ଖଣିଜ ଆଇନ ସଂଶୋଧନକୁ ପ୍ରଫୁଲ୍ଲ ସାମନ୍ତରାଙ୍କ ବିରୋଧ, ରାଜ୍ୟର ଅଧିକାର ଓ ପରିବେଶ ସୁରକ୍ଷା ଦାବି
Bhubaneswar (ଭୁବନେଶ୍ୱର)ସୁକାନ୍ତ ପ୍ରଧାନAugust 18, 202617 views

ଭୁବନେଶ୍ୱର, ୧୮ ଅଗଷ୍ଟ: କେନ୍ଦ୍ର ସରକାରଙ୍କ ଖଣିଜ ସମ୍ପଦ ବିକାଶ ଓ ନିୟମ ସଂଶୋଧନ ଆଇନକୁ ନେଇ ତୀବ୍ର ବିରୋଧ ପ୍ରକାଶ କରିଛନ୍ତି ଜନ ଆନ୍ଦୋଳନ ନେତା ତଥା ଲୋକଶକ୍ତି ଅଭିଯାନର ରାଷ୍ଟ୍ରୀୟ ଆବାହକ ପ୍ରଫୁଲ୍ଲ ସାମନ୍ତରା। ମଙ୍ଗଳବାର ଭୁବନେଶ୍ୱର ଲୋହିଆ ଏକାଡେମୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ଏହି ଆଇନ ଓଡ଼ିଶାର ଖଣିଜ ସମ୍ପଦ ଲୁଟ୍କୁ ତ୍ୱରାନ୍ୱିତ କରିବା ସହ ରାଜ୍ୟର ଅଧିକାରକୁ ଦୁର୍ବଳ କରିବ ବୋଲି ଅଭିଯୋଗ କରିଛନ୍ତି।
ସାମନ୍ତରାଙ୍କ ଅଭିଯୋଗ ଅନୁଯାୟୀ, ଯଥେଷ୍ଟ ଆଲୋଚନା ଓ ରାଜ୍ୟମାନଙ୍କ ମତାମତକୁ ଗୁରୁତ୍ୱ ନଦେଇ ସଂସଦରେ ସଂଖ୍ୟାବଳ ଆଧାରରେ ଆଇନ ପାରିତ କରାଯିବା ଦେଶର ସଂଘୀୟ ବ୍ୟବସ୍ଥା ପାଇଁ ଚିନ୍ତାଜନକ। ଓଡ଼ିଶାର ସାଂସଦମାନେ ରାଜ୍ୟର ଦୀର୍ଘମିଆଦୀ ସ୍ୱାର୍ଥକୁ ବିଚାର ନକରି ଏହାକୁ ସମର୍ଥନ କରିଥିବା ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି।
ସେ କହିଛନ୍ତି ଯେ, ସଂଶୋଧନ ଆଇନ ଯୋଗୁଁ ରାଜ୍ୟର ଅତିରିକ୍ତ ଟିକସ ଆଦାୟ ଅଧିକାର ଓ ପୂର୍ବ ବକେୟା ଆଦାୟ ଅଧିକାର ପ୍ରଭାବିତ ହୋଇପାରେ। ଏହା ଫଳରେ ଓଡ଼ିଶା ପ୍ରତିବର୍ଷ ଅତି କମରେ ୧୫ ହଜାର କୋଟି ଟଙ୍କାର ରାଜସ୍ୱ ହରାଇପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। ଏହା ସୁପ୍ରିମକୋର୍ଟର ୯ ଜଣିଆ ଖଣ୍ଡପୀଠଙ୍କ ରାୟର ମୂଳ ଆତ୍ମାକୁ ମଧ୍ୟ ଦୁର୍ବଳ କରୁଛି ବୋଲି ସେ ଦାବି କରିଛନ୍ତି।
ଅନ୍ୟପକ୍ଷରେ, ଶିଳ୍ପ ପାଇଁ ଦିଆଯାଇଥିବା ଖଣିଜର ଶତପ୍ରତିଶତ ଖୋଲା ବଜାରରେ ବିକ୍ରି ସୁଯୋଗ ମିଳିଲେ ଖଣିଜ ଉତ୍ତୋଳନ ବଢ଼ିବ ଏବଂ ଲୁହାପଥର, ବକ୍ସାଇଟ୍ ଓ କ୍ରୋମାଇଟ୍ ଭଳି ଖଣିଜ ସମ୍ପଦ ଦ୍ରୁତଗତିରେ ଶେଷ ହେବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି।
ଖଣି ସମ୍ପ୍ରସାରଣରେ ପୁନଃ ନିଲାମ ଓ ଆବଶ୍ୟକ ପ୍ରକ୍ରିୟାକୁ ଏଡ଼ାଇବାର ସୁଯୋଗ ମିଳିଲେ ବଡ଼ କମ୍ପାନୀଙ୍କ ହାତରେ ଖଣିଜ ସମ୍ପଦ ଅଧିକ କେନ୍ଦ୍ରୀଭୂତ ହେବା ସହ ପରିବେଶ ଆଇନ, ଜଙ୍ଗଲ ଅଧିକାର ଆଇନ ଓ ସ୍ଥାନୀୟ ସମୁଦାୟର ଅଧିକାର ପ୍ରଭାବିତ ହେବ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି।
ସାମନ୍ତରାଙ୍କ ଦାବି ଅନୁଯାୟୀ, ଏହାର ପ୍ରଭାବରେ ଓଡ଼ିଶାର ୧୭,୮୩୨ଟି ଆଦିବାସୀ ଗ୍ରାମ ଓ ପ୍ରାୟ ୧୪,୯୧,୩୯୯ ହେକ୍ଟର ଜମିର ଅଧିକାର ପ୍ରଭାବିତ ହେବାର ଆଶଙ୍କା ରହିଛି। ଅନିୟନ୍ତ୍ରିତ ଖଣିଜ ଉତ୍ତୋଳନ ଯୋଗୁଁ ଜଳ, ଜଙ୍ଗଲ, ଜମି, ନଦୀ, ଜୀବବିବିଧତା ଓ ଆଦିବାସୀ ସମୁଦାୟର ଜୀବିକା ଉପରେ ଗୁରୁତର ପ୍ରଭାବ ପଡ଼ିବ ବୋଲି ସେ କହିଛନ୍ତି।
ଓଡ଼ିଶା ପାଇଁ ସଂରକ୍ଷଣ, ସଂଘୀୟ ବ୍ୟବସ୍ଥା, ସ୍ୱଚ୍ଛତା, ସମୁଦାୟର ଅଧିକାର, ପରିବେଶୀୟ ସୀମା ଓ ପିଢ଼ିଗତ ନ୍ୟାୟ ଉପରେ ଆଧାରିତ ଏକ ନୂତନ ଖଣିଜ ନୀତିର ଆବଶ୍ୟକତା ରହିଛି ବୋଲି ସାମନ୍ତରା କହିଛନ୍ତି।
ଖଣିଜ ସମ୍ପଦ ଉପରେ ରାଜ୍ୟର ଅଧିକାର ଦୁର୍ବଳ ନକରିବା, ନିଲାମ ପ୍ରକ୍ରିୟାକୁ ଏଡ଼ାଇବାର ସୁଯୋଗ ନଦେବା ଏବଂ ଜଙ୍ଗଲ, ନଦୀ ଓ ଆଦିବାସୀ ସମୁଦାୟଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବାକୁ ସେ ଦାବି କରିଛନ୍ତି। ଏହି ପ୍ରସଙ୍ଗରେ ବିରୋଧୀ ଦଳ, ସାମାଜିକ ସଂଗଠନ, ଆଦିବାସୀ ସମୁଦାୟ ଓ ସଚେତନ ନାଗରିକଙ୍କୁ ଏକଜୁଟ ହୋଇ ଜନ ଆନ୍ଦୋଳନ ଗଢ଼ିବାକୁ ସେ ଆହ୍ୱାନ ଦେଇଛନ୍ତି।
