ବନ୍ୟାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା: ଭାରରେ ବୁହା ହେଲେ ଗୁରୁତର ରୋଗୀ: ଆମ୍ବୁଲାନ୍ସ ପହଞ୍ଚି ନପାରିବାରୁ ୨.୫ କିମି କାନ୍ଧରେ ବୋହି ମୁଖ୍ୟ ରାସ୍ତାକୁ ଆଣିଲେ ପରିବାର ଲୋକ
Jajpur (ଯାଜପୁର)ବରୀରୁ ସୁଧାଂଶୁ ଶେଖର ଓଝାଙ୍କ ରିପୋର୍ଟAugust 19, 202626 views

ଯାଜପୁର/ବରୀ,
ବନ୍ୟା ଆସିଲେ ବିପନ୍ନ ହୋଇପଡ଼େ ଜନଜୀବନ। ତେବେ ବର୍ତ୍ତମାନ ବରୀ ଅଞ୍ଚଳରେ ବନ୍ୟା ପରିସ୍ଥିତି ମଧ୍ୟରେ ସ୍ୱାସ୍ଥ୍ୟସେବାର ଦୁର୍ଦ୍ଦଶାର ଏକ ଚିତ୍ର ସାମ୍ନାକୁ ଆସିଛି। ଗୁରୁତର ରୋଗୀଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲ ନେବା ବଦଳରେ ଭାରରେ କାନ୍ଧେଇ ପ୍ରାୟ ଅଢ଼େଇ କିଲୋମିଟର ଦୂର ମୁଖ୍ୟ ରାସ୍ତାକୁ ଆଣିବାକୁ ପଡ଼ିଛି।
ଘଟଣାଟି ବରୀ ବ୍ଲକ ବାଲିବିଲି ପଞ୍ଚାୟତ ଅନ୍ତର୍ଗତ ଡିହସାହି ଗ୍ରାମର। ରାସ୍ତାରେ ବନ୍ୟାଜଳର ପ୍ରଖର ସ୍ରୋତ ଯୋଗୁଁ ଆମ୍ବୁଲାନ୍ସ ଗ୍ରାମ ଭିତରକୁ ପହଞ୍ଚି ପାରିନଥିଲା। ଫଳରେ ଗୁରୁତର ଅସୁସ୍ଥ ରୋଗୀଙ୍କୁ ପରିବାର ଲୋକେ ଭାରରେ କାନ୍ଧେଇ ପ୍ରାୟ ୨.୫ କିଲୋମିଟର ଦୂର ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ନେଇଥିଲେ। ସେଠାରୁ ରୋଗୀଙ୍କୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସାଳୟକୁ ନିଆଯାଇଥିବା ଜଣାପଡ଼ିଛି।
ବନ୍ୟା ପରିସ୍ଥିତି ଯୋଗୁଁ ବରୀର ବିଭିନ୍ନ ଅଞ୍ଚଳରେ ଯାତାୟାତ ବ୍ୟବସ୍ଥା ପ୍ରଭାବିତ ହୋଇଥିବାବେଳେ ଏହାର ସିଧାସଳଖ ପ୍ରଭାବ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଉପରେ ପଡ଼ିଛି। ବିଶେଷକରି ଗୁରୁତର ରୋଗୀଙ୍କୁ ସମୟ ମଧ୍ୟରେ ଚିକିତ୍ସାଳୟରେ ପହଞ୍ଚାଇବା ଅତ୍ୟନ୍ତ ଜରୁରୀ ହୋଇଥିବାବେଳେ ଏଭଳି ପରିସ୍ଥିତି ରୋଗୀ ଓ ପରିବାର ପାଇଁ ଚିନ୍ତା ବଢ଼ାଇଛି।
ଏହି ଘଟଣା ବନ୍ୟା ସମୟରେ ଦୁର୍ଗମ ଓ ଜଳବନ୍ଦୀ ଅଞ୍ଚଳକୁ ଜରୁରୀକାଳୀନ ଚିକିତ୍ସାସେବା ପହଞ୍ଚାଇବା ପାଇଁ ବିକଳ୍ପ ଯାତାୟାତ ବ୍ୟବସ୍ଥାର ଆବଶ୍ୟକତାକୁ ପୁଣିଥରେ ସ୍ପଷ୍ଟ କରିଛି। ତେଣୁ ପ୍ରଶାସନ ପକ୍ଷରୁ ବନ୍ୟାପ୍ରଭାବିତ ଅଞ୍ଚଳରେ ରୋଗୀ ପରିବହନ ପାଇଁ ଆବଶ୍ୟକ ଜରୁରୀ ବ୍ୟବସ୍ଥା କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
