ସଡ଼କ ସୁରକ୍ଷା ନେଇ କଡ଼ା ନିଷ୍ପତ୍ତି: ସହରରେ ନିର୍ଦ୍ଧାରିତ ସମୟରେ ଭାରୀଯାନ ପ୍ରବେଶ ବନ୍ଦ
Nuapada (ନୂଆପଡ଼ା)ରିପୋର୍ଟ : ବିଜୟ ବରିହାAugust 20, 202623 views

ନୂଆପଡ଼ା, ୨୦/୦୮: ସଡ଼କ ଦୁର୍ଘଟଣା ହ୍ରାସ, ଟ୍ରାଫିକ୍ ଶୃଙ୍ଖଳା ଓ ଯାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ନୂଆପଡ଼ା ଜିଲ୍ଲା ସଡ଼କ ସୁରକ୍ଷା କମିଟି (ଡିଆର୍ଏସ୍ସି)ର ଗୁରୁତ୍ୱପୂର୍ଣ୍ଣ ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ବୈଠକରେ ଅବୈଧ ପାର୍କିଂ, ଭାରୀଯାନ ଚଳାଚଳ, ହେଲମେଟ୍ ବ୍ୟବହାର ଓ ବିପଜ୍ଜନକ ସଡ଼କ ସ୍ଥାନର ସୁରକ୍ଷା ନେଇ କଡ଼ା ପଦକ୍ଷେପ ଉପରେ ଆଲୋଚନା ହୋଇଛି।
ସହରାଞ୍ଚଳରେ ଟ୍ରାଫିକ୍ ଭିଡ଼ ଓ ଦୁର୍ଘଟଣା ଆଶଙ୍କା କମାଇବା ପାଇଁ ନୂଆପଡ଼ା, ଖରିଆର ରୋଡ୍ ଓ ଖରିଆର ଏନ୍ଏସି ଅଞ୍ଚଳରେ ସକାଳ ୭ଟାରୁ ୧୧ଟା ଏବଂ ଅପରାହ୍ନ ୩ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଭାରୀଯାନ ପ୍ରବେଶ ନିଷେଧ କରିବାକୁ ନିଷ୍ପତ୍ତି ହୋଇଛି। ଏହାଦ୍ୱାରା ବ୍ୟସ୍ତ ସମୟରେ ଟ୍ରାଫିକ୍ ଚାପ ହ୍ରାସ ସହ ସଡ଼କ ସୁରକ୍ଷା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।
ରାସ୍ତା ପାର୍ଶ୍ୱରେ ବେଆଇନ ପାର୍କିଂ ଉପରେ ମଧ୍ୟ କଡ଼ା ନଜର ରଖାଯିବ। ରାସ୍ତା ଅବରୋଧ କରି ପାର୍କିଂ ହୋଇଥିବା ଯାନଗୁଡ଼ିକୁ ତୁରନ୍ତ ହଟାଇବା ପାଇଁ ନୂଆପଡ଼ା, ଖରିଆର ରୋଡ୍ ଓ ଖରିଆର ଏନ୍ଏସି ପକ୍ଷରୁ କ୍ରେନ୍ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେପ୍ଟେମ୍ବର ୧୫ ସୁଦ୍ଧା କ୍ରେନ୍ କ୍ରୟ ପ୍ରକ୍ରିୟା ସାରିବାକୁ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ କୁହାଯାଇଛି।
ବିଜୁ ଏକ୍ସପ୍ରେସ୍ୱେର ବିଭିନ୍ନ ଡାଇଭର୍ସନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ମଜବୁତ କରିବା ସହ ମରାମତି କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ। ଦୁର୍ଘଟଣାପ୍ରବଣ ସ୍ଥାନଗୁଡ଼ିକରେ ଆବଶ୍ୟକ ସତର୍କତାମୂଳକ ବ୍ୟବସ୍ଥା ଓ ସଙ୍କେତ ଲଗାଇବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।
ବୈଠକରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ୨୦୨୬ ଜାନୁଆରୀରୁ ଅଗଷ୍ଟ ୨୦ ପର୍ଯ୍ୟନ୍ତ ହେଲମେଟ୍ ବିନା ଗାଡ଼ି ଚଳାଇବା ଅଭିଯୋଗରେ ମୋଟ ୩,୮୧୨ଟି ଚାଲାଣ ଜାରି ହୋଇଛି। ସେହିପରି ମଦ୍ୟପାନ କରି ଗାଡ଼ି ଚଳାଇବା ମାମଲାରେ ଏହି ସମୟ ମଧ୍ୟରେ ୧୭୦ଟି ଚାଲାଣ କରାଯାଇଛି। ଜୁନ୍ ମାସରେ ବିଭିନ୍ନ ଟ୍ରାଫିକ୍ ନିୟମ ଉଲ୍ଲଂଘନ ନେଇ ୪୬୪ଟି ଇ-ଚାଲାଣ ଜାରି ହୋଇଥିବା ବେଳେ ୪୦୧ଟି ମାମଲାରୁ ୧୫ ଲକ୍ଷ ୫୧ ହଜାର ୫୬୫ ଟଙ୍କା ଜରିମାନା ଆଦାୟ ହୋଇଥିବା ଜଣାପଡ଼ିଛି।
ହେଲମେଟ୍ ହବ୍ଗୁଡ଼ିକର ସ୍ଥିତି ମଧ୍ୟ ସମୀକ୍ଷା କରାଯାଇଥିଲା। ନିୟମିତ ଯାଞ୍ଚ, ପ୍ରାଥମିକ ଚିକିତ୍ସା ବକ୍ସ, ପେଭର ବ୍ଲକ୍ରେ ସମତଳୀକରଣ ଏବଂ ପାନିଗ୍ରାହୀ ପେଟ୍ରୋଲ ପମ୍ପ ନିକଟସ୍ଥ ହେଲମେଟ୍ ହବ୍ରେ ସ୍ଥାୟୀ ଛାତ ନିର୍ମାଣ ନେଇ ଅଗ୍ରଗତି ସମୀକ୍ଷା ହୋଇଥିଲା।
ଏଥିସହ ‘ନୋ ହେଲମେଟ୍–ନୋ ପେଟ୍ରୋଲ’ ବ୍ୟବସ୍ଥାର କଡ଼ା ଅନୁପାଳନ ପାଇଁ ପେଟ୍ରୋଲ ପମ୍ପଗୁଡ଼ିକରେ ଆର୍ଟିଓ ଏନ୍ଫୋର୍ସମେଣ୍ଟ ଟିମ୍ର ନିୟମିତ ଯାଞ୍ଚ ଉପରେ ଗୁରୁତ୍ୱ ଦିଆଯାଇଥିଲା।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁବାଶ ଚନ୍ଦ୍ର ରଇତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୂର୍ମୀ ସୋରେନ, ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡା. ଉମାକାନ୍ତ ମେହେର, ଅବକାରୀ ଅଧୀକ୍ଷକ ସଂଘମିତ୍ରା ପ୍ରଧାନ, ଆର୍ଆଣ୍ଡବି ଏସ୍ଡିଓ ସୁକାନ୍ତ ଗରଡ଼ିଆ, ଏମ୍ଭିଆଇ ଉପେନ୍ଦ୍ର ପୁଷିକାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ନୂଆପଡ଼ା, ଖରିଆର ଓ ଖରିଆର ରୋଡ୍ ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଉପସ୍ଥିତ ଥିଲେ।
