--:--:--
-- ---
Srishti News

ଜୁଆ ଆଡ୍ଡାରେ ଚଢ଼ଉ, ୩ ଜଣଙ୍କୁ ଗିରଫ ସହ ବାଇକ୍ ଓ ଟଙ୍କା ଜବତ କଲେ କେ. ନୁଆ ଗାଁ ପୋଲିସ

Ganjam (ଗଞ୍ଜାମ)ଦୁର୍ଗା ମାଧବAugust 12, 202663 views
ଜୁଆ ଆଡ୍ଡାରେ ଚଢ଼ଉ, ୩ ଜଣଙ୍କୁ ଗିରଫ ସହ ବାଇକ୍ ଓ ଟଙ୍କା ଜବତ କଲେ କେ. ନୁଆ ଗାଁ ପୋଲିସ
ଗଞ୍ଜାମ ଜିଲ୍ଲା କେ.ନୂଆଗାଁ ଥାନା ଅଞ୍ଚଳର ବିଜୟଲକ୍ଷ୍ମୀନାରାୟଣପୁର ନିକଟ କାଜୁ ବଗିଚାରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୁଲିସ ଚଢ଼ଉ କରିଛି। ଏହି ଘଟଣାରେ ତିନିଜଣଙ୍କୁ ଗିରଫ କରାଯାଇଥିବାବେଳେ ଜୁଆ ଆଡ୍ଡାରୁ ନଗଦ ୬୩,୧୭୦ ଟଙ୍କା, ଦୁଇ ପ୍ୟାକେଟ ତାସ୍‌, ଗୋଟିଏ ତାରପୋଲିନ୍‌, ୪ଟି ମୋବାଇଲ୍‌ ଫୋନ୍‌ ଓ ଦୁଇଟି ମୋଟରସାଇକେଲ୍‌ ଜବତ ହୋଇଛି। ପୁଲିସ ସୂଚନାନୁସାରେ, ୧୧ ତାରିଖ ଅପରାହ୍ନରେ ବିଜୟଲକ୍ଷ୍ମୀନାରାୟଣପୁର ନିକଟ କାଜୁ ବଗିଚାରେ ଟଙ୍କା ବାଜି ଲଗାଇ ‘ମଙ୍ଗାପଟ୍ଟା’ ଜୁଆ ଚାଲିଥିବା ଖବର ପୁଲିସକୁ ମିଳିଥିଲା। ଏହାପରେ କେ.ନୂଆଗାଁ ପୁଲିସ ଚଢ଼ଉ କରିଥିଲା। ପୁଲିସ ପହଞ୍ଚିବା ବେଳକୁ ପ୍ରାୟ ୧୦ରୁ ୧୫ ଜଣ ତାସ୍‌ ଖେଳୁଥିବା ଦେଖାଯାଇଥିଲା। ପୁଲିସକୁ ଦେଖି କିଛି ଜୁଆଡ଼ି ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ। ଘଟଣାସ୍ଥଳରୁ ତ୍ରିଲୋଚନ ସାହୁ ଓରଫ ଲଣ୍ଡା, କାଳିଆ ସାହୁ ଓରଫ କାଳୁ ଏବଂ ସନ୍ତୋଷ କୁମାର ସାହୁଙ୍କୁ ପୁଲିସ ଗିରଫ କରିଛି। ଅନ୍ୟ କେତେକ ଜୁଆଡ଼ି ଫେରାର ହୋଇଯାଇଥିବା ପୁଲିସ ପକ୍ଷରୁ କୁହାଯାଇଛି। ଚଢ଼ଉ ସମୟରେ ପୁଲିସ କର୍ମଚାରୀଙ୍କୁ ଜୁଆଡ଼ିମାନେ ଧକ୍କା ମାରିବା ସହ ମାଡ଼ ମାରିଥିବା ଏବଂ ଧମକ ଦେଇଥିବା ପ୍ରେସ୍‌ ନୋଟ୍‌ରେ ଉଲ୍ଲେଖ ରହିଛି। ଏନେଇ କେ.ନୂଆଗାଁ ଥାନାରେ ମାମଲା ନଂ ୧୭୭/୨୦୨୬ ରୁଜୁ ହୋଇଛି।