--:--:--
-- ---
Srishti News

ନେଟୱର୍କ ସେବାରୁ ବଞ୍ଚିତ ଗୁମି ଗ୍ରାମବାସୀ: ଶିରୀଗୁଡା ପଞ୍ଚାୟତ ପ୍ରତି ପ୍ରଶାସନର ଅବହେଳା ଅଭିଯୋଗ, ମୋବାଇଲ ଟାୱାର ସ୍ଥାପନ ପାଇଁ ଦାବି

Rayagada (ରାୟଗଡ଼ା)ନିରଞ୍ଜନ ପୂଜାରୀ, ଗୁଡାରିAugust 25, 202629 views
ନେଟୱର୍କ ସେବାରୁ ବଞ୍ଚିତ ଗୁମି ଗ୍ରାମବାସୀ: ଶିରୀଗୁଡା ପଞ୍ଚାୟତ ପ୍ରତି ପ୍ରଶାସନର ଅବହେଳା ଅଭିଯୋଗ, ମୋବାଇଲ ଟାୱାର ସ୍ଥାପନ ପାଇଁ ଦାବି
ଗୁଡାରି: ରାୟଗଡା ଜିଲ୍ଲା ଗୁଡାରି ବ୍ଲକ ଅନ୍ତର୍ଗତ ଶିରୀଗୁଡା ପଞ୍ଚାୟତର ଦୁର୍ଗମ ଗୁମି ଗ୍ରାମରେ ଦୀର୍ଘଦିନ ଧରି ମୋବାଇଲ ନେଟୱର୍କ ସେବା ଅପହଞ୍ଚ ହୋଇ ରହିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଗୁମି ଗ୍ରାମ ଗୁଡାରି ବ୍ଲକର ଶେଷ ସୀମାନ୍ତ ଗ୍ରାମ ହୋଇଥିବା ବେଳେ ଏହାର ଆଖପାଖରେ ୨୦ରୁ ଅଧିକ ଗ୍ରାମ ରହିଛି। ଏହି ଅଞ୍ଚଳର ବହୁ ଲୋକ ମୋବାଇଲ ଯୋଗାଯୋଗ ପାଇଁ ଗୁମି ଉପରେ ନିର୍ଭରଶୀଳ ଥିବାରୁ ଏଠାରେ ନେଟୱର୍କ ଟାୱାର ସ୍ଥାପନର ଆବଶ୍ୟକତା ରହିଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଗୁମି ଓ ଏହାର ଆଖପାଖ ଅଞ୍ଚଳରେ ଜିଓ ସମେତ ମୋବାଇଲ ନେଟୱର୍କ ସେବା ଅତ୍ୟନ୍ତ ଦୁର୍ବଳ କିମ୍ବା ଅନୁପଲବ୍ଧ। ଫଳରେ ଜରୁରୀକାଳୀନ ସମୟରେ ମଧ୍ୟ ଲୋକଙ୍କୁ ଉଚ୍ଚସ୍ଥାନକୁ ଯାଇ ଫୋନ କରିବାକୁ ପଡୁଛି। ଏହାଦ୍ୱାରା ଛାତ୍ରଛାତ୍ରୀଙ୍କ ଅନଲାଇନ ଶିକ୍ଷା, ଅନଲାଇନ ସରକାରୀ ସେବା, ବ୍ୟବସାୟିକ ଯୋଗାଯୋଗ ଏବଂ ଦୈନନ୍ଦିନ ଜୀବନ ମଧ୍ୟ ପ୍ରଭାବିତ ହେଉଛି। ଗୁମି ନିକଟରେ ଥିବା ଶ୍ରୀ ମୀନାଝୋଲା ଅଞ୍ଚଳକୁ ମଧ୍ୟ ଏହି ନେଟୱର୍କ ସମସ୍ୟାର ପ୍ରଭାବ ରହିଥିବା କୁହାଯାଉଛି। ଏତେ ବଡ଼ ଅଞ୍ଚଳର ଲୋକ ନେଟୱର୍କ ସୁବିଧାରୁ ବଞ୍ଚିତ ଥିବା ସତ୍ତ୍ୱେ ଏପର୍ଯ୍ୟନ୍ତ ଏଠାରେ ଏକ ମୋବାଇଲ ଟାୱାର ସ୍ଥାପନ ନହେବାକୁ ନେଇ ପ୍ରଶ୍ନ ଉଠିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଶିରୀଗୁଡା ପଞ୍ଚାୟତ ଅଞ୍ଚଳ ପ୍ରତି ପ୍ରଶାସନର ଏଭଳି ଅବହେଳା କାହିଁକି ରହିଛି, ତାହା ବୁଝାପଡୁନାହିଁ। ବିଶେଷକରି ଗୁମି ଗ୍ରାମରୁ ହିଁ ପଞ୍ଚାୟତର ସରପଞ୍ଚ ନିର୍ବାଚିତ ହୋଇଥିବା ସତ୍ତ୍ୱେ ଗ୍ରାମର ମୌଳିକ ଯୋଗାଯୋଗ ସମସ୍ୟା ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଉନଥିବା ନେଇ ମଧ୍ୟ କେତେକ ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।