ଲେଙ୍ଗୁମିଶ୍ର ଛକରୁ ଲମ୍ଭାବିଲ୍ଡିଙ୍ଗ ରାସ୍ତାରେ ଅସମ୍ଭାଳ ଟ୍ରାଫିକ୍ ଜାମ୍: ଛାତ୍ରଛାତ୍ରୀଙ୍କ ସମେତ ଯାତ୍ରୀ ହନ୍ତସନ୍ତ, ଯାତାୟାତ ବ୍ୟବସ୍ଥା ନେଇ ଉଠିଲା ପ୍ରଶ୍ନ
Bargarh (ବରଗଡ଼)ସତ୍ୟ ସୁରୁଜାଲAugust 25, 202610 views

ସହରର ଲେଙ୍ଗୁମିଶ୍ର ଛକରୁ ଲମ୍ଭାବିଲ୍ଡିଙ୍ଗ ରାସ୍ତାରେ ମଙ୍ଗଳବାର ଅପରାହ୍ନରେ ଅସମ୍ଭାଳ ଟ୍ରାଫିକ୍ ଜାମ୍ ଦେଖିବାକୁ ମିଳିଛି। ରାସ୍ତାରେ ଏକାଧିକ ଭାରୀଯାନ ସମେତ ଛୋଟବଡ଼ ଯାନବାହନ ଅଟକି ରହିବା ଫଳରେ ଦୀର୍ଘ ସମୟ ଧରି ଯାତାୟାତ ପ୍ରଭାବିତ ହୋଇଥିଲା।
ଏହି ଟ୍ରାଫିକ୍ ଜାମ୍ରେ ସ୍କୁଲ୍ରୁ ଫେରୁଥିବା ଛାତ୍ରଛାତ୍ରୀମାନେ ମଧ୍ୟ ଅଟକି ରହିଥିବା ଦେଖାଯାଇଥିଲା। ବାଇକ୍, ଅଟୋ ଓ ଅନ୍ୟାନ୍ୟ ଯାନ ରାସ୍ତାରେ ଅଟକି ରହିବାରୁ ପଥଚାରୀଙ୍କ ଯାତାୟାତ ମଧ୍ୟ କଷ୍ଟକର ହୋଇପଡ଼ିଥିଲା।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏହି ରାସ୍ତାରେ ଦିନକୁ ଦିନ ଯାନବାହନ ଚଳାଚଳ ବଢ଼ୁଥିବା ବେଳେ ରାସ୍ତାର ଅନେକ ସ୍ଥାନରେ ଅବ୍ୟବସ୍ଥିତ ପାର୍କିଂ ଓ ଭାରୀଯାନ ଚଳାଚଳ ଯୋଗୁଁ ଟ୍ରାଫିକ୍ ସମସ୍ୟା ଉତ୍କଟ ହେଉଛି। ବ୍ୟସ୍ତ ସମୟରେ ସମସ୍ୟା ଆହୁରି ଗମ୍ଭୀର ରୂପ ନେଉଛି।
ଟ୍ରାଫିକ୍ ଜାମ୍ ଯୋଗୁଁ ଜରୁରୀ କାମରେ ଯାଉଥିବା ଲୋକଙ୍କ ସମୟ ନଷ୍ଟ ହେବା ସହ ଛାତ୍ରଛାତ୍ରୀ ଓ ସାଧାରଣ ଯାତ୍ରୀ ହଇରାଣ ହେଉଛନ୍ତି। ଏହି ରାସ୍ତାରେ ନିୟମିତ ଟ୍ରାଫିକ୍ ନିୟନ୍ତ୍ରଣ, ଅବ୍ୟବସ୍ଥିତ ପାର୍କିଂ ଉପରେ କଟକଣା ଏବଂ ଭାରୀଯାନ ଚଳାଚଳକୁ ନିୟମିତ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
ତୁରନ୍ତ ପ୍ରଶାସନ ଓ ଟ୍ରାଫିକ୍ ବିଭାଗ ଏହି ସମସ୍ୟା ଉପରେ ଦୃଷ୍ଟି ଦେଇ ସ୍ଥାୟୀ ସମାଧାନର ବ୍ୟବସ୍ଥା କରିବାକୁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି।
