--:--:--
-- ---
Srishti News

ସଂଶୋଧିତ MMDR ଆଇନ ବିରୋଧରେ ଚାରି ଦଳର ଆହ୍ୱାନ: ରାଜ୍ୟର ଅଧିକାର ଓ ଆଦିବାସୀଙ୍କ ଜୀବିକା ସୁରକ୍ଷା ଦାବି; ସେପ୍ଟେମ୍ବର ୧ରୁ ୧୦ ଯାଏଁ ପ୍ରତିବାଦ ଆନ୍ଦୋଳନ

Bhubaneswar (ଭୁବନେଶ୍ୱର)ସୁକାନ୍ତ ପ୍ରଧାନAugust 24, 202615 views
ସଂଶୋଧିତ MMDR ଆଇନ ବିରୋଧରେ ଚାରି ଦଳର ଆହ୍ୱାନ: ରାଜ୍ୟର ଅଧିକାର ଓ ଆଦିବାସୀଙ୍କ ଜୀବିକା ସୁରକ୍ଷା ଦାବି; ସେପ୍ଟେମ୍ବର ୧ରୁ ୧୦ ଯାଏଁ ପ୍ରତିବାଦ ଆନ୍ଦୋଳନ
ଭୁବନେଶ୍ୱର, ୨୪/୮: ସଂଶୋଧିତ ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ଆଇନ, ୨୦୨୬କୁ ନେଇ ରାଜ୍ୟରେ ରାଜନୈତିକ ବିରୋଧ ତୀବ୍ର ହୋଇଛି। କେନ୍ଦ୍ର ସରକାରଙ୍କ ଖଣି ନୀତିକୁ କର୍ପୋରେଟ୍‌ ସପକ୍ଷ ଓ ରାଜ୍ୟର ଅଧିକାର ସଂକୁଚିତ କରୁଥିବା ଅଭିଯୋଗ କରି ଚାରି ଦଳ ପକ୍ଷରୁ ଆସନ୍ତା ସେପ୍ଟେମ୍ବର ୧ରୁ ୧୦ ତାରିଖ ମଧ୍ୟରେ ରାଜ୍ୟବ୍ୟାପୀ ପ୍ରତିବାଦ ଆନ୍ଦୋଳନ ପାଇଁ ଆହ୍ୱାନ ଦିଆଯାଇଛି। ପ୍ରେସ୍‌ ନୋଟ୍‌ରେ କୁହାଯାଇଛି ଯେ, ସଂଶୋଧିତ ଆଇନ ଦ୍ୱାରା ରାଜ୍ୟଗୁଡ଼ିକର ଖଣିଜ ରାଜସ୍ୱ ଆଦାୟ କ୍ଷମତା ସଂକୁଚିତ ହେବା ସହ ଖଣିଜ ସମ୍ପଦ ଉପରେ କେନ୍ଦ୍ରର ନିୟନ୍ତ୍ରଣ ବଢ଼ିବ। ବିଶେଷକରି ଆଇନର ଧାରା ୯-ଡି ରାଜ୍ୟମାନଙ୍କ ଖଣି ଓ ଖଣି ସଂଲଗ୍ନ ଜମି ଉପରେ ଟିକସ ବା ସେସ୍‌ ଲାଗୁ କରିବାର ଅଧିକାରକୁ ସୀମିତ କରୁଥିବା ଅଭିଯୋଗ ହୋଇଛି। ସୁପ୍ରିମକୋର୍ଟଙ୍କ ୨୦୨୪ ଜୁଲାଇ ରାୟ ପରେ ଓଡ଼ିଶା ପିଛିଲା ଖଣିଜ ରାଜସ୍ୱ ବାବଦରେ ପ୍ରାୟ ୧ ଲକ୍ଷରୁ ୧.୨୫ ଲକ୍ଷ କୋଟି ଟଙ୍କା ଆଦାୟ କରିବାର ସୁଯୋଗ ପାଇଥିବା ବେଳେ ସଂଶୋଧିତ ଆଇନ ଏହି ଅଧିକାରକୁ ପ୍ରଭାବିତ କରିବ ବୋଲି ଦଳଗୁଡ଼ିକ ଦାବି କରିଛନ୍ତି। ଏଥିସହ ଖଣିଜ ଉପରେ ନୂଆ କର ବା ସେସ୍‌ ଲାଗୁ କରି ରାଜ୍ୟ ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କା ଅତିରିକ୍ତ ରାଜସ୍ୱ ପାଇପାରୁଥିବା ସମ୍ଭାବନା ମଧ୍ୟ ହ୍ରାସ ପାଇବ ବୋଲି କୁହାଯାଇଛି। କ୍ୟାପ୍ଟିଭ୍‌ ଖଣିର ଖଣିଜକୁ ବାହାର ବଜାରରେ ବିକ୍ରି କରିବାର ସୁଯୋଗ ବଢ଼ାଯିବାକୁ ନେଇ ମଧ୍ୟ ପ୍ରେସ୍‌ ନୋଟ୍‌ରେ ଆପତ୍ତି ଉଠାଯାଇଛି। ଏହା ଦ୍ୱାରା ବଡ଼ ଖଣି କମ୍ପାନୀଗୁଡ଼ିକ ନିଜ କାରଖାନା ପାଇଁ ମିଳିଥିବା ଖଣିଜକୁ ବାଣିଜ୍ୟିକ ଭାବେ ବିକ୍ରି କରି ଅଧିକ ଲାଭ କରିବାର ସୁଯୋଗ ପାଇବେ ବୋଲି ଅଭିଯୋଗ ହୋଇଛି। ଏଥିସହ ଚାଲୁଥିବା ଖଣି ଅଞ୍ଚଳକୁ ନିର୍ଦ୍ଦିଷ୍ଟ ସୀମାରେ ବୃଦ୍ଧି କରିବାର ବ୍ୟବସ୍ଥା ଦ୍ୱାରା ଜଙ୍ଗଲ, ଜମି, ଜଳସ୍ରୋତ ଓ ସ୍ଥାନୀୟ ଜୀବନଜୀବିକା ଉପରେ ଚାପ ବଢ଼ିବ ବୋଲି ଦଳଗୁଡ଼ିକ ଆଶଙ୍କା ପ୍ରକାଶ କରିଛନ୍ତି। ଜଙ୍ଗଲ ଅଧିକାର ଆଇନ, ପେସା ଆଇନ ଓ ଅନୁସୂଚିତ ଅଞ୍ଚଳ ସମ୍ବନ୍ଧୀୟ ଅଧିକାରକୁ ଅଣଦେଖା କରାଯିବାର ଆଶଙ୍କା ମଧ୍ୟ ପ୍ରକାଶ କରାଯାଇଛି। ଓଡ଼ିଶାର ବକ୍ସାଇଟ୍‌, ଲୁହପଥର, କ୍ରୋମାଇଟ୍‌, ମାଙ୍ଗାନିଜ୍‌ ଓ କୋଇଲା ଭଳି ଖଣିଜ ସମ୍ପଦରୁ କର୍ପୋରେଟ୍‌ ସଂସ୍ଥା ଲାଭବାନ ହେଉଥିବା ବେଳେ ଖଣି ଅଞ୍ଚଳର ଲୋକେ ବିସ୍ଥାପନ, ଜମିହରା, ଜଙ୍ଗଲ ନଷ୍ଟ, ପ୍ରଦୂଷଣ ଓ ଜୀବିକା ସଙ୍କଟର ସମ୍ମୁଖୀନ ହେଉଥିବା ଅଭିଯୋଗ କରାଯାଇଛି। ଯାନ୍ତ୍ରିକ ଖଣି ଖନନ ବଢ଼ିଲେ ଉତ୍ପାଦନ ବୃଦ୍ଧି ହେଲେ ମଧ୍ୟ ସ୍ଥାନୀୟ ଯୁବକଯୁବତୀଙ୍କ ପାଇଁ ସ୍ଥାୟୀ ନିଯୁକ୍ତିର ସୁଯୋଗ ସୀମିତ ରହିବ ବୋଲି ମତ ପ୍ରକାଶ ପାଇଛି। ପ୍ରେସ୍‌ ନୋଟ୍‌ରେ ସଂଶୋଧିତ MMDR ଆଇନ, ୨୦୨୬ ପ୍ରତ୍ୟାହାର, ରାଜ୍ୟମାନଙ୍କ ଖଣିଜ ରାଜସ୍ୱ ଓ କର ଆଦାୟର ଅଧିକାର ସୁରକ୍ଷା, କ୍ୟାପ୍ଟିଭ୍‌ ଖଣିଜର ବାଣିଜ୍ୟିକ ବିକ୍ରି ନୀତି ପ୍ରତ୍ୟାହାର ଏବଂ ଗ୍ରାମସଭା, ଆଦିବାସୀ ଅଧିକାର, ଜଙ୍ଗଲ ଅଧିକାର ଓ ପରିବେଶ ଆଇନର ସୁରକ୍ଷା ଦାବି କରାଯାଇଛି। ଏଥିସହ ଓଡ଼ିଶା ସମେତ ଖଣିଜ ସମ୍ପଦଶାଳୀ ରାଜ୍ୟଗୁଡ଼ିକରେ ନୂଆ ଖଣି ଖୋଲିବା ଉପରେ ରୋକ ଲଗାଇ ପୂର୍ବରୁ ଚାଲୁଥିବା ଖଣିଗୁଡ଼ିକର ସାମାଜିକ, ଆର୍ଥିକ ଓ ପରିବେଶଗତ ସମୀକ୍ଷା କରିବାକୁ ଦାବି ହୋଇଛି। ଖଣିଜ ସମ୍ପଦ ଜନସାଧାରଣଙ୍କର ଏବଂ ଏହା ଭବିଷ୍ୟତ ପିଢ଼ିର ମଧ୍ୟ ଅଧିକାର ବୋଲି ଉଲ୍ଲେଖ କରି ଶ୍ରମିକ, କୃଷକ, ଆଦିବାସୀ, ଦଳିତ ଓ ଗଣତାନ୍ତ୍ରିକ ଜନସାଧାରଣଙ୍କୁ ଏହି ଆନ୍ଦୋଳନରେ ସାମିଲ ହେବାକୁ ଆହ୍ୱାନ ଦିଆଯାଇଛି।