ଅଲିଭା ବେହେରା ଚିକିଟିର ନୂତନ ଅତିରିକ୍ତ ତହସିଲଦାର
Ganjam (ଗଞ୍ଜାମ)ଦୁର୍ଗା ମାଧବAugust 28, 202639 views

ଚିକିଟି, ୨୮/୮: ଚିକିଟି ତହସିଲ କାର୍ଯ୍ୟାଳୟରେ ନୂତନ ଅତିରିକ୍ତ ତହସିଲଦାର ଭାବେ ଅଲିଭା ବେହେରା ଦାୟିତ୍ୱ ଗ୍ରହଣ କରିଛନ୍ତି। ତାଙ୍କ ଯୋଗଦାନ ପରେ ଦୀର୍ଘଦିନ ଧରି ଖାଲି ପଡ଼ିଥିବା ଅତିରିକ୍ତ ତହସିଲଦାର ପଦବୀ ପୂରଣ ହୋଇଛି।
ସୂଚନା ଅନୁଯାୟୀ, ରାମଚନ୍ଦ୍ରପୁର ପଞ୍ଚାୟତର ପୂର୍ବତନ ନିର୍ବାହୀ ଅଧିକାରୀ ଦଣ୍ଡପାଣି ପାତ୍ରଙ୍କ ଆତ୍ମହତ୍ୟା ଘଟଣା ପରେ ତତ୍କାଳୀନ ଅତିରିକ୍ତ ତହସିଲଦାର ଶାଶ୍ୱତୀ ଷଡ଼ଙ୍ଗୀ ଦୀର୍ଘ ମାସ ଧରି ଅନୁପସ୍ଥିତ ରହିଥିଲେ। ଫଳରେ ଚିକିଟି ତହସିଲରେ ଅତିରିକ୍ତ ତହସିଲଦାର ପଦବୀ ଖାଲି ପଡ଼ିଥିଲା।
ପଦବୀ ଖାଲି ରହିବା ଯୋଗୁଁ ଜମିଜମା, ରାଜସ୍ୱ ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟ ସମେତ ଅନ୍ୟାନ୍ୟ ପ୍ରଶାସନିକ କାମ ପାଇଁ ତହସିଲ କାର୍ଯ୍ୟାଳୟକୁ ଆସୁଥିବା ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏନେଇ ବିଭିନ୍ନ ସମୟରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ସହ ବୁଦ୍ଧିଜୀବୀ ଓ ସ୍ଥାନୀୟ ଲୋକେ ଅତିରିକ୍ତ ତହସିଲଦାର ନିଯୁକ୍ତି ପାଇଁ ଦାବି କରିଆସୁଥିଲେ।
ଏବେ ଅଲିଭା ବେହେରା ନୂତନ ଅତିରିକ୍ତ ତହସିଲଦାର ଭାବେ ଯୋଗଦେବା ପରେ ତହସିଲ କାର୍ଯ୍ୟାଳୟର ରାଜସ୍ୱ ଓ ପ୍ରଶାସନିକ କାର୍ଯ୍ୟ ଅଧିକ ସୁଚାରୁ ଭାବେ ପରିଚାଳିତ ହେବା ସହ ସାଧାରଣ ଲୋକଙ୍କ ସମସ୍ୟାର ତ୍ୱରିତ ସମାଧାନ ହେବ ବୋଲି ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି।
