ଚିକିଟି ବ୍ଲକ୍ରେ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ‘ଉଲ୍ଲାସ’ର ତାଲିମ ଅନୁଷ୍ଠିତ
Ganjam (ଗଞ୍ଜାମ)ଦୂର୍ଗା ମାଧବ ମହାରଣାAugust 25, 202637 views

ଚିକିଟି ବ୍ଲକ୍ ସ୍ତରୀୟ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ‘ଉଲ୍ଲାସ’ ଅଧୀନରେ ବ୍ଲକ୍, ଗ୍ରାମପଂଚାୟତ ଓ କ୍ଲଷ୍ଟର ସ୍ତରୀୟ ନୋଡାଲ ଅଧିକାରୀମାନଙ୍କ ତାଲିମ କାର୍ଯ୍ୟକ୍ରମ ବଡ଼କେଳାଝୁରୀସ୍ଥିତ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।
କାର୍ଯ୍ୟକ୍ରମରେ ଚିକିଟିବ୍ଲକ୍ ଶିକ୍ଷା ଅଧିକାରୀ ପନ୍ନଗ ଭୂଷଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ଉଲ୍ଲାସ’ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ, ସାକ୍ଷରତାର ଗୁରୁତ୍ୱ ଓ ନିରକ୍ଷର ବୟସ୍କମାନଙ୍କୁ ସାକ୍ଷର କରିବା ଦିଗରେ ସମସ୍ତଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ଏବିଇଓ ତ୍ରିନାଥ ମଲ୍ଲିକ ଉପସ୍ଥିତ ରହି ତାଲିମାର୍ଥୀମାନଙ୍କୁ ଆବଶ୍ୟକ ମାର୍ଗଦର୍ଶନ ଦେଇଥିଲେ।
ବ୍ଲକ୍ ନୋଡାଲ ଅଧିକାରୀ ମେଘନାଥ ବେହେରାଙ୍କ ତତ୍ତ୍ୱାବଧାନରେ ବ୍ଲକ ସମ୍ବଳ ଶିକ୍ଷକ ଜି. ବାଇଲଡୁ, ନରସିଂହ ପତି ଓ ବୈରାଗୀ ବେହେରା ପ୍ରମୁଖ ତାଲିମ ପ୍ରଦାନ କରିଥିଲେ। ଏଥିରେ ଉଲ୍ଲାସ କାର୍ଯ୍ୟକ୍ରମର ସଫଳ ରୂପାୟନ , ନୋଡାଲ ଅଧିକାରୀଙ୍କ ଦାୟିତ୍ୱ, ଶିକ୍ଷାର୍ଥୀ ଚିହ୍ନଟ ଓ ପଞ୍ଜୀକରଣ ସମ୍ପର୍କିତ ବିଭିନ୍ନ ବିଷୟରେ ତାଲିମ ଦିଆଯାଇଥିଲା।
ବିଦ୍ୟାଳୟର ପ୍ରଧାନଶିକ୍ଷକ ଅନାଦି ଚୌଧୁରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ତାଲିମରେ ଯୋଗଦେଇଥିବା ନୋଡାଲ ଅଧିକାରୀମାନେ ‘ଉଲ୍ଲାସ’ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ସଫଳ କରିବା ପାଇଁ ସଂକଳ୍ପବଦ୍ଧ ହୋଇଥିଲେ।
