--:--:--
-- ---
Srishti News

କେରାଣ୍ଡି ଟାଙ୍ଗୀ ପଞ୍ଚାୟତରେ ରାଜନୈତିକ ଉଷ୍ମତା: ସରପଞ୍ଚଙ୍କ ପ୍ରେସମିଟରେ ଗୁରୁତର ଅଭିଯୋଗ

Khordha (ଖୋର୍ଦ୍ଧା)ରିପୋର୍ଟ: ଯଦୁମଣି ବେହେରା | ଟାଙ୍ଗୀ, ଖୋର୍ଦ୍ଧାAugust 19, 202619 views
କେରାଣ୍ଡି ଟାଙ୍ଗୀ ପଞ୍ଚାୟତରେ ରାଜନୈତିକ ଉଷ୍ମତା: ସରପଞ୍ଚଙ୍କ ପ୍ରେସମିଟରେ ଗୁରୁତର ଅଭିଯୋଗ
ଟାଙ୍ଗୀ: ପଞ୍ଚାୟତ ନିର୍ବାଚନକୁ ଆହୁରି ଛଅ ମାସରୁ ଅଧିକ ସମୟ ବାକି ଥିବାବେଳେ ଖୋର୍ଦ୍ଧା ଜିଲ୍ଲାର ରଣପୁର ବ୍ଲକ ଅଧୀନ କେରାଣ୍ଡି ଟାଙ୍ଗୀ ଗ୍ରାମ ପଞ୍ଚାୟତରେ ରାଜନୈତିକ ପରିବେଶ ଉଷ୍ଣ ହେବାରେ ଲାଗିଛି। ସମ୍ପ୍ରତି ଘଟିଥିବା ଏକ ମାଡ଼ପିଟ ଘଟଣାକୁ କେନ୍ଦ୍ର କରି ପଞ୍ଚାୟତରେ ରାଜନୈତିକ ତର୍ଜମା ଜୋର ଧରିଥିବାବେଳେ, ସୋମବାର ସରପଞ୍ଚ ପ୍ରଗତି ମହାପାତ୍ରଙ୍କ ପକ୍ଷରୁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ସରପଞ୍ଚଙ୍କ କହିବା ଅନୁଯାୟୀ, ସମ୍ପ୍ରତି ଘଟିଥିବା ମାଡ଼ପିଟ ଘଟଣାରେ ତାଙ୍କ ସମର୍ଥକ କିମ୍ବା ଦଳର କୌଣସି ବ୍ୟକ୍ତି ସମ୍ପୃକ୍ତ ନାହାନ୍ତି। ବରଂ ତାଙ୍କ ସ୍ୱାମୀଙ୍କୁ ବିନା କାରଣରେ ଗାଳିଗୁଲଜ କରାଯିବା ସହ ଆକ୍ରମଣ କରାଯାଇଥିବା ନେଇ ସେ ଅଭିଯୋଗ କରିଥିଲେ। ସେହି ଘଟଣାକୁ ନେଇ ଚାନ୍ଦପୁର ଥାନାରେ ଦୁଇଟି ଅଭିଯୋଗ ରୁଜୁ ହୋଇଥିବା ସୂଚନା ମଧ୍ୟ ଦିଆଯାଇଛି। ପ୍ରେସମିଟରେ ସରପଞ୍ଚ ପ୍ରଗତି ମହାପାତ୍ର ଅଭିଯୋଗ କରି କହିଥିଲେ ଯେ, ସେ ଜଣେ ମହିଳା ସରପଞ୍ଚ ହୋଇଥିବାରୁ ପଞ୍ଚାୟତର କିଛି ବିରୋଧୀ ଗୋଷ୍ଠୀ ଉନ୍ନୟନମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି। ଏହାର ପ୍ରଭାବରେ ପଞ୍ଚାୟତର ଏକ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଉନ୍ନୟନ କାର୍ଯ୍ୟ ଅଟକି ରହିଥିବା ସେ ଦାବି କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁବର୍ଣ୍ଣ କୁମାର ସିଂହ, ଜିଲ୍ଲା ଉପସଭାପତି ନିର୍ମଳ କୁମାର ମତଗଜ ସିଂହ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ବେଣୁଧର ରଣା, ମଣ୍ଡଳ ସଭାପତି ଅକ୍ଷୟ ସାହୁ ଏବଂ ଯୁବ ନେତା ଅଭିଜିତ ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରେସମିଟରେ ଉପସ୍ଥିତ ବିଜେପି ନେତାମାନେ ପଞ୍ଚାୟତରେ ଚାଲିଥିବା ବିବାଦର ନିରପେକ୍ଷ ତଦନ୍ତ କରିବା ସହ ପ୍ରଶାସନ ତ୍ୱରିତ ପଦକ୍ଷେପ ନେବାକୁ ଦାବି କରିଥିଲେ। ଉଲ୍ଲେଖଯୋଗ୍ୟ, ମାଡ଼ପିଟ ଘଟଣା ସମ୍ପର୍କରେ ସରପଞ୍ଚ ଏବଂ ତାଙ୍କ ସମର୍ଥକଙ୍କ ପକ୍ଷରୁ ଏହି ଅଭିଯୋଗ କରାଯାଇଥିବାବେଳେ, ସମିତି ସଭ୍ୟ କିମ୍ବା ତାଙ୍କ ପକ୍ଷର ପ୍ରତିକ୍ରିୟା ମିଳିପାରିନାହିଁ। ମାମଲାର ତଦନ୍ତ ଚାଲିଥିବାରୁ ଘଟଣାର ପ୍ରକୃତ ସତ୍ୟତା ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ।