ଗୋପାଳପୁରରେ ଦିନ ଦ୍ୱିପ୍ରହରେ ଚୋରି: ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନା-ରୂପା ଲୁଟ
Bargarh (ବରଗଡ଼)ସତ୍ୟ ସୁରୁଜାଲAugust 24, 202622 views

ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଗୋପାଳପୁରରେ ଦିନ ଦ୍ୱିପ୍ରହରେ ବଡ଼ ଧରଣର ଚୋରି ଘଟଣା ସାମ୍ନାକୁ ଆସିଛି। ଗୋପାଳପୁର ଗ୍ରାମର ନିତ୍ୟାନନ୍ଦ ସାହୁଙ୍କ ଘରୁ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ମୂଲ୍ୟର ସୁନା ଓ ରୂପା ଅଳଙ୍କାର ସହ ନଗଦ ୩୦ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ସୋମବାର ସକାଳ ପ୍ରାୟ ୯ଟା ୩୦ରୁ ୧୦ଟା ୩୦ ମଧ୍ୟରେ ଏହି ଚୋରି ଘଟିଥିବା କୁହାଯାଉଛି। ନିତ୍ୟାନନ୍ଦ ସାହୁ ଭଟଲି ଯାଇଥିବା ବେଳେ ତାଙ୍କ ଧର୍ମପତ୍ନୀ ଜଣେ ଶିକ୍ଷୟିତ୍ରୀ ହୋଇଥିବାରୁ ସ୍କୁଲକୁ ଯାଇଥିଲେ। ଏହି ସମୟରେ ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରେ ପ୍ରବେଶ କରିଥିବା ଅଭିଯୋଗ ହୋଇଛି।
ଘର ଭିତରେ ଥିବା ବିଭିନ୍ନ ସାମଗ୍ରୀକୁ ହସ୍ତବ୍ୟସ୍ତ କରିବା ସହ ଆଲମାରି ଆଦି ଖୋଜାଖୋଜି କରି ଦୁର୍ବୃତ୍ତମାନେ ସୁନା, ରୂପା ଅଳଙ୍କାର ଓ ନଗଦ ଟଙ୍କା ନେଇଯାଇଥିବା ଅଭିଯୋଗ ରହିଛି।
ଘଟଣା ସମ୍ପର୍କରେ ଭଟଲି ଥାନାରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଚୋରିରେ ସମ୍ପୃକ୍ତ ଦୁର୍ବୃତ୍ତଙ୍କୁ ଧରିବା ସହ ଚୋରି ସାମଗ୍ରୀ ଉଦ୍ଧାର ପାଇଁ ଭଟଲି ପୁଲିସ ପକ୍ଷରୁ ତନାଘନା ଜାରି ରହିଛି।
