--:--:--
-- ---
Srishti News

ମିଲିଟାରୀ ଛକ-ପଙ୍କପାଳ ବଙ୍ଗଳା ଛକ ରାସ୍ତା ଶୋଚନୀୟ: ୭ ଦିନରେ ସମାଧାନ ନହେଲେ ୩୧ରେ ଭିସା ଛକରେ ରାସ୍ତାରୋକ ଚେତାବନୀ

Jajpur (ଯାଜପୁର)ଅନିଲ କୁମାର ଜେନାAugust 24, 202666 views
ମିଲିଟାରୀ ଛକ-ପଙ୍କପାଳ ବଙ୍ଗଳା ଛକ ରାସ୍ତା ଶୋଚନୀୟ: ୭ ଦିନରେ ସମାଧାନ ନହେଲେ ୩୧ରେ ଭିସା ଛକରେ ରାସ୍ତାରୋକ ଚେତାବନୀ
ଜଖପୁରା, ୨୪/୮(ନିପ୍ର): ଦୀର୍ଘଦିନ ଧରି ମିଲିଟାରୀ ଛକରୁ ପଙ୍କପାଳ ବଙ୍ଗଳା ଛକ ପର୍ଯ୍ୟନ୍ତ ରାସ୍ତାର ଦୟନୀୟ ଅବସ୍ଥାକୁ ନେଇ ଜଖପୁରା ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ପୂର୍ତ୍ତ ବିଭାଗ ଅଧୀନରେ ଥିବା ଏହି ରାସ୍ତାର ଦୀର୍ଘଦିନ ଧରି ମରାମତି ହୋଇନଥିବାରୁ ଅନେକ ସ୍ଥାନରେ ବଡ଼ବଡ଼ ଖାଲଖମା ସୃଷ୍ଟି ହୋଇଛି। ବର୍ଷା ହେଲେ ଖାଲରେ ପାଣି ଜମି ରାସ୍ତାର ଅବସ୍ଥା ଆହୁରି ଦୁର୍ଦ୍ଦଶାପୂର୍ଣ୍ଣ ହେଉଛି। ଏହି ରାସ୍ତା ଦେଇ ପ୍ରତିଦିନ ଛାତ୍ରଛାତ୍ରୀ, ରୋଗୀ, ଶ୍ରମିକ, ବ୍ୟବସାୟୀଙ୍କ ସମେତ ବହୁ ସଂଖ୍ୟକ ଲୋକ ଯାତାୟାତ କରୁଛନ୍ତି। ରାସ୍ତାର ଶୋଚନୀୟ ସ୍ଥିତି ଯୋଗୁଁ ଦୁର୍ଘଟଣାର ଆଶଙ୍କା ବଢ଼ିବା ସହ ଜରୁରୀକାଳୀନ ସମୟରେ ରୋଗୀଙ୍କୁ ନେବା ମଧ୍ୟ କଷ୍ଟକର ହୋଇପଡ଼ିଛି। ଏନେଇ ପୂର୍ବରୁ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲେ ମଧ୍ୟ ସ୍ଥାୟୀ ସମାଧାନ ହୋଇନଥିବା ଅଭିଯୋଗ ହୋଇଛି। ରାସ୍ତାର ତୁରନ୍ତ ମରାମତି ଓ ସ୍ଥାୟୀ ସମାଧାନ ଦାବିରେ ସୋମବାର ଜଖପୁରା ଅଞ୍ଚଳବାସୀ ଓ ସର୍ବସାଧାରଣଙ୍କ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ରାସ୍ତାର ବାସ୍ତବ ସ୍ଥିତି ଅନୁଧ୍ୟାନ କରି ତୁରନ୍ତ ମରାମତି କାର୍ଯ୍ୟ ଆରମ୍ଭ କରିବା ସହ ଭବିଷ୍ୟତରେ ଏଭଳି ସମସ୍ୟା ନହେବା ପାଇଁ ସ୍ଥାୟୀ ପଦକ୍ଷେପ ନେବାକୁ ଦାବି କରାଯାଇଛି। ଏଥିପାଇଁ ପ୍ରଶାସନକୁ ୭ ଦିନର ମହଲତ ଦିଆଯାଇଛି। ଏହି ସମୟ ମଧ୍ୟରେ ଠୋସ ପଦକ୍ଷେପ ନିଆନଗଲେ ଆସନ୍ତା ୩୧ ତାରିଖରେ ଭିସା ଛକଠାରେ ଶାନ୍ତିପୂର୍ଣ୍ଣ ରାସ୍ତାରୋକ କରାଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି। ଏହି ଆନ୍ଦୋଳନ କୌଣସି ବ୍ୟକ୍ତି କିମ୍ବା ସଂସ୍ଥା ବିରୋଧରେ ନୁହେଁ, ବରଂ ସୁରକ୍ଷିତ ଯାତାୟାତ ଓ ମୌଳିକ ସୁବିଧା ପାଇଁ ଏକ ଗଣତାନ୍ତ୍ରିକ ଦାବି ବୋଲି ଅଞ୍ଚଳବାସୀ କହିଛନ୍ତି। ଏବେ ସମସ୍ତଙ୍କ ନଜର ପ୍ରଶାସନର ପଦକ୍ଷେପ ଉପରେ। ଦାବି ପୂରଣ ନହେଲେ ୩୧ ତାରିଖରେ ଭିସା ଛକରେ ରାସ୍ତାରୋକ ହେବା ନେଇ ଜଖପୁରା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଦାବିପତ୍ର ପ୍ରଦାନ ସମୟରେ ଅନିଲ ଧଳ, ସନ୍ଦୀପ ମହାନ୍ତି, ଅକ୍ଷୟ ବାରିକ, ରାଜେନ୍ଦ୍ର ସାହୁ ଓ ରାଜକିଶୋର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।