--:--:--
-- ---
Srishti News

ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

Dhenkanal (ଢେଙ୍କାନାଳ)ରିପୋର୍ଟ ସୁଶାନ୍ତ କୁମାର ପୋଥାଳ ସ୍ୱତନ୍ତ୍ର ପ୍ରତିନିଧିAugust 12, 20266 views
ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ
ଢେ଼ଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଜିଲ୍ଲାପାଳ ଶ୍ରୀ ଆଶିଷ ଇଶ୍ଵର ପାଟିଲଙ୍କ ଅଧ୍ୟକ୍ଷତାରେ ବୁଧବାର ଅପରାହ୍ନରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । କଲେଜ ବାଇପାସ୍ ସ୍ଥିତ ସହରକୁ ପ୍ରବେଶ ରାସ୍ତାରେ ପାଣି ଜମୁଥିବାରୁ ଏହାର ପ୍ରତିକାର ପାଇଁ ବିହିତ ବ୍ୟବସ୍ଥା କରି ଓ ଦୁର୍ଘଟଣା ପ୍ରବଣ ରାସ୍ତା ଏବଂ ଛକ ଗୁଡ଼ିକରେ ଲାଇଟିଂ ର ବ୍ୟବସ୍ଥା ମାସକ ମଧ୍ୟରେ ଶେଷ କରିବାକୁ ଜିଲ୍ଲାପାଳ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରମୂଖ କଲେଜ ଓ ବିଦ୍ୟାଳୟ ସମ୍ମୁଖ ରାସ୍ତାରେ ସାଇନେଜ୍‌ ଓ ପ୍ରତିଫଳକ ଦର୍ପଣ ଲଗାଇବାକୁ କହିଛନ୍ତି । ଜାତୀୟ ରାଜପଥରେ ହୋଇଥିବା ଖାଲ ଓ ଜଳୁ ନ ଥିବା ଲାଇଟ ପୋଷ୍ଟକୁ ଚ଼ିହ୍ନଟ କରି ଯଥାଶୀଘ୍ର ମରାମତି ପାଇଁ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିନବ ସୋନକର ପରାମର୍ଶ ଦେଇଛନ୍ତି । ରାସ୍ତା କଡ଼ରେ ଗାଡ଼ି ପାର୍କିଂ ଯୋଗୁଁ ଦୁର୍ଘଟଣା ଘଟୁଥିବାରୁ ପାର୍କିଂ ପାଇଁ ବ୍ୟବସ୍ଥା କରିବାକୁ ସେ ଗୁରୁତ୍ବାରୋପ କରିଥିଲେ । କଣ୍ଟାନାଳୀ ବାଇପାସ ଛକ ଠାରେ ସୁଦୃଶ୍ୟ ସାଇନେଜ୍ ବ୍ୟବସ୍ଥା, ନବଭାରତ ଠାରେ ରାସ୍ତାରେ ଅଧିକ ପାଣି ଜମା ଯୋଗୁଁ ଚ଼ଳାଚ଼ଳରେ ଅସୁବିଧା, ଅପ୍ରାପ୍ତ ବୟସ୍କ ପିଲାମାନଙ୍କ ଗାଡ଼ିଚାଳନାରେ ରୋକ ଲଗାଇବା, ରାସ୍ତାରେ ଗାଇଗୋରୁଙ୍କ ଦୁର୍ଦ୍ଦଟଣାରେ ମୃତାହତ, ଅବୈଧ ନିର୍ମାଣ ଆଦି ଉଚ୍ଛେଦ , ସହର ମଧ୍ୟରେ ପାର୍କିଂ ବ୍ୟବସ୍ଥା ସଂପର୍କରେ ସଦସ୍ୟ ମାନେ ଆଲୋଚନା କରିଥିଲେ । ଗତ ଜୁଲାଇ ମାସରେ ୩୦ଟି ଦୁର୍ଘଟଣା ଘଟି ମୋଟ ୨୫ ଜଣ ଆହତ ହୋଇଥିବା ବେଳେ ୧୮ ଜଣ ମୃତ୍ୟୁ ବରଣ କରିଛନ୍ତି ବୋଲି ଆର. ଟି. ଓ. ଶ୍ରୀ ଶିବାଶିଷ ସାହୁ ପ୍ରକାଶ କରିଛନ୍ତି । ଟ୍ରାଫିକ ନିୟମ ଉଲଙ୍ଘନ କରିଥିବା ଯୋଗୁଁ ଚ଼ଳିତ ବର୍ଷ ଜୁଲାଇ ମାସ ସୁଦ୍ଧା ୨୧୫୦ ଜଣ ଗାଡ଼ି ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଧ କରାଯାଇ ଥିବା ବେଳେ ଗତ ଜୁଲାଇ ମାସରେ ୧୦୧୮ଜଣଙ୍କୁ ଜୋରିମାନା କରାଯାଇଛି ବୋଲି ସେ ସୂଚ଼ନା ଦେଇଥିଲେ । ଏହି ଅବସରରେ, ଦୁର୍ଦ୍ଧଟଣା ଗ୍ରସ୍ତ ମାନଙ୍କୁ ଉଦ୍ଧାର କରିଥିବା ଷଣ୍ଢପଶିପାଟଣା (ଗନ୍ଦିଆ ) ର ମଦନ ରାଉତ, ପୋରୁଆଖୋଜ (ଗନ୍ଦିଆ ) ର ବଳରାମ ପରିଡ଼ା ଏବଂ ପାଳଗାଣ୍ଡୁଆ (ଗନ୍ଦିଆ ) ର ସଂଜୟ ପରିଡାଙ୍କୁ ଗୁଡ୍ ସମରିଟାନ ଭାବେ ଜିଲ୍ଲାପାଳ ପୁରସ୍କୃତ କରିଥିଲେ । ପ୍ରାରମ୍ଭରେ ରାସ୍ତା ଓ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ଜୟନ୍ତ ପ୍ରସାଦ ନାୟକ ଜାତୀୟ ରାଜପଥରେ ହେଇଥିବା ବିଭିନ୍ନ କାର୍ଯ୍ୟ ସଂପର୍କରେ ଅବଗତ କରାଇଥିଲେ । ଏହି ବୈଠକରେ ଆଇ.ଏ.ଏସ୍. (ପ୍ରୋବେସନ୍ ) ସୁଧା ଚୈହାନ, କମିଟିର ସମସ୍ତ ସଦସ୍ୟ, ସଂପୃକ୍ତ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ ।