ପୂର୍ବତନ ଉପନଗରପାଳ ତଥା ବ୍ୟବସାୟୀ ମହାସଂଘର ପୂର୍ବତନ ସଭାପତି ରାମ ଅବତାରଙ୍କ ପରଲୋକ
Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାAugust 22, 2026110 views

ଖୋର୍ଦ୍ଧା, ୨୧/୮: ଖୋର୍ଦ୍ଧା ସହରର ବରିଷ୍ଠ ନାଗରିକ, ପୂର୍ବତନ ଉପନଗରପାଳ ବ୍ୟବସାୟୀ ମହାସଂଘ ସଭାପତି ତଥା ବିଶିଷ୍ଟ ସମାଜସେବୀ ରାମ ଅବତାରଙ୍କ ଶୁକ୍ରବାର ମଧ୍ୟାହ୍ନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ସେ ଗତ କିଛି ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ତାଙ୍କ ବିୟୋଗରେ ଖୋର୍ଦ୍ଧା ସହରର ବ୍ୟବସାୟୀ ମହଲ, ବିଭିନ୍ନ ସାମାଜିକ ଓ ଧାର୍ମିକ ସଂଗଠନ ସମେତ ସାଧାରଣ ମହଲରେ ଶୋକର ଛାୟା ଖେଳିଯାଇଛି।ସ୍ୱର୍ଗତ ରାମ ଅବତାର ୧୯୩୯ ମସିହା ଅକ୍ଟୋବର ୫ ତାରିଖରେ ଜନ୍ମଗ୍ରହଣ କରିଥିଲେ। ସେ ସ୍ୱର୍ଗତ ଭିକାରୀଲାଲଙ୍କ ପୁତ୍ର ଥିଲେ। ମିଷ୍ଟଭାଷୀ, ମେଳାପୀ, ପରୋପକାରୀ ଓ ସରଳ ମନୋଭାବର ବ୍ୟକ୍ତି ଭାବେ ସେ ଖୋର୍ଦ୍ଧା ସହରରେ ବେଶ୍ ପରିଚିତ ଥିଲେ। ବିଭିନ୍ନ ସାମାଜିକ, ଧାର୍ମିକ ଓ ବ୍ୟବସାୟିକ ସଂଗଠନ ସହିତ ଦୀର୍ଘବର୍ଷ ଧରି ସେ ସକ୍ରିୟ ଭାବେ ଜଡ଼ିତ ରହିବା ସହିତ ସମାଜସେବାରେ ନିଜକୁ ନିୟୋଜିତ ରଖିଥିଲେ।୧୯୭୯ ମସିହାରୁ ୧୯୮୩ ମସିହା ପର୍ଯ୍ୟନ୍ତ ସେ ତତ୍କାଳୀନ ଖୋର୍ଦ୍ଧା ବିଜ୍ଞାପିତ ଅଞ୍ଚଳ ପରିଷଦର ଉପନଗରପାଳ ଭାବେ ଦାୟିତ୍ୱ ତୁଲାଇଥିଲେ। ତାଙ୍କ କାର୍ଯ୍ୟକାଳରେ ଖୋର୍ଦ୍ଧା ସହରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସହରର ସାମଗ୍ରିକ ବିକାଶ ଓ ଜନସାଧାରଣଙ୍କ ସମସ୍ୟା ସମାଧାନ ଦିଗରେ ତାଙ୍କ ଅବଦାନ ଉଲ୍ଲେଖନୀୟ ଥିଲା।
ଧାର୍ମିକ କ୍ଷେତ୍ରରେ ମଧ୍ୟ ତାଙ୍କର ଅବଦାନ ରହିଥିଲା। ଖୋର୍ଦ୍ଧା ପୌର ପରିଷଦ ଅନ୍ତର୍ଗତ ଗୁରୁଜଙ୍ଗ ଗ୍ରାମସ୍ଥିତ ପ୍ରଭୁ ଶ୍ରୀ ଧବଳେଶ୍ୱର ଦେବଙ୍କ ମନ୍ଦିର ପରିଚାଳନା କମିଟିର ଟ୍ରଷ୍ଟି ଭାବେ ସେ ଦୀର୍ଘବର୍ଷ ଦାୟିତ୍ୱ ତୁଲାଇଥିଲେ। ସେହିପରି ରାଜ୍ୟର ପ୍ରମୁଖ ଐତିହାସିକ ଓ ଧାର୍ମିକ ପୀଠ ମା’ ବରୁଣେଇ ମନ୍ଦିର ପରିଚାଳନା କମିଟିର ଟ୍ରଷ୍ଟି ଭାବେ ମଧ୍ୟ ସେ ୧୯୮୦ରୁ ୧୯୮୬ ମସିହା ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରିଥିଲେ।ବ୍ୟବସାୟିକ କ୍ଷେତ୍ରରେ ମଧ୍ୟ ସ୍ୱର୍ଗତ ରାମ ଅବତାରଙ୍କର ଦୀର୍ଘ ଅବଦାନ ରହିଥିଲା। ୧୯୮୦ ମସିହାରୁ ୧୯୯୫ ମସିହା ପର୍ଯ୍ୟନ୍ତ ସେ ଚେମ୍ବର ଅଫ୍ କମର୍ସର ସଭାପତି ଭାବେ ଦାୟିତ୍ୱ ତୁଲାଇଥିଲେ। ପରବର୍ତ୍ତୀ ସମୟରେ ୧୯୯୫ରୁ ୨୦୧୨ ମସିହା ପର୍ଯ୍ୟନ୍ତ ଦୀର୍ଘ ସମୟ ଧରି ଖୋର୍ଦ୍ଧା ବ୍ୟବସାୟୀ ମହାସଂଘର ସଭାପତି ଭାବେ ରହି ବ୍ୟବସାୟୀମାନଙ୍କ ବିଭିନ୍ନ ସମସ୍ୟା ଓ ସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ୧୯୯୯ ମସିହାରେ ସେ ଜିଲ୍ଲା କଞ୍ଜ୍ୟୁମର ପ୍ରୋଟେକ୍ସନ କାଉନସିଲର ସଦସ୍ୟ ଭାବେ ମଧ୍ୟ ମନୋନୀତ ହୋଇଥିଲେ।
ତାଙ୍କ ମୃତ୍ୟୁ ସମ୍ବାଦ ପାଇ ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ବ୍ୟବସାୟୀ ମହାସଂଘର ପୂର୍ବତନ ସଭାପତି ଶାରଦା ଚରଣ ପଟ୍ଟନାୟକ, ଚେମ୍ବର ଅଫ୍ କମର୍ସର ସଭାପତି ମଦନ ମୋହନ ରାମ, ଜିତେନ୍ଦ୍ର କୁମାର ଭଞ୍ଜ, ଜ୍ୟୋତି ପ୍ରସାଦ ରାମ, ସୁଧାକର ତ୍ରିପାଠୀ, ଚନ୍ଦ୍ରଶେଖର ମହାରଣା, ମାନସ ରଞ୍ଜନ ପଟ୍ଟନାୟକ, ପି. ନନ୍ଦକିଶୋର ପାତ୍ରଙ୍କ ସମେତ ୧୩ ନମ୍ବର ୱାର୍ଡ ମେମ୍ବରଙ୍କ ପ୍ରତିନିଧି ରାଜେଶ ପ୍ରଧାନ ଓ ୧୮ ନମ୍ବର ୱାର୍ଡ ମେମ୍ବରଙ୍କ ପ୍ରତିନିଧି ବଦ୍ରିନାରାୟଣ ସାହୁ ପ୍ରମୁଖ ଖୋର୍ଦ୍ଧା ମେନ୍ରୋଡସ୍ଥିତ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ।
ଏହି ଅବସରରେ ସେମାନେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହିତ ସ୍ୱର୍ଗତ ରାମ ଅବତାରଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ। ତାଙ୍କ ବିୟୋଗରେ ଖୋର୍ଦ୍ଧା ସହର ଜଣେ ଅଭିଜ୍ଞ ସମାଜସେବୀ, ଜନସେବୀ ଓ ବ୍ୟବସାୟୀ ନେତାଙ୍କୁ ହରାଇଲା ବୋଲି ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।
