ସାଉଥ୍ ଇବଲଣ୍ଡାରେ ମନମାନି ଗଛକଟା ଅଭିଯୋଗ, ତଦନ୍ତ ଦାବି
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାAugust 24, 202670 views

ତାଳଚେର: ତାଳଚେର ବ୍ଲକ ଅନ୍ତର୍ଗତ ସାଉଥ୍ ବଲଣ୍ଡା ଅଞ୍ଚଳରେ ବେଧଡକ ଗଛକଟାକୁ ନେଇ ତୀବ୍ର ଜନଅସନ୍ତୋଷ ଦେଖାଦେଇଛି। ଓଆସରି ଛକଠାରୁ ବଲଣ୍ଡା ଷ୍ଟାଡିୟମ ପର୍ଯ୍ୟନ୍ତ ରାସ୍ତାକଡ଼ରେ ଥିବା ବହୁ ଗଛ କାଟି ଦିଆଯାଇଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ସ୍ଥାନୀୟଙ୍କ କହିବାନୁସାରେ, ଦୀର୍ଘଦିନ ଧରି ଏହି ଗଛଗୁଡ଼ିକ ଯାତାୟାତକାରୀଙ୍କ ପାଇଁ ଛାଇର ଆଶ୍ରୟସ୍ଥଳ ପାଲଟିଥିଲା। ବିଶେଷକରି ଖରାଦିନେ ଲୋକେ ଗଛମୂଳରେ କିଛି ସମୟ ବିଶ୍ରାମ ନେଉଥିଲେ। ଏବେ ବହୁ ଗଛ କଟାଯିବା ପରେ ପରିବେଶ ସହ ଲୋକଙ୍କ ସୁବିଧା ମଧ୍ୟ ପ୍ରଭାବିତ ହୋଇଛି।
ତେବେ କାହା ଅନୁମତିରେ ଏହି ଗଛକଟା ହୋଇଛି? ଏହାକୁ ନେଇ ପ୍ରଶ୍ନ ଉଠିଛି। ଗଛକଟା ପାଇଁ ଆବଶ୍ୟକ ସରକାରୀ ଅନୁମତି ନିଆଯାଇଥିଲା କି ନାହିଁ ଏବଂ ଯଦି ଅନୁମତି ମିଳିଥିଲା, ତେବେ କେଉଁ ବିଭାଗ ପକ୍ଷରୁ ଏହା ଦିଆଯାଇଥିଲା—ତାହା ସ୍ପଷ୍ଟ କରିବାକୁ ଦାବି ହୋଇଛି।
ଅନ୍ୟପକ୍ଷରେ, ଘଟଣାର ତୁରନ୍ତ ତଦନ୍ତ କରି ଗଛକଟାର ବାସ୍ତବ କାରଣ, ଅନୁମତି ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆଣିବାକୁ ସ୍ଥାନୀୟମାନେ ବନ ବିଭାଗ ଓ ପ୍ରଶାସନ ନିକଟରେ ଦାବି କରିଛନ୍ତି।
ସରକାର ଏକପଟେ ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱ ଦେଉଥିବାବେଳେ ଅନ୍ୟପଟେ ଏଭଳି ଗଛକଟା ଅଭିଯୋଗ ଚିନ୍ତାର ବିଷୟ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଆବଶ୍ୟକ ଆଇନଗତ ପଦକ୍ଷେପ ସହ କଟାଯାଇଥିବା ଗଛ ବଦଳରେ ନୂଆ ଚାରାରୋପଣ କରିବାକୁ ମଧ୍ୟ ଦାବି ହୋଇଛି।
