--:--:--
-- ---
Srishti News

ଭାଙ୍ଗିଲା ବାଡ଼ କାନ୍ଥ, ଖୋଲା ପଡ଼ିଛି ପଞ୍ଚାୟତ ପରିସର: ଗାଈଗୋରୁ ଓ ଛେଳିମେଣ୍ଢାଙ୍କ ଅବାଧ ପ୍ରବେଶ

Nuapada (ନୂଆପଡ଼ା)ରିପୋର୍ଟ: ବିଜୟ ବରିହାAugust 14, 20268 views
ଭାଙ୍ଗିଲା ବାଡ଼ କାନ୍ଥ, ଖୋଲା ପଡ଼ିଛି ପଞ୍ଚାୟତ ପରିସର: ଗାଈଗୋରୁ ଓ ଛେଳିମେଣ୍ଢାଙ୍କ ଅବାଧ ପ୍ରବେଶ
ନୂଆପଡ଼ା ସଦର ବ୍ଲକ ଅନ୍ତର୍ଗତ ବିଶୋରା ଗ୍ରାମପଞ୍ଚାୟତର ବାଉଣ୍ଡ୍ରି କାନ୍ଥ ଭାଙ୍ଗିଯାଇଥିବାରୁ ପଞ୍ଚାୟତ ପରିସରର ସୁରକ୍ଷା ବ୍ୟବସ୍ଥା ଏବେ ପ୍ରଶ୍ନରେ। କାନ୍ଥର କିଛି ଅଂଶ ଭାଙ୍ଗିଯାଇ ଖୋଲା ପଡ଼ିଥିବାରୁ ସେହି ବାଟ ଦେଇ ପ୍ରତିଦିନ ଗାଈଗୋରୁ, ଛେଳିମେଣ୍ଢା ଭଳି ଗୃହପାଳିତ ପଶୁ ପଞ୍ଚାୟତ ପରିସରକୁ ପଶିଯାଉଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ସହ ଚିନ୍ତା ବଢ଼ିଛି। ପଞ୍ଚାୟତ ପରିସରକୁ ସୁରକ୍ଷିତ ଓ ସ୍ୱଚ୍ଛ ରଖିବା ପାଇଁ ବାଉଣ୍ଡ୍ରି କାନ୍ଥ ନିର୍ମାଣ କରାଯାଇଥିଲେ ମଧ୍ୟ ଏହାର କିଛି ଅଂଶ ଭାଙ୍ଗିଯିବା ପରେ ପରିସରର ସୁରକ୍ଷା ବ୍ୟବସ୍ଥା ଦୁର୍ବଳ ହୋଇପଡ଼ିଛି। ଭାଙ୍ଗିଥିବା ସ୍ଥାନ ଦେଇ ପଶୁମାନେ ଅବାଧରେ ପ୍ରବେଶ କରି ପଞ୍ଚାୟତ ପରିସରରେ ଏଣେତେଣେ ଘୁରୁଥିବାରୁ ଅସ୍ୱଚ୍ଛତା ସୃଷ୍ଟି ହେବା ସହ ପରିବେଶ ମଧ୍ୟ ପ୍ରଭାବିତ ହେଉଛି ବୋଲି ଗ୍ରାମବାସୀ କହିଛନ୍ତି। ପଞ୍ଚାୟତ କାର୍ଯ୍ୟାଳୟ ହେଉଛି ଗ୍ରାମବାସୀଙ୍କ ବିଭିନ୍ନ ସରକାରୀ କାର୍ଯ୍ୟ ସହ ଜଡ଼ିତ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ। ପ୍ରତିଦିନ ବିଭିନ୍ନ କାମରେ ଲୋକେ ଏଠାକୁ ଆସୁଥିବା ବେଳେ ପରିସର ମଧ୍ୟରେ ପଶୁମାନଙ୍କ ଅବାଧ ଚଳାଚଳ ସମସ୍ୟାକୁ ଆହୁରି ଗୁରୁତର କରୁଛି। ଏହାଛଡ଼ା ଭାଙ୍ଗିଥିବା କାନ୍ଥ ଦେଇ ପଶୁମାନେ ବାହାରକୁ ଯାଇ ଦୁର୍ଘଟଣାର ଶିକାର ହେବାର ଆଶଙ୍କା ମଧ୍ୟ ରହିଛି। ଗ୍ରାମବାସୀଙ୍କ ମତରେ, କେବଳ ଭଙ୍ଗା ଅଂଶକୁ ନାମକୁ ମାତ୍ର ମରାମତି କରିଦେଲେ ସମସ୍ୟାର ସ୍ଥାୟୀ ସମାଧାନ ହେବ ନାହିଁ। ଆବଶ୍ୟକତା ଅନୁଯାୟୀ ମଜବୁତ ଓ ଦୀର୍ଘସ୍ଥାୟୀ ନୂଆ ବାଉଣ୍ଡ୍ରି କାନ୍ଥ ନିର୍ମାଣ କରାଗଲେ ପଞ୍ଚାୟତ ପରିସର ସୁରକ୍ଷିତ ରହିବା ସହ ପଶୁମାନଙ୍କ ଅବାଧ ପ୍ରବେଶ ମଧ୍ୟ ବନ୍ଦ ହୋଇପାରିବ। ଏନେଇ ଗ୍ରାମବାସୀ ପଞ୍ଚାୟତ ପ୍ରଶାସନ ଓ ସମ୍ପୃକ୍ତ ବିଭାଗର ଦୃଷ୍ଟି ଆକର୍ଷଣ କରିଛନ୍ତି। ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରି ଭାଙ୍ଗିଥିବା କାନ୍ଥର ସ୍ଥିତି ଯାଞ୍ଚ କରିବା ସହ ପୁରୁଣା ଭଙ୍ଗା କାନ୍ଥକୁ ହଟାଇ ସେହି ସ୍ଥାନରେ ମଜବୁତ ନୂଆ ବାଉଣ୍ଡ୍ରି କାନ୍ଥ ନିର୍ମାଣ କରିବାକୁ ସେମାନେ ଦାବି କରିଛନ୍ତି। ଏବେ ଦେଖିବାକୁ ବାକି ରହିଲା, ବିଶୋରା ପଞ୍ଚାୟତବାସୀଙ୍କ ଏହି ସମସ୍ୟା ପ୍ରତି ପ୍ରଶାସନ କେତେ ଶୀଘ୍ର ଦୃଷ୍ଟି ଦେଉଛି ଏବଂ ପଞ୍ଚାୟତ ପରିସରର ସୁରକ୍ଷା ପାଇଁ କେବେ ନୂଆ ବାଉଣ୍ଡ୍ରି କାନ୍ଥ ନିର୍ମାଣ ହେଉଛି।