--:--:--
-- ---
Srishti News

ସାମ୍ବାଦିକ ଭବନ ପଛରେ ସରକାରୀ ଜମିରେ ରାତିଅଧିଆ ଖନନ ଅଭିଯୋଗ

Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାAugust 22, 202661 views
ସାମ୍ବାଦିକ ଭବନ ପଛରେ ସରକାରୀ ଜମିରେ ରାତିଅଧିଆ ଖନନ ଅଭିଯୋଗ
ଜେସିବି ଲଗାଇ ଗାତ ଖୋଳା, ଗଛ ନଷ୍ଟ ଓ ମାଙ୍କଡ଼ା ପଥର ଭଙ୍ଗାକୁ ନେଇ ସାମ୍ବାଦିକ ମହଲରେ କ୍ଷୋଭ; ନିରପେକ୍ଷ ତଦନ୍ତ ଦାବି ଖୋର୍ଦ୍ଧା, ୨୧/୮: ଖୋର୍ଦ୍ଧା ସାମ୍ବାଦିକ ଭବନ ପଛପଟେ ଥିବା କଥିତ ସରକାରୀ ଜମିରେ ରାତିଅଧିଆ ଜେସିବି ଲଗାଇ ଗାତ ଖୋଳିବା, ସେଠାରେ ଥିବା ବିଭିନ୍ନ ଗଛ କାଟିବା ବା କ୍ଷତିଗ୍ରସ୍ତ କରିବା ଏବଂ ବହୁ ପରିମାଣର ମାଙ୍କଡ଼ା ପଥର ଭାଙ୍ଗିବା ଅଭିଯୋଗକୁ ନେଇ ସାମ୍ବାଦିକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଘଟଣାସ୍ଥଳର ମାପଚୁପ କରି ଜମିର ପ୍ରକୃତ ସ୍ଥିତି ନିର୍ଦ୍ଧାରଣ ସହ ଖନନ ପାଇଁ ଅନୁମତି ଥିଲା କି ନାହିଁ, ତାହାର ନିରପେକ୍ଷ ତଦନ୍ତ କରିବାକୁ ସାମ୍ବାଦିକମାନେ ଜିଲ୍ଲା ପ୍ରଶାସନ ନିକଟରେ ଦାବି ଜଣାଇଛନ୍ତି। ସୂଚନାନୁଯାୟୀ, ଖୋର୍ଦ୍ଧାରେ ଏକ ସାମ୍ବାଦିକ ଭବନ ପ୍ରତିଷ୍ଠା କରିବା ନେଇ ସାମ୍ବାଦିକମାନେ ଦୀର୍ଘଦିନ ଧରି ଦାବି କରିଆସୁଥିଲେ। ଏହି ଦାବି ପରିପ୍ରେକ୍ଷୀରେ ତତ୍କାଳୀନ ଭୁବନେଶ୍ୱର ଲୋକସଭା ସାଂସଦ ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ, ତତ୍କାଳୀନ ଓଡ଼ିଶା ସରକାରଙ୍କ କୃଷି, ମତ୍ସ୍ୟ ଓ ପଶୁସମ୍ପଦ ତଥା ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର କୁମାର ସାହୁ, ଜଟଣୀ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ, ପୌରାଧ୍ୟକ୍ଷା ସଂଯୁକ୍ତା ସାହୁ ଏବଂ ୧୦ ନମ୍ବର ୱାର୍ଡର କାଉନସିଲର ମଧୁସ୍ମିତା ପରିଡ଼ାଙ୍କ ଉପସ୍ଥିତିରେ ୨୦୧୩ ମସିହା ଅଗଷ୍ଟ ୭ ତାରିଖରେ ସାମ୍ବାଦିକ ଭବନର ଔପଚାରିକ ଉଦ୍‌ଘାଟନ ହୋଇଥିଲା। ସାମ୍ବାଦିକ ଭବନ ପ୍ରତିଷ୍ଠା ପରଠାରୁ ଏହା କେବଳ ସାମ୍ବାଦିକମାନଙ୍କ ବୈଠକସ୍ଥଳ ହୋଇ ରହିନାହିଁ। ବିଭିନ୍ନ ସାମାଜିକ, ଜନକଲ୍ୟାଣମୂଳକ ଓ ସଚେତନତା କାର୍ଯ୍ୟକ୍ରମର ମଧ୍ୟ ଏହା ଏକ ପ୍ରମୁଖ କେନ୍ଦ୍ର ଭାବେ ପରିଚିତ ହୋଇଛି। ପ୍ରତି ତିନି ମାସରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର, ବୃକ୍ଷରୋପଣ, ଜଳଛତ୍ର, ସଡ଼କ ସୁରକ୍ଷା ସଚେତନତା ସପ୍ତାହ ସମେତ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ ଏଠାରେ ଆୟୋଜିତ ହୋଇଆସୁଛି। ଫଳରେ ସାମ୍ବାଦିକ ଭବନ କେବଳ ସାମ୍ବାଦିକମାନଙ୍କ ନୁହେଁ, ଜିଲ୍ଲାବାସୀ ଓ ପ୍ରଶାସନର ମଧ୍ୟ ଏକ ଆସ୍ଥାର କେନ୍ଦ୍ର ପାଲଟିଛି।ତେବେ ଏହି ଭବନର ପଛପଟେ ଥିବା ଜମିକୁ ନେଇ ଏବେ ନୂଆ ବିବାଦ ଦେଖାଦେଇଛି। ସାମ୍ବାଦିକମାନଙ୍କ କହିବାନୁଯାୟୀ, ଉକ୍ତ ଅଞ୍ଚଳରେ ଆଗାମୀ ଦିନରେ ବ୍ୟାପକ ବୃକ୍ଷରୋପଣ କରାଯାଇ ଏହାକୁ ଏକ ସବୁଜ ପରିବେଶରେ ପରିଣତ କରିବାର ଯୋଜନା ରହିଥିଲା। ମାତ୍ର ଦୁଇ ଦିନ ତଳେ ରାତି ସମୟରେ ଏକ ଜେସିବି ମେସିନ୍‌ ଲଗାଇ ଉକ୍ତ ସ୍ଥାନରେ ଗାତ ଖୋଳାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଖୋର୍ଦ୍ଧା ପେନସନର୍ସ ଆସୋସିଏସନ୍‌ ପକ୍ଷରୁ ଏହି ଖନନ କାର୍ଯ୍ୟ କରାଯାଇଥିବା କୁହାଯାଉଛି। ତେବେ ଏହି ଅଭିଯୋଗର ସତ୍ୟତା ଏବଂ ଖନନ ପାଇଁ କୌଣସି ସରକାରୀ ଅନୁମତି ନିଆଯାଇଥିଲା କି ନାହିଁ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଖନନ ସମୟରେ ସ୍ଥାନରେ ଥିବା ତାଳ, ଖଜୁରୀ, ଶାଗୁଆନ, ଶିଶୁ ଆଦି ବିଭିନ୍ନ ଗଛ କ୍ଷତିଗ୍ରସ୍ତ କିମ୍ବା ନଷ୍ଟ ହୋଇଥିବା ସାମ୍ବାଦିକମାନେ ଅଭିଯୋଗ କରିଛନ୍ତି। ଏଥିସହ ପ୍ରାୟ ୨୦୦ରୁ ଅଧିକ ମାଙ୍କଡ଼ା ପଥର ଭାଙ୍ଗି ଦିଆଯାଇଥିବା ମଧ୍ୟ ଅଭିଯୋଗ ହୋଇଛି।ସରକାରୀ ଜମିରେ ଥିବା ଗଛଗୁଡ଼ିକ କେଉଁ ଅନୁମତି ବଳରେ କ୍ଷତିଗ୍ରସ୍ତ ହେଲା ଏବଂ ଜମିର ସ୍ୱରୂପ ପରିବର୍ତ୍ତନ ପାଇଁ କାହାର ଅନୁମୋଦନ ଥିଲା, ଏହାକୁ ନେଇ ଏବେ ପ୍ରଶ୍ନ ଉଠିଛି। ବିଶେଷକରି ରାଜ୍ୟରେ ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା ଉପରେ ସରକାର ଗୁରୁତ୍ୱ ଦେଉଥିବାବେଳେ ସରକାରୀ ଜମିରେ ଥିବା ପୁରୁଣା ଗଛ ନଷ୍ଟ ହେବା ଘଟଣାର ତଦନ୍ତ ଆବଶ୍ୟକ ବୋଲି ସାମ୍ବାଦିକମାନେ କହିଛନ୍ତି। ଏହି ଘଟଣା ପରେ ସାମ୍ବାଦିକ ମହଲରେ ତୀବ୍ର କ୍ଷୋଭ ପ୍ରକାଶ ପାଇଛି। ସରକାରୀ ଜମିରେ ଖନନ, ନିର୍ମାଣ କିମ୍ବା ଜମିର ସ୍ୱରୂପରେ ପରିବର୍ତ୍ତନ ଭଳି କାର୍ଯ୍ୟ ପୂର୍ବରୁ ସମ୍ପୃକ୍ତ ବିଭାଗର ଅନୁମତି ନିଆଯାଇଥିଲା କି ନାହିଁ, ତାହା ଯାଞ୍ଚ କରାଯିବାକୁ ଦାବି ହୋଇଛି। ଯଦି ବିନା ଅନୁମତିରେ ଏଭଳି କାର୍ଯ୍ୟ ହୋଇଥାଏ, ତେବେ ଦାୟୀ ବ୍ୟକ୍ତି, ସଂସ୍ଥା କିମ୍ବା ସମ୍ପୃକ୍ତ ପକ୍ଷ ବିରୋଧରେ ଆଇନ ଅନୁଯାୟୀ ଉଚିତ ପଦକ୍ଷେପ ନିଆଯିବା ଆବଶ୍ୟକ ବୋଲି ସାମ୍ବାଦିକମାନେ ଦାବି କରିଛନ୍ତି। ସାମ୍ବାଦିକମାନଙ୍କ ପକ୍ଷରୁ ଆହୁରି ଅଭିଯୋଗ କରାଯାଇଛି ଯେ, ଖୋର୍ଦ୍ଧା ସହରରେ ଅତୀତରେ ବିଭିନ୍ନ ସଂଗଠନ ନାମରେ ସରକାରୀ ଜମିରେ ସାଂସଦ ଓ ବିଧାୟକଙ୍କ ଅନୁଦାନରେ କେତେକ ଗୃହ ନିର୍ମାଣ ହୋଇଥିବା ନଜିର ରହିଛି। ପରବର୍ତ୍ତୀ ସମୟରେ ସେଗୁଡ଼ିକ ମଧ୍ୟରୁ କେତେକ ବ୍ୟକ୍ତିଗତ ଦଖଲରେ ରହିଥିବା ନେଇ ଅଭିଯୋଗ ହୋଇଆସୁଛି। କେତେକ ଗୃହ ବର୍ତ୍ତମାନ ବ୍ୟବହାର ନହୋଇ ତାଲା ପଡ଼ିଥିବା ମଧ୍ୟ ଅଭିଯୋଗ ରହିଛି। ତେଣୁ ସରକାରୀ ଜମିର ବ୍ୟବହାର, ଦଖଲ ଓ ନିର୍ମାଣକୁ ନେଇ ଖୋର୍ଦ୍ଧା ସହରରେ ବ୍ୟାପକ ଯାଞ୍ଚ କରାଯିବା ଆବଶ୍ୟକ ବୋଲି ସେମାନେ ମତ ଦେଇଛନ୍ତି।ସାମ୍ବାଦିକ ଭବନ ପଛପଟ ଜମିକୁ ନେଇ ଉଠିଥିବା ଅଭିଯୋଗର ନିରାକରଣ ପାଇଁ ଘଟଣାସ୍ଥଳର ତୁରନ୍ତ ସରକାରୀ ମାପଚୁପ କରାଯାଇ ଜମିର ଖାତା, ପ୍ଲଟ୍‌ ଓ କିସମ ସମ୍ପର୍କରେ ସ୍ପଷ୍ଟ ତଥ୍ୟ ସାର୍ବଜନୀନ କରିବାକୁ ଦାବି ହୋଇଛି। ଏଥିସହ ଜେସିବି ଦ୍ୱାରା ଖନନ ପାଇଁ ଅନୁମତି ଥିଲା କି ନାହିଁ, ନଷ୍ଟ କିମ୍ବା କ୍ଷତିଗ୍ରସ୍ତ ହୋଇଥିବା ଗଛର ସଂଖ୍ୟା, ଭଙ୍ଗାଯାଇଥିବା ମାଙ୍କଡ଼ା ପଥରର ପରିମାଣ ଏବଂ ଘଟଣାରେ କାହାର ଭୂମିକା ରହିଛି, ତାହା ତଦନ୍ତ କରିବାକୁ ମଧ୍ୟ ଦାବି ହୋଇଛି।ସରକାରୀ ସମ୍ପତ୍ତିର ସୁରକ୍ଷା ଓ ସରକାରୀ ଜମିରେ ଅନଧିକୃତ ଦଖଲ, ଖନନ କିମ୍ବା ନିର୍ମାଣକୁ ରୋକିବା ପ୍ରଶାସନର ଦାୟିତ୍ୱ। ତେଣୁ ଜିଲ୍ଲା ପ୍ରଶାସନ ଏହି ଘଟଣାରେ ତୁରନ୍ତ ହସ୍ତକ୍ଷେପ କରି ଘଟଣାସ୍ଥଳ ପରିଦର୍ଶନ, ମାପଚୁପ ଓ ଆବଶ୍ୟକ ଦସ୍ତାବିଜ ଯାଞ୍ଚ କରୁ ବୋଲି ସାମ୍ବାଦିକ ମହଲରୁ ଦାବି ହୋଇଛି। ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ଜମିରେ ଆଉ କୌଣସି ଖନନ କିମ୍ବା ନିର୍ମାଣ କାର୍ଯ୍ୟ ନକରିବା ସହ ସରକାରୀ ଜମି ଓ ସେଠାରେ ଥିବା ବୃକ୍ଷର ସୁରକ୍ଷା ସୁନିଶ୍ଚିତ କରିବାକୁ ମଧ୍ୟ ଦାବି ହୋଇଛି।