ପାର୍ବତୀଗିରି ମହିଳା ମହାବିଦ୍ୟାଳୟରେ ପ୍ରଫେସର ପତିତ ପାବନ ମିଶ୍ରଙ୍କ ସମ୍ମାନରେ ଫେଲିସିଟେସନ୍ ଭଲ୍ୟୁମ୍ ଉନ୍ମୋଚିତ
Bargarh (ବରଗଡ଼)ରିପୋର୍ଟ -ବଂଶୀଧର ନାୟକAugust 23, 202626 views

ବରଗଡ -ବରଗଡ଼ସ୍ଥିତ ପାର୍ବତୀଗିରି ମହିଳା ମହାବିଦ୍ୟାଳୟ ପରିସରରେ ବିଶିଷ୍ଟ ଐତିହାସିକ ଓ ଶିକ୍ଷାବିତ୍ ପ୍ରଫେସର ପତିତ ପାବନ ମିଶ୍ରଙ୍କ ସମ୍ମାନରେ ପ୍ରସ୍ତୁତ ଫେଲିସିଟେସନ୍ ଭଲ୍ୟୁମ୍ ଆଜି ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ଏକ ସେମିନାର୍-କମ୍-ବୁକ୍ ରିଭ୍ୟୁ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। ଏହି ଫେଲିସିଟେସନ୍ ଭଲ୍ୟୁମ୍କୁ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ସମ୍ବଲପୁରର ମାନ୍ୟବର କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଉନ୍ମୋଚନ କରିଥିଲେ। ଏହି ସ୍ମାରକ ଗ୍ରନ୍ଥଟିର ସମ୍ପାଦନା କରିଛନ୍ତି ପାର୍ବତୀଗିରି ମହିଳା ମହାବିଦ୍ୟାଳୟର ଇତିହାସ ବିଭାଗର ବରିଷ୍ଠ ଅଧ୍ୟାପକ ଡଃ.ସତ୍ୟନାରାୟଣ ନନ୍ଦ।ଏହି ପୁସ୍ତକରେ ଇତିହାସ, ସଂସ୍କୃତି ଓ ପ୍ରତ୍ନତତ୍ତ୍ୱର ବିଭିନ୍ନ ଦିଗକୁ ନେଇ ମୋଟ ୩୨ଟି ଗବେଷଣାମୂଳକ ପ୍ରବନ୍ଧ ସ୍ଥାନ ପାଇଛି। ସେଥିମଧ୍ୟରୁ ୧୩ଟି ପ୍ରବନ୍ଧ ବିଦେଶର ବିଭିନ୍ନ ବିଦ୍ୱାନଙ୍କ ଦ୍ୱାରା ଏବଂ ୧୯ଟି ପ୍ରବନ୍ଧ ଭାରତର ବିଭିନ୍ନ ସ୍ଥାନର ଗବେଷକ ଓ ବିଦ୍ୱାନମାନଙ୍କ ଦ୍ୱାରା ଲିଖିତ ହୋଇଛି। ଏହା ପ୍ରଫେସର ପତିତ ପାବନ ମିଶ୍ରଙ୍କ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଥିବା ବ୍ୟାପକ ପ୍ରଭାବର ପ୍ରତିଫଳନ ବୋଲି ମତ ପ୍ରକାଶ ପାଇଥିଲା। ମୁଖ୍ୟ ଅତିଥି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ତାଙ୍କ ଅଭିଭାଷଣରେ ଏଭଳି ଏକ ମୂଲ୍ୟବାନ ଶିକ୍ଷାମୂଳକ ଓ ଗବେଷଣାଧର୍ମୀ ଗ୍ରନ୍ଥ ପ୍ରକାଶ ପାଇଁ ଆୟୋଜକମାନଙ୍କୁ ପ୍ରଶଂସା କରିବା ସହ ଇତିହାସ, ସଂସ୍କୃତି ଓ ପ୍ରତ୍ନତତ୍ତ୍ୱ ଅଧ୍ୟୟନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଡଃ.ବିଶ୍ୱଜିତ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଯାହାଙ୍କ ସମ୍ମାନରେ ଏହି ଫେଲିସିଟେସନ୍ ଭଲ୍ୟୁମ୍ ପ୍ରସ୍ତୁତ ହୋଇଛି, ସେହି ପ୍ରଫେସର ପତିତ ପାବନ ମିଶ୍ର ମଧ୍ୟ ଉପସ୍ଥିତ ରହି ଏହି ଶିକ୍ଷାମୂଳକ ଆୟୋଜନକୁ ଗୌରବାନ୍ୱିତ କରିଥିଲେ।କାର୍ଯ୍ୟକ୍ରମରେ ଡଃ.ସଂଘମିତ୍ରା ମିଶ୍ର ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ଶ୍ରୀମତୀ ମଧୁସ୍ମିତା ନନ୍ଦ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ନନ୍ଦିନୀ ନିରୋଦ ପଣ୍ଡାମଧ୍ୟ ତାଙ୍କ ଅଭିଭାଷଣରେ ଏହି ଗୌରବମୟ ଆୟୋଜନର ଗୁରୁତ୍ୱ ବ୍ୟାଖ୍ୟା କରିଥିଲେ। ଏହି ଅବସରରେ ବିଭିନ୍ନ ମହାବିଦ୍ୟାଳୟରୁ ଆସିଥିବା ଶିକ୍ଷାବିତ୍, ଗବେଷକ, ବିଦ୍ୱାନ, ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବିଶେଷ ଏବଂ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇଥିଲେ। ଏହି ଆୟୋଜନ ପ୍ରଫେସର ପତିତ ପାବନ ମିଶ୍ରଙ୍କ ଶିକ୍ଷା, ଗବେଷଣା ଓ ଐତିହାସିକ ଚିନ୍ତନ ପ୍ରତି ଏକ ମହତ୍ତ୍ୱପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଭାବେ ପରିଗଣିତ ହୋଇଥିଲା। କାର୍ଯ୍ୟକ୍ରମକୁ ପ୍ରାଧ୍ୟାପିକା ମୌସୁମୀ ଲିଜା ନାଏକ ସଂଯୋଜନା କରିଥିବା ବେଳେ ଡଃ. ଗାୟତ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସାହପୂର୍ଣ୍ଣ ଓ ଗବେଷଣାଧର୍ମୀ ପରିବେଶରେ ଏହି ସ୍ମରଣୀୟ ଶିକ୍ଷାମୂଳକ କାର୍ଯ୍ୟକ୍ରମ ସଫଳତାର ସହ ସମାପ୍ତ ହୋଇଥିଲା।

