--:--:--
-- ---
Srishti News

ବରୀର ବନ୍ୟାଞ୍ଚଳରେ ସମାଜସେବୀଙ୍କ ସହାୟତାର ହାତ

Jajpur (ଯାଜପୁର)ରିପୋର୍ଟ: ଅନିଲ କୁମାର ଜେନା, ଯାଜପୁରAugust 25, 202616 views
ବରୀର ବନ୍ୟାଞ୍ଚଳରେ ସମାଜସେବୀଙ୍କ ସହାୟତାର ହାତ
ବରୀ, ଯାଜପୁର: ବନ୍ୟା ପ୍ରଭାବିତ ଅଞ୍ଚଳରେ ଅସହାୟ ଲୋକଙ୍କ ନିକଟରେ ପହଞ୍ଚି ସହାୟତାର ହାତ ବଢ଼ାଇଛନ୍ତି ସମାଜସେବୀ ଓ ସ୍ୱେଚ୍ଛାସେବୀମାନେ। ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅନ୍ତର୍ଗତ ବାଲିବିଲି ପଞ୍ଚାୟତର ଭବାନୀପୁର ଗାଁର ସୋସିଆଲ ୱାର୍କର୍ସ ସଭାପତି ଯୁବଲ ବରାଳଙ୍କ ନେତୃତ୍ୱରେ ‘ସମ୍ପର୍କ ହୃଦୟର’, ‘ଆଶାର ଆଲୋକ’ ଓ ‘ହେଲପିଂ ହ୍ୟାଣ୍ଡ ୱାରିଅର’ ପରିବାରର ସ୍ୱେଚ୍ଛାସେବୀମାନେ ବନ୍ୟା ପ୍ରଭାବିତ ଅଞ୍ଚଳରେ ପହଞ୍ଚି ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି। ଏହି ସେବା କାର୍ଯ୍ୟକ୍ରମରେ ସମାଜସେବୀ ସ୍ୱାଧୀନ ସାହୁ, ଅନିତା ପାଢ଼ୀ, ନରେନ୍ଦ୍ର ଜେନା, ସଂଗ୍ରାମ କେଶରୀ, ତପନ ମାର୍ଥା, ରବୀନ୍ଦ୍ର କୁମାର, ରାମଚାନ୍ଦ ହୋତାଙ୍କ ସମେତ ଅନେକ ସ୍ୱେଚ୍ଛାସେବୀ ଯୋଗଦେଇଥିଲେ। ସେମାନେ ବନ୍ୟା ପ୍ରଭାବିତ ଲୋକଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ କରିବା ସହ ଅଞ୍ଚଳର ସ୍ଥିତି ଓ ଲୋକଙ୍କ ସୁବିଧା-ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ବନ୍ୟା ଭଳି ଦୁର୍ବିପାକ ସମୟରେ ସରକାରୀ ସହାୟତା ସହିତ ସ୍ୱେଚ୍ଛାସେବୀ ସଂଗଠନ ଓ ସମାଜସେବୀମାନଙ୍କ ଏଭଳି ପ୍ରୟାସ ପ୍ରଭାବିତ ଲୋକଙ୍କ ମନରେ ଆଶା ସୃଷ୍ଟି କରିଛି। ନିଜର ବ୍ୟସ୍ତତାପୂର୍ଣ୍ଣ ଜୀବନ ମଧ୍ୟରୁ ସମୟ ବାହାର କରି ସମାଜ ପ୍ରତି ନିଜର କର୍ତ୍ତବ୍ୟବୋଧକୁ ପ୍ରାଥମିକତା ଦେଇ ସେମାନେ ଏହି ସେବା କାର୍ଯ୍ୟରେ ସାମିଲ ହୋଇଥିବାରୁ ସ୍ଥାନୀୟ ମହଲରୁ ପ୍ରଶଂସା କରାଯାଇଛି। ଏଥିସହିତ ସଂଗଠନ ସହ ଜଡ଼ିତ କିଛି ସ୍ୱେଚ୍ଛାସେବୀ ନିଜ ପକ୍ଷରୁ ଅର୍ଥରାଶି ସହାୟତା ଯୋଗାଇ ଦେଇ ଅସହାୟ ଲୋକଙ୍କୁ ସହଯୋଗ କରିବା ପାଇଁ ଆଗେଇ ଆସିଛନ୍ତି। ସମାଜର ବିପଦ ସମୟରେ ମାନବିକତାର ଏହି ଉଦାହରଣ ଅନ୍ୟମାନଙ୍କୁ ମଧ୍ୟ ସେବା କାର୍ଯ୍ୟ ପାଇଁ ପ୍ରେରଣା ଯୋଗାଇବ ବୋଲି ମତ ପ୍ରକାଶ ପାଇଛି।