କାଉଡ଼ିଆଙ୍କ ଭକ୍ତିରେ ଶିବମୟ ପାତାଳଗଙ୍ଗା: ବ୍ଲକ ଛକ କମିଟି ଦ୍ୱାରା ଶହଶହ ଭକ୍ତଙ୍କୁ ଅନ୍ନଭୋଗ ବଣ୍ଟନ
Nuapada (ନୂଆପଡ଼ା)ରିପୋର୍ଟ: ମଳୟ ମେହେର ଓ କଶ୍ୟପ ଜଗତ:August 23, 202662 views

ସିନାପାଲି, ୨୩/୮: ଶ୍ରାବଣ ମାସର ଶେଷ ସୋମବାର ଅବସରରେ ଭକ୍ତି ଓ ଆଧ୍ୟାତ୍ମିକତାରେ ଚଳଚଞ୍ଚଳ ହୋଇଉଠିଛି ଐତିହାସିକ ପାତାଳଗଙ୍ଗା ଶୈବପୀଠ। ପାତାଳଗଙ୍ଗାରୁ ପବିତ୍ର ଜଳ ସଂଗ୍ରହ କରି ଶିବଙ୍କ ଜଳାଭିଷେକ ପାଇଁ ହଜାର ହଜାର କାଉଡ଼ିଆଙ୍କ ସମାଗମରେ ସମଗ୍ର ତୀର୍ଥକ୍ଷେତ୍ର ଶିବମୟ ହୋଇପଡ଼ିଛି। ବୋଲବମ୍ ଧ୍ୱନିରେ ପ୍ରକମ୍ପିତ ହୋଇଥିବା ବେଳେ ଭକ୍ତଙ୍କ ଶ୍ରଦ୍ଧା ଓ ଆସ୍ଥା ପରିବେଶକୁ ଆହୁରି ଆଧ୍ୟାତ୍ମିକ କରିଦେଇଥିଲା।
ପାତାଳଗଙ୍ଗା କେବଳ ଏକ ଶୈବପୀଠ ନୁହେଁ, ଏହା ସହ ଜଡ଼ିତ ରହିଛି ପୁରାଣ ଓ ଲୋକବିଶ୍ୱାସର ଏକ ସମୃଦ୍ଧ ଇତିହାସ। ପୌରାଣିକ କଥାନୁସାରେ, ପ୍ରଭୁ ଶ୍ରୀରାମ, ମାତା ସୀତା ଓ ଭ୍ରାତା ଲକ୍ଷ୍ମଣ ବନବାସ ସମୟରେ ଏହି ଅଞ୍ଚଳ ଦେଇ ଯାଉଥିବା ବେଳେ ମାତା ସୀତାଙ୍କୁ ତୃଷା ଅନୁଭବ ହୋଇଥିଲା। ତାଙ୍କ ତୃଷ୍ଣା ମେଣ୍ଟାଇବା ପାଇଁ ପ୍ରଭୁ ଶ୍ରୀରାମ ଧନୁତୀର ମାରି ଭୂଗର୍ଭରୁ ଜଳଧାରା ପ୍ରବାହିତ କରିଥିଲେ ବୋଲି ଲୋକକଥାରେ ବର୍ଣ୍ଣିତ ରହିଛି। ସେହି ପବିତ୍ର ଜଳଧାରାକୁ ‘ପାତାଳଗଙ୍ଗା’ ଭାବେ ଶ୍ରଦ୍ଧାଳୁମାନେ ଆଜି ମଧ୍ୟ ଭକ୍ତିର ସହ ସ୍ମରଣ କରିଥାନ୍ତି।
ପବିତ୍ର ଜଳ ଓ ଶୈବ ଆରାଧନା ସହ ପାତାଳଗଙ୍ଗାର ଧାର୍ମିକ ମହତ୍ତ୍ୱ ଜଡ଼ିତ ଥିବାରୁ ଶ୍ରାବଣ ମାସରେ ଏଠାକୁ ଭକ୍ତଙ୍କ ସୁଅ ଛୁଟିଥାଏ। ବିଶେଷକରି ଶ୍ରାବଣର ଶେଷ ସୋମବାରରେ ଦୂରଦୂରାନ୍ତରୁ କାଉଡ଼ିଆମାନେ ଆସି ପବିତ୍ର ଜଳ ନେଇ ଶିବଙ୍କ ଜଳାଭିଷେକ କରିବାର ପରମ୍ପରା ପାଳନ କରିଥାନ୍ତି।
କାଉଡ଼ିଆଙ୍କ ସେବାରେ ବ୍ଲକ ଛକ କମିଟି,ଏହି ପବିତ୍ର ଅବସରରେ ସିନାପାଲି ବ୍ଲକ ଛକ କମିଟି ପକ୍ଷରୁ କାଉଡ଼ିଆ ଓ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନଭୋଗ ବଣ୍ଟନ କରାଯାଇଥିଲା। ଦୀର୍ଘ ପଥ ଅତିକ୍ରମ କରି ପାତାଳଗଙ୍ଗାରେ ପହଞ୍ଚୁଥିବା ଭକ୍ତଙ୍କ ପାଇଁ ଏଭଳି ସେବା ନିଶ୍ଚିତ ଭାବେ ଏକ ମହତ୍ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଛି।
ପ୍ରତିବର୍ଷ ଭଳି ଏଥର ମଧ୍ୟ କମିଟିର ସଦସ୍ୟମାନେ ନିଷ୍ଠା ଓ ସେବା ମନୋଭାବରେ ଅନ୍ନଭୋଗ ପ୍ରସ୍ତୁତ କରି ଶ୍ରଦ୍ଧାଳୁଙ୍କୁ ବଣ୍ଟନ କରିଥିଲେ। ଭକ୍ତଙ୍କ ପାଇଁ ଖାଦ୍ୟ ଯୋଗାଇବା ସହ ସେମାନଙ୍କ ସୁବିଧା ଓ ସେବା ପ୍ରତି ଧ୍ୟାନ ଦେଇ କମିଟି ଏକ ଉଦାହରଣୀୟ ସାମାଜିକ ଦାୟିତ୍ୱ ପ୍ରଦର୍ଶନ କରିଛି। କମିଟିର ଏହି ମହତ୍ ସେବାକାର୍ଯ୍ୟକୁ କାଉଡ଼ିଆ ଓ ଶ୍ରଦ୍ଧାଳୁମାନେ ପ୍ରଶଂସା କରିବା ସହ ଏହା ଧର୍ମୀୟ ଭାବନା ସହ ସେବା ଓ ମାନବିକତାର ଏକ ସୁନ୍ଦର ଉଦାହରଣ ବୋଲି କହିଛନ୍ତି ।
ଭକ୍ତି, ପରମ୍ପରା ଓ ସେବାର ଏହି ତ୍ରିବେଣୀ ସଙ୍ଗମରେ ଶ୍ରାବଣ ଶେଷ ସୋମବାରରେ ପାତାଳଗଙ୍ଗା ଶୈବପୀଠର ଆଧ୍ୟାତ୍ମିକ ପରିବେଶ ଅତ୍ୟନ୍ତ ମନୋରମ ହୋଇଉଠିଥିଲା ।


