--:--:--
-- ---
Srishti News

ନବବଧୂଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାAugust 18, 2026129 views
ନବବଧୂଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର
ବଅଁରପାଳ: ବଅଁରପାଳ ଥାନା ଅନ୍ତର୍ଗତ ଗୋତମରା ପଞ୍ଚାୟତ ବିଶ୍ୱନାଥପୁର ସାହିରେ ଜଣେ ନବବଧୂଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମୃତ ନବବଧୂ ହେଲେ ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା କୁଶୁପଙ୍ଗା ଗ୍ରାମର ଗିରୀଶ ଚନ୍ଦ୍ର ନାୟକଙ୍କ ଝିଅ ସୋନାଲି ନାୟକ। ସୂଚନା ଅନୁସାରେ, ସୋନାଲି ଗତ ଫେବୃଆରୀ ୨୨ ତାରିଖରେ ଗୋତମରା ଗ୍ରାମର ମନ୍ଦର ସାମଲଙ୍କ ପୁଅ ଗଣେଶ ସାମଲଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହର କିଛିଦିନ ସବୁକିଛି ଠିକ୍‌ଠାକ୍‌ ଚାଲିଥିବା ବେଳେ ଗତ ୧୪ ତାରିଖ ରାତି ପ୍ରାୟ ୧୦ଟାରେ ସୋନାଲି ସ୍ୱାମୀଙ୍କ ମୋବାଇଲ ଫୋନରୁ ତାଙ୍କ ବାପାଙ୍କ ସହ କଥା ହୋଇଥିଲେ। ତେବେ ୧୫ ତାରିଖ ସକାଳ ପ୍ରାୟ ୧୦ଟାରେ ଘରୁ ସୋନାଲିଙ୍କ ମୃତଦେହ ମିଳିଥିଲା। ଏହାକୁ ନେଇ ସୋନାଲିଙ୍କ ଭାଇ ସତ୍ୟରଞ୍ଜନ ନାୟକ ବଅଁରପାଳ ଥାନାରେ ହତ୍ୟା ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ, ସୋନାଲିଙ୍କ ଶ୍ୱଶୁର ମନ୍ଦର ସାମଲ ଏକ ଚିଠି ଦେଖାଇ ଏହା ସୋନାଲି ମୃତ୍ୟୁ ପୂର୍ବରୁ ଲେଖିଥିବା ଦାବି କରିଥିବା ଜଣାପଡ଼ିଛି। ତେବେ ଏହି ଘଟଣାରେ ଶ୍ୱଶୁର ବାରମ୍ବାର ମତ ପରିବର୍ତ୍ତନ କରୁଥିବାରୁ ସନ୍ଦେହ ଉପୁଜିଥିବା ସତ୍ୟରଞ୍ଜନ କହିଛନ୍ତି। ଅଭିଯୋଗ ପରେ ବଅଁରପାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି। ବ୍ୟବଚ୍ଛେଦ ରିପୋର୍ଟ ଓ ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।