ ଅଭିମନ୍ୟୁ ସେଠୀ ଯୋଗଦେଇ ଯୋଜନାଟି ମହିଳାଙ୍କ ଆର୍ଥିକ ସଶକ୍ତିକରଣ ଓ ସ୍ୱାବଲମ୍ବନ ଦିଗରେ ଏକ ଐତିହାସିକ ପଦକ୍ଷେପ ବୋଲି କହିଥିଲେ। ସେହିପରି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ସିତାଂଶୁ ଶେଖର ମହାପାତ୍ର ମହିଳା ସଶକ୍ତିକରଣର ଗୁରୁତ୍ୱ ଉପରେ ମତ ରଖିଥିଲେ।
ରାକ୍ଷୀ ପୂର୍ଣ୍ଣିମା ଅବସରରେ ମହିଳା ହିତାଧିକାରୀମାନେ ଅତିଥିମାନଙ୍କୁ ରାକ୍ଷୀ ବାନ୍ଧିବା ସହ ଚାରାଗଛ ପ୍ରଦାନ କରିଥିଲେ। ପ୍ରଦୀପ ପ୍ରଜ୍ୱଳନ ମାଧ୍ୟମରେ ସମାରୋହର ଶୁଭାରମ୍ଭ ହୋଇଥିଲା।
କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ୍ତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ସୁଭେନ୍ଦ୍ର ସାମଲ, ଡେପୁଟି ଆରକ୍ଷୀ ଅଧିକ୍ଷକ ଦୀପ୍ତିକା ସାହୁ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମି ରଞ୍ଜନ ମଲ୍ଲିକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ମହିଳା ହିତାଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।
ଏହି ଅବସରରେ କିଛି ହିତାଧିକାରୀ ‘ସୁଭଦ୍ରା’ ଯୋଜନାରୁ ମିଳିଥିବା ସହାୟତା କିପରି ସେମାନଙ୍କୁ ଆର୍ଥିକ ଭାବେ ସଶକ୍ତ ଓ ସ୍ୱାବଲମ୍ବୀ ହେବାରେ ସହାୟତା କରିଛି, ସେ ସମ୍ପର୍କରେ ନିଜ ଅନୁଭୂତି ବାଣ୍ଟିଥିଲେ।
