ସରକାରୀ କାର୍ଯ୍ୟରେ ଅବହେଳା କଲେ ଗଣିବେ ଜରିମାନା: ORPSA 2012 ଅଧୀନରେ ଲାଗୁ ହେଲା ନୂଆ SOP
Bhubaneswar (ଭୁବନେଶ୍ୱର)ଭୁବନେଶ୍ୱର ରୁ କବିରାଜ ପାତ୍ର ଙ୍କ ରିପୋର୍ଟAugust 25, 202614 views

ସରକାରୀ ସେବା ପ୍ରଦାନରେ ସ୍ୱଚ୍ଛତା ଓ ତ୍ୱରିତ ପ୍ରକ୍ରିୟାକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। 'ଓଡ଼ିଶା ରାଇଟ୍ ଟୁ ପବ୍ଲିକ୍ ସର୍ଭିସେସ୍ ଆକ୍ଟ, ୨୦୧୨' (ORPSA, 2012) ଅନୁସାରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଜନସାଧାରଣଙ୍କୁ ସେବା ଯୋଗାଇ ନଦେଲେ କିମ୍ବା ଆବେଦନ ନିଷ୍ପତ୍ତିରେ ଅବହେଳା କଲେ ସମ୍ପୃକ୍ତ ସରକାରୀ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିପାଇଁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର୍ (SOP) ଜାରି କରାଯାଇଛି।
ଏହି ନୂତନ ବ୍ୟବସ୍ଥାରେ ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଡିଜିଟାଲ୍ ଓ ସ୍ୱୟଂଚାଳିତ (Automated) କରାଯାଇଛି।
ପ୍ରଥମ ପର୍ଯ୍ୟାୟ: ଆବେଦନକାରୀ ଆବେଦନ କରିବା ପରେ ନିର୍ଦ୍ଧାରିତ ଅଧିକାରୀ (Designated Officer) ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସେବା ଯୋଗାଇବେ।
ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ନ ହୁଏ, ତେବେ ସିଷ୍ଟମ୍ ସ୍ୱୟଂଚାଳିତ ଭାବେ ଏହାକୁ ଅପିଲ୍ କର୍ତ୍ତୃପକ୍ଷ (Appellate Authority) ଙ୍କ ନିକଟକୁ ପଠାଇଦେବ।
ଅଟୋ-ରିଭିଜନ୍: ଯଦି ଅପିଲ୍ କର୍ତ୍ତୃପକ୍ଷ ମଧ୍ୟ ନିର୍ଦ୍ଧାରିତ ସମୟରେ ଏହାର ସମାଧାନ ନ କରନ୍ତି, ତେବେ ମାମଲାଟି ସ୍ୱୟଂଚାଳିତ ଭାବେ ରିଭିଜନାଲ୍ କର୍ତ୍ତୃପକ୍ଷ (Revisional Authority) ଙ୍କ ପାଖକୁ ଆସିବ। ଏହା ସହିତ ସମ୍ପୃକ୍ତ ଆବେଦନକାରୀଙ୍କୁ SMS, WhatsApp କିମ୍ବା E-mail ମାଧ୍ୟମରେ ସୂଚନା ମିଳିଯିବ।
କାର୍ଯ୍ୟରେ ଅବହେଳା କରୁଥିବା ଅଧିକାରୀଙ୍କ ପାଇଁ ନିମ୍ନଲିଖିତ ଜରିମାନା ବ୍ୟବସ୍ଥା କରାଯାଇଛି:
ବିଳମ୍ବ ପାଇଁ ଦୈନିକ ଜରିମାନା: ନିର୍ଦ୍ଧାରିତ ସମୟସୀମା ଅତିକ୍ରମ କଲେ ପ୍ରତିଦିନର ବିଳମ୍ବ ପାଇଁ ୨୫୦ ଟଙ୍କା ଲେଖାଏଁ ଜରିମାନା ଦେବାକୁ ପଡ଼ିବ।
ଯଥାର୍ଥ କାରଣ ନ ଦେଖାଇ ସେବା ଯୋଗାଇବାରେ ବିଫଳ ହେଲେ ସମ୍ପୃକ୍ତ ଅଧିକାରୀଙ୍କ ଉପରେ ସର୍ବାଧିକ ୫,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗୁ କରାଯିବ।
ସରକାରଙ୍କ ଏହି ନୂଆ SOP ଫଳରେ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ଫାଇଲ୍ ପଡ଼ିରହିବା ସମସ୍ୟା ଦୂର ହେବା ସହ ଆବେଦନକାରୀମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ନିଜର ସେବା ପାଇପାରିବେ ବୋଲି ଆଶା କରାଯାଉଛି
