ଇସ୍ପାତ ସହରାଞ୍ଚଳରେ ବନ୍ୟା ପରିସ୍ଥିତି ପାଇଁ ଆର ଏସ ପି କର୍ତ୍ତୃପକ୍ଷ ଦାୟୀ - ବିଧାୟକ ଶ୍ରୀ ତନ୍ତୀ
Rourkela (ରାଉରକେଲା)ବ୍ୟୁରୋ ରିପୋର୍ଟAugust 18, 202635 views

ରାଉରକେଲା : ଗତକାଲି ହୋଇଥିବା ପ୍ରବଳ ବର୍ଷାରେ ନା କେବଳ ଇସ୍ପାତ ସହରାଞ୍ଚଳରେ ଥିବା ଏକାଧିକ ବସ୍ତିରେ ପାଣି ପଶି ବସ୍ତି ବାସିନ୍ଦା ମାନେ ଏକ ପ୍ରକାରରେ ଜଳବନ୍ଦୀ ହୋଇରହିଥଲେ ତା ନୁହେଁ ଇସ୍ପାତ ସହରାଞ୍ଚଳରେ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ସମ୍ପ୍ରତି ଧ୍ୱସ୍ତ ହୋଇପଡିଥିବାରୁ ଏହି ଅଞ୍ଚଳରେ ମଧ୍ୟ ବର୍ଷା ଜଳ ନିଷ୍କାସନ ହୋଇ ନ ପାରି ଜମି ହୋଇ ରହି ଲୋକଙ୍କ ଘର ଭିତରକୁ ପଶି ଯାଇଥିଲା । କେତେକ ଅଞ୍ଚଳରେ ଲୋକଙ୍କ ଘର ଭିତରେ ମଧ୍ୟ ଆଣ୍ଠୁଏ ପାଣି ରହିଥିବା ବେଳେ ଘର ଭିତରେ ବାସନ ସମେତ ଅନ୍ୟାନ୍ୟ ସାମଗ୍ରୀ ମାନ ପାଣିରେ ଘର ଭିତରେ ଏଣେତେଣେ ପହଁରିବା ଦେଖାମଧ୍ୟ ଯାଇଥିଲା । ବର୍ଷା ଜଳ ନିଷ୍କାସନ ନହୋଇପାରିବା ଯୋଗୁଁ ହୋଇଥିବା ଅସୁବିଧାର ସମ୍ମୁଖୀନ କରୁଥିବା ତଥା ପ୍ରଭାବିତ ଲୋକଙ୍କ ପାଖକୁ ଯାଇ ରଘୁନାଥପାଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧକ୍ଷ ଦୁର୍ଗା ଚରଣ ତନ୍ତୀ ନିଜ ସହକର୍ମୀ ମାନଙ୍କ ସହିତ ଯାଇ ଲୋକଙ୍କ ଆବଶ୍ୟକତା ଅନୁସାରେ ସେମାନଙ୍କୁ ରନ୍ଧା ଖାଦ୍ୟ,ଚୂଡ଼ା,ଗୁଡ଼ ଏବଂ ପାଉଁରୁଟି ଆଦି ବଣ୍ଟନ କରିଥିଲେ । ତେବେ ସମସ୍ତ ପ୍ରଭାବିତ ଅଞ୍ଚଳବାସୀଙ୍କ ମୁହଁରେ ଗୋଟିଏ ଅଭିଯୋଗ କି ଆର ଏସ ପି କର୍ତ୍ତୃପକ୍ଷ ବର୍ଷା ଜଳ ନିଷ୍କାସନ ପାଇଁ ଗତ ୫୦/୬୦ ବର୍ଷତଳେ ଖୋଲିଥିବା ନାଳ/ଡ୍ରେନ ସବୁକୁ ପୁନରୁଦ୍ଧାର ନକରିବା । ଏ ସମ୍ବନ୍ଧରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିବା ରଘୁନାଥପାଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧକ୍ଷ ଦୁର୍ଗା ଚରଣ ତନ୍ତୀଙ୍କ କହିବାନୁଯାୟୀ ପ୍ରତ୍ୟେକ ବର୍ଷ ହେଉଥିବା ଏପରି ବର୍ଷା ଵିପତ୍ତିରୁ ସହରବାସୀଙ୍କୁ ରକ୍ଷା କରିବା ପାଇଁ ସମ୍ପୁର୍ଣ୍ଣ ଇସ୍ପାତ ସହରାଞ୍ଚଳରେ ନିଶ୍ଚିହ୍ନ ପ୍ରାୟ ହୋଇପଡିଥିବା ନାଳ/ଡ୍ରେନ ସବୁର ପୁନରୁଦ୍ଧାରର ଆବଶ୍ୟକତା ଉପରେ ଗୁରୁତ୍ୱ ଦେବା ପାଇଁ ବିଧାୟକ ଆର ଏସ ପି କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଥିବା ସତ୍ତ୍ୱେ ଆଜିପର୍ଯ୍ୟନ୍ତ କୌଣସି ସୁଫଳ ମିଳି ନଥିବାରୁ ବିଧାୟକ ଦୁଃଖ ପ୍ରକାଶ କରିଥିଲେ । ଅପରପଟେ ଆର ଏସ ପିରେ ଏକ ଫ୍ଲଡ଼ କଣ୍ଟ୍ରୋଲ(ବନ୍ୟା ନିୟନ୍ତ୍ରଣ,) ବିଭାଗ ଥିବା ବେଳେ ସେମାନେ କଣ କାମ କରୁଛନ୍ତି ବୋଲି ବିଧାୟକ ଶ୍ରୀ ତନ୍ତୀ ପ୍ରଶ୍ନ କରିବା ସହ ଆଜି ଇସ୍ପାତ ସହରାଞ୍ଚଳରେ ବର୍ଷା ଯୋଗୁଁ ସୃଷ୍ଟି ହେଉଥିବା ଅଭାବନୀୟ ଘଟଣା ଯୋଗୁଁ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ହିଁ ଦାୟୀ ବୋଲି ସେ ଅଭିଯୋଗ କରିଛନ୍ତି ।
