ଏକତରଫା ପ୍ରେମର କରୁଣ ପରିଣତି: ଘରେ ପଶି ପରିବାରକୁ ଭୁଜାଲିରେ ଆକ୍ରମଣ, ଯୁବକ ଅଟକ
Balasore (ବାଲେଶ୍ୱର)ରିପୋର୍ଟ୍: ପ୍ରଭାତ କୁମାର ବାରିକ, ବାଲେଶ୍ଵରAugust 19, 202617 views

ଔପଦା ଥାନା ଅନ୍ତର୍ଗତ ତଳକିଆ ଗ୍ରାମ ପଞ୍ଚାୟତର ପାଟପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଏକତରଫା ପ୍ରେମକୁ କେନ୍ଦ୍ର କରି ଜଣେ ଯୁବକ ଏକ ପରିବାର ଉପରେ ସଂଘାତିକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ଅଭିଯୋଗ ମୁତାବକ, ଖଇରା ବ୍ଲକ ଗଣ୍ଠିବେଡ଼ ଅଞ୍ଚଳର ପୃଥ୍ୱୀରାଜ କର ନାମକ ଜଣେ ଯୁବକ ପାଟପୁର ଗ୍ରାମର ଏକ ପରିବାର ଘରେ ଜବରଦସ୍ତି ପଶି ପରିବାର ସଦସ୍ୟଙ୍କୁ ଭୁଜାଲିରେ ମରଣାନ୍ତକ ଆକ୍ରମଣ କରିଥିଲେ। ଏହି ରକ୍ତାକ୍ତ ସଂଘର୍ଷରେ ପରିବାରର ବାପା ଓ ପୁଅ ଗୁରୁତର ଭାବେ ଆହତ ହୋଇଥିବା ବେଳେ ମା’ ଏବଂ ଝିଅ ମଧ୍ୟ ଆହତ ହୋଇଛନ୍ତି।
ଘଟଣା ସମୟରେ ଚିତ୍କାର ଶୁଣି ସ୍ଥାନୀୟ ଗ୍ରାମବାସୀ ତୁରନ୍ତ ସେଠାରେ ପହଞ୍ଚିଥିଲେ ଏବଂ ଅଭିଯୁକ୍ତ ଯୁବକକୁ କାବୁ କରି ପୋଲିସକୁ ଖବର ଦେଇଥିଲେ। ପରେ ଔପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଯୁବକକୁ ଅଟକ ରଖିଛି।
ଅନ୍ୟପଟେ ସମସ୍ତ ଆହତମାନଙ୍କୁ ପ୍ରଥମେ ଔପଦା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଥିଲା। ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ପରବର୍ତ୍ତୀ ଚିକିତ୍ସା ପାଇଁ ସୋର ଓ ବାଲେଶ୍ୱର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏହି ବର୍ବରକାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଚାଞ୍ଚଲ୍ୟ ଖେଳିଯାଇଛି। ପୋଲିସ ଏହି ମାମଲାରେ ଅଧିକ ତଦନ୍ତ ଜାରି ରଖିଛି।
