--:--:--
-- ---
Srishti News

ଡ୍ୟୁଟି ଛାଡ଼ି ‘ଭାଗବଣ୍ଟା’ରେ ବ୍ୟସ୍ତ ହୋମଗାର୍ଡ! ପାଣିକୋଇଲି ଛକରେ କର୍ତ୍ତବ୍ୟକୁ ନେଇ ଉଠିଲା ପ୍ରଶ୍ନ

Jajpur (ଯାଜପୁର)ରିପୋର୍ଟ: ନିରୋଜ କୁମାର ସେଠୀAugust 13, 202623 views
ଡ୍ୟୁଟି ଛାଡ଼ି ‘ଭାଗବଣ୍ଟା’ରେ ବ୍ୟସ୍ତ ହୋମଗାର୍ଡ! ପାଣିକୋଇଲି ଛକରେ କର୍ତ୍ତବ୍ୟକୁ ନେଇ ଉଠିଲା ପ୍ରଶ୍ନ
ପାଣିକୋଇଲି: ଯାଜପୁର ଜିଲ୍ଲା ପାଣିକୋଇଲି ଛାରିଛକରେ ଡ୍ୟୁଟି କରୁଥିବା ଦୁଇ ହୋମଗାର୍ଡଙ୍କ କାର୍ଯ୍ୟଶୈଳୀକୁ ନେଇ ଏବେ ପ୍ରଶ୍ନ ଉଠିଛି। ଚାରିଛକରେ ଯାନବାହନ ଓ ଲୋକଙ୍କ ଯାତାୟାତ ନିୟନ୍ତ୍ରଣ କରିବା ବଦଳରେ ଦୁଇ ହୋମଗାର୍ଡ ପରସ୍ପର ମଧ୍ୟରେ କୌଣସି ‘ଭାଗବଣ୍ଟା’କୁ ନେଇ ଆଲୋଚନା କରୁଥିବା ଦୃଶ୍ୟର ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ଦୁଇ ହୋମଗାର୍ଡ ଡ୍ୟୁଟି ସ୍ଥଳରେ ରହି ପରସ୍ପର ମଧ୍ୟରେ ଦୀର୍ଘ ସମୟ ଧରି କଥାବାର୍ତ୍ତା କରୁଥିବା ଦେଖାଯାଉଛି। ସେମାନଙ୍କ ଆଲୋଚନାର ବିଷୟ କ’ଣ ଥିଲା, ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ଏହି ଦୃଶ୍ୟକୁ ନେଇ ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ, ଚାରିଛକ ଭଳି ବ୍ୟସ୍ତ ଅଞ୍ଚଳରେ ଟ୍ରାଫିକ୍ ନିୟନ୍ତ୍ରଣ ଓ ଲୋକଙ୍କ ସୁରକ୍ଷିତ ଯାତାୟାତ ପାଇଁ ହୋମଗାର୍ଡଙ୍କ ଦାୟିତ୍ୱ ରହିଛି। ଏପରି ସ୍ଥାନରେ ଯଦି ଡ୍ୟୁଟି ସମୟରେ କର୍ତ୍ତବ୍ୟ ପାଳନ ପରିବର୍ତ୍ତେ ବ୍ୟକ୍ତିଗତ ଆଲୋଚନାରେ ସମୟ କଟୁଥାଏ, ତେବେ ଏହା ନିଶ୍ଚିତ ଭାବେ ଚିନ୍ତାର ବିଷୟ ବୋଲି ମତ ପ୍ରକାଶ ପାଇଛି। ଅଭିଯୋଗ ଅନୁସାରେ, ଉଚ୍ଚପଦସ୍ଥ ଅଧିକାରୀଙ୍କ ଗାଡ଼ି ନିକଟକୁ ଆସିଲେ ହୋମଗାର୍ଡମାନେ ନିଜ ସ୍ଥାନରୁ ଦୌଡ଼ି ଆସୁଥିବା ଏବଂ ପରେ ପୁଣି ପାନ ଦୋକାନ ନିକଟକୁ ଚାଲିଯାଉଥିବା ନେଇ ମଧ୍ୟ ସ୍ଥାନୀୟ ମହଲରେ ପ୍ରଶ୍ନ ଉଠିଛି। ତେବେ ଏହି ଅଭିଯୋଗର ସତ୍ୟତା ସମ୍ପର୍କରେ ସମ୍ପୃକ୍ତ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ମିଳିନାହିଁ। ଖାକି ପୋଷାକ ପିନ୍ଧିବା କେବଳ ଦାୟିତ୍ୱର ପରିଚୟ ନୁହେଁ, ଏହା ଲୋକଙ୍କ ପ୍ରତି କର୍ତ୍ତବ୍ୟର ମଧ୍ୟ ପ୍ରତୀକ। ତେଣୁ ଡ୍ୟୁଟି ସମୟରେ କର୍ତ୍ତବ୍ୟ ପାଳନରେ ଅବହେଳା ହେଉଛି କି ନାହିଁ, ତାହା ନେଇ ସମ୍ପୃକ୍ତ ଉଚ୍ଚପଦସ୍ଥ ଅଧିକାରୀ ତଦନ୍ତ କରିବା ଆବଶ୍ୟକ ବୋଲି ସାଧାରଣରେ ଦାବି ହେଉଛି। ଭିଡିଓଟି ପ୍ରସାରଣ ପରେ ସମ୍ପୃକ୍ତ ବିଭାଗ ଏହାକୁ କିପରି ଗ୍ରହଣ କରୁଛି ଏବଂ ଡ୍ୟୁଟିରେ ଥିବା ହୋମଗାର୍ଡମାନଙ୍କ ବିରୋଧରେ କୌଣସି ତଦନ୍ତ କିମ୍ବା ପଦକ୍ଷେପ ନିଆଯାଉଛି କି ନାହିଁ—ସେଥିପ୍ରତି ଏବେ ସମସ୍ତଙ୍କ ନଜର।