--:--:--
-- ---
Srishti News

ବନ୍ୟା ଦୁର୍ଗତଙ୍କ ପାଖରେ କଂଗ୍ରେସ ଓ ଶ୍ରମିକ ସଂଘ: ଦଶରଥପୁରର ବିଭିନ୍ନ ବନ୍ୟାଞ୍ଚଳରେ ଶୁଖିଲା ଖାଦ୍ୟ ବଣ୍ଟନ; ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି

Jajpur (ଯାଜପୁର)ଅନିଲ କୁମାର ଜେନାAugust 22, 202613 views
ବନ୍ୟା ଦୁର୍ଗତଙ୍କ ପାଖରେ କଂଗ୍ରେସ ଓ ଶ୍ରମିକ ସଂଘ: ଦଶରଥପୁରର ବିଭିନ୍ନ ବନ୍ୟାଞ୍ଚଳରେ ଶୁଖିଲା ଖାଦ୍ୟ ବଣ୍ଟନ; ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି
ଯାଜପୁର, ୨୨/୦୮: ବୈତରଣୀ ଓ କାଣୀ ନଦୀର ପ୍ରଳୟଙ୍କରୀ ବନ୍ୟାରେ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ବନ୍ୟା ଦୁର୍ଗତଙ୍କ ପାଖରେ ପହଞ୍ଚିଛି କଂଗ୍ରେସ ଓ ରାଜ୍ୟ କୃଷି ଓ ଗ୍ରାମ୍ୟ କୋଠାବାଡ଼ି ଶ୍ରମିକ ସଂଘ। INTUC ରାଜ୍ୟ ଶାଖା ସଭାପତି ଡ. ରାମଚନ୍ଦ୍ର ଖୁଣ୍ଟିଆ ଓ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ୱାନକ୍ରମେ ମିଳିତ ଭାବେ ବନ୍ୟାପ୍ରଭାବିତ ଅଞ୍ଚଳରେ ରିଲିଫ ବଣ୍ଟନ ସହ ଦୁର୍ଗତଙ୍କ ସମସ୍ୟା ନେଇ ଆଲୋଚନା କରାଯାଇଛି। ଦଶରଥପୁର ବ୍ଲକର ଯାଇନ୍ତିରା, ଧୋବାବିଲ, ତରପଦା, ଗଣ୍ଡକୁଳ, ଛାଞ୍ଚିଣା, ମାଲିକାପୁର, ଦୁଦୁରାଅଣ୍ଟା, ମଙ୍ଗଳପୁର ଓ ଶୁଶୁଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ ପ୍ରତିନିଧି ଦଳ ପହଞ୍ଚି ବନ୍ୟା ଦୁର୍ଗତଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯିବା ସହ ବନ୍ୟା ପରବର୍ତ୍ତୀ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ପରେ ପ୍ରତିନିଧି ଦଳ ଦଶରଥପୁର ବିଡିଓଙ୍କୁ ଭେଟି ବନ୍ୟାଞ୍ଚଳର ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ। ବନ୍ୟା ପ୍ରଭାବିତଙ୍କ ପାଇଁ ଚାଲୁଥିବା ଫ୍ରି କିଚେନ୍‌ର ଅବଧି ଆଉ ୭ ଦିନ ବୃଦ୍ଧି, କାଣୀ ନଦୀର ପାଟଣା ନିକଟରେ ସୃଷ୍ଟି ହୋଇଥିବା ଘାଇକୁ ତୁରନ୍ତ ବନ୍ଧ କରିବା ଏବଂ ଘରଭଙ୍ଗା ଓ କୃଷି କ୍ଷୟକ୍ଷତିର ନିରପେକ୍ଷ ତଦନ୍ତ ପାଇଁ ଦାବି କରାଯାଇଥିଲା। ଏଥିସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଆର୍ଥିକ ସହାୟତା, ଭାଙ୍ଗିଯାଇଥିବା ଘର ପାଇଁ ଗୃହ ସହାୟତା, ପର୍ଯ୍ୟାପ୍ତ ଗୋଖାଦ୍ୟ ଯୋଗାଣ, କୃଷି ଓ କୋଠାବାଡ଼ି ଶ୍ରମିକଙ୍କ ପାଇଁ କାମ ସୃଷ୍ଟି ଏବଂ ବନ୍ୟା ପରେ ସମ୍ଭାବ୍ୟ ଥଣ୍ଡା, କାଶ ଓ ଚର୍ମରୋଗ ପ୍ରତିରୋଧ ପାଇଁ ଆବଶ୍ୟକ ସ୍ୱାସ୍ଥ୍ୟ ବ୍ୟବସ୍ଥା କରିବାକୁ ଦାବି ହୋଇଥିଲା। ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତା ସନ୍ତୋଷ କୁମାର ନନ୍ଦ, ରାଜ୍ୟ ଆବାହକ ହରଣ ମଣ୍ଡଳ, ଜିଲ୍ଲା କଂଗ୍ରେସ ପ୍ରବକ୍ତା ସାଗର ପରିଡ଼ା, ରାଜ୍ୟ ଉପସଭାପତି ନୀଳମାଧବ ପାତ୍ର, ସାଧାରଣ ସମ୍ପାଦକ କୁମାର ଜାଲିଆ, ସ୍ଥାନୀୟ ନେତା ଦେବାନନ୍ଦ ପତି ଓ ଅନୁପମ ମଲିକ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଯାଜପୁର ବ୍ଲକର ଘାଇ ପ୍ରଭାବିତ ଏରବାଙ୍କ ପଞ୍ଚାୟତରେ ମଧ୍ୟ ବନ୍ୟା ଦୁର୍ଗତଙ୍କୁ ରିଲିଫ ବଣ୍ଟନ କରାଯାଇଥିଲା। ଜିଲ୍ଲା କଂଗ୍ରେସ ଉପସଭାପତି ବିଭୁତି ଭୂଷଣ ମହାପାତ୍ରଙ୍କ ନେତୃତ୍ୱରେ ଏହି ସହାୟତା ପହଞ୍ଚାଇ ଦିଆଯାଇଥିଲା। ରାଧାଶ୍ୟାମ ପତି, ବାବୁଲି ପରିଡ଼ା, ରମାକାନ୍ତ ଦାସ, ଚଗୁଲୁ ଜେନା, ଶେଖର ସମ୍ବିତ ଧଳ, ନନ୍ଦ କିଶୋର ଦାସ ଓ ଅକ୍ଷୟ ସାହୁଙ୍କ ସମେତ ରାଜ୍ୟ କୃଷି ଓ ଗ୍ରାମ୍ୟ କୋଠାବାଡ଼ି ଶ୍ରମିକ ସଂଘର ପ୍ରସଂଜିତ ସମଦାର, ମୁକେଶ ମଣ୍ଡଳ, ବିଶ୍ୱଜିତ ହଳଦାର ଓ ସିବେନ୍ଦ୍ର ମଜୁମଦାର ପ୍ରମୁଖ ସହଯୋଗ କରିଥିଲେ। ମାଲକାନଗିରିରୁ ଆସି ବନ୍ୟାପ୍ରଭାବିତ ଯାଜପୁର ଓ ଦଶରଥପୁର ଅଞ୍ଚଳରେ ସେବା ଯୋଗାଇଥିବା ସମସ୍ତ ସହଯୋଗୀଙ୍କୁ କଂଗ୍ରେସ ନେତା ସନ୍ତୋଷ ନନ୍ଦ କୃତଜ୍ଞତା ଜଣାଇଥିଲେ। ଏଥିସହ ଦୁର୍ଗତଙ୍କ ପାଇଁ ନିରନ୍ତର ସହାୟତା ଓ ପ୍ରଶାସନିକ ପଦକ୍ଷେପ ଜାରି ରଖିବାକୁ ସେ ଦାବି କରିଥିଲେ।